ନୟାଗଡ଼, (ନୟାଗଡ଼ ଦର୍ପଣ): ମନୁଷ୍ୟର ମୃତ୍ୟୁ ଘଟିଲେ ଅନ୍ତିମ ସଂସ୍କାର କରିବାର ପ୍ରଥା ପୂର୍ବପୁରୁଷରୁ ରହି ଆସିଛି। ଆଜି ବି ସମସ୍ତେ ଏହାକୁ ପାଳନ କରି ଆସୁଛନ୍ତି, କିନ୍ତୁ ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ୍ ଶରଣକୁଳ କଟରାଝରୀ ଗ୍ରାମର କୃଷକ ନେତା ପବିତ୍ର କୁମାର ଇନ୍ଦ୍ରଜିତ୍ ଭିନ୍ନ କିଛି ଉଦାହରଣ ସୃଷ୍ଟି କରିଛନ୍ତି। ପବିତ୍ରଙ୍କ ପିତା ହଜାରୀ ବରାଡ଼ଙ୍କ (୮୬) ବର୍ଷ ବୟସରେ ମୃତ୍ୟୁ ହେବା ପରେ ପିତାଙ୍କ ମର ଶରୀରକୁ ଗାଁ ଶ୍ମଶାନରେ ଦାହ ନ କରାଇ ମେଡିକାଲ ଛାତ୍ରଛାତ୍ରୀଙ୍କ ପାଠପଢ଼ା ପାଇଁ କଟକସ୍ଥିତ ଏସ୍ସିବି ମେଡିକାଲ କଲେଜକୁ ପ୍ରଦାନ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। ଦିନକୁ ଦିନ ବିଭିନ୍ନ ରୋଗରେ ଯୁବକ ଓ ଯୁବତୀମାନେ ଆକ୍ରାନ୍ତ ହୋଇ ମୃତ୍ୟୁମୁଖରେ ପଡୁଛନ୍ତି। ମେଡିକାଲ କଲେଜ ଛାତ୍ରଛାତ୍ରୀ ପରୀକ୍ଷା-ନିରୀକ୍ଷା କରି ରୋଗର ନିରାକରଣ ଜାଣିବା ପରେ ରୋଗଗ୍ରସ୍ତ ବ୍ୟକ୍ତିମାନଙ୍କର ଚିକିତ୍ସା ସହଜ ହେବ। ଛାତ୍ରଛାତ୍ରୀ ଏହି ମୃତ ବ୍ୟକ୍ତିଙ୍କ ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗକୁ ନେଇ ଗବେଷଣା କରିପାରିବେ ଓ ଏଥିରେ ସଫଳ ହେଲେ ବିଭିନ୍ନ ମାରାତ୍ମକ ରୋଗ କିମ୍ବା ଦୁର୍ଘଟଣାର ଶିକାର ହେଉଥିବା ବ୍ୟକ୍ତି ଭଲ ହୋଇପାରିବେ ବୋଲି ପବିତ୍ର ଇନ୍ଦ୍ରଜିତ୍ ଆଶା ପୋଷଣ କରିଛନ୍ତି। ତାଙ୍କର ଏଭଳି ଅବଦାନକୁ ଅଞ୍ଚଳରେ ଖୁବ୍ ପ୍ରଶଂସା କରାଯାଇଛି।
