ଅସମ୍ପୁର୍ଣ୍ଣ ରାସ୍ତାକୁ ସମ୍ପୁର୍ଣ୍ଣ କରିବା ପାଇଁ ସରକାରଙ୍କ ନିକଟରେ ଦାବି କଲେ ଗୁଡୁପାଙ୍ଗିବାସୀ

ନୟାଗଡ଼, (ନୟାଗଡ଼ ଦର୍ପଣ): ବହୁଚର୍ଚ୍ଚିତ ବଳଭଦ୍ରପୁର – ଢ଼ିପାମାଳ ରାସ୍ତା ପ୍ରସଙ୍ଗରେ ଆଜି ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି। ଆଜି ପୂର୍ବାହ୍ନରେ ଗୁଡୁପାଙ୍ଗି – ଢ଼ିପାମାଳ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ସଂଲଗ୍ନ ତିନିବାଙ୍କ ପଡିଆଠାରେ ଗୁଡୁପାଙ୍ଗି ମୌଜାର ପୁରୁଷ ଓ ମହିଳା ଏକତ୍ରିତ ହୋଇ ମୁଖ୍ୟ ଉନ୍ନୟନ ଅଧିକାରୀଙ୍କ ଦାୟିତ୍ବହୀନ ମନ୍ତବ୍ୟକୁ ନିନ୍ଦା କରିବାସହ ଅସମ୍ପୁର୍ଣ୍ଣ ରାସ୍ତାକୁ ସମ୍ପୁର୍ଣ୍ଣ କରିବା ପାଇଁ ସରକାରଙ୍କ ନିକଟରେ ଦାବି ରଖିଥିଲେ। ସରକାରୀ ଅଧିକାରୀଙ୍କ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ମନ୍ତବ୍ୟ ଗ୍ରାମ-ଗ୍ରାମ ମଧ୍ୟରେ ବିବାଦର କାରଣ ବୋଲି ଗ୍ରାମବାସୀମାନେ ମତବ୍ୟକ୍ତ କରିଥିଲେ। ଗୁଡୁପାଙ୍ଗି ସହିତ ୧୭ଖଣ୍ଡ ମୌଜା ରାସ୍ତା ବିବାଦର କୌଣସି ସମାଧାନର ସୂତ୍ର ଏ ପର୍ଯ୍ଯନ୍ତ ବାହାରିନଥିବା ବେଳେ ସରକାରଙ୍କ ଭୁମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ସାଧାରଣରେ ଆଲୋଚନା ହେଉଛି।

ପ୍ରକାଶ ଥାଉକି ୨୦୨୩ ମସିହାରେ ତତ୍କାଳୀନ ଜିଲ୍ଲାପାଳ ରବିନ୍ଦ୍ର ନାଥ ସାହୁଙ୍କ ଉଦ୍ୟମକ୍ରମେ ଉକ୍ତ ସମସ୍ୟାର ସମାଧାନ ଉଭୟ ପକ୍ଷଙ୍କ ଉପସ୍ଥିତିରେ ଆଲୋଚନା ମାଧ୍ୟମରେ ହେବା ପାଇଁ ସମସ୍ତ ପ୍ରସ୍ତୁତି ହୋଇଥିଲା ଏବଂ ଉଭୟ ପକ୍ଷଙ୍କ ସହମତି ଥିଲା । କିନ୍ତୁ ଆଲୋଚନା ପାଇଁ ସ୍ଥିରୀକୃତ ଦିନ ଆଲୋଚନା ସ୍ଥଳରେ ସରକାରୀ ଅଧିକାରୀ ଓ ଗୁଡୁପାଙ୍ଗି ଗ୍ରାମବାସୀମାନେ ଉପସ୍ଥିତ ଥିଲେ ମଧ୍ୟ ୧୭ଖଣ୍ଡ ମୌଜାର କୌଣସି ପ୍ରତିନିଧି ଯୋଗଦେଇନଥିଲେ ଫଳରେ ଏହି ଉଦ୍ୟମ ବିଫଳ ହୋଇଥିଲା ବୋଲି ଗ୍ରାମବାସୀମାନେ ପ୍ରକାଶ କରିଥିଲେ। ଆଜିର ଏହି ପ୍ରତିବାଦ ସଭାରେ ଗୁଡୁପାଙ୍ଗିର ପ୍ରାୟ ୧୫୦୦ରୁ ଅଧିକ ପୁରୁଷ ଓ ମହିଳା ଯୋଗଦେଇଥିଲେ।

Related posts