ବିଶିଷ୍ଟ ଔପନ୍ୟାସିକ ବିଶ୍ୱନାଥ ମହାପାତ୍ରଙ୍କ ଉପନ୍ୟାସ “ସେଇ ଝିଅ ଶିବାନୀ” ଲୋକାର୍ପିତ

ନୟାଗଡ଼,(ନୟାଗଡ଼ ଦର୍ପଣ): କମ୍ରେଡ ବିଶ୍ଵନାଥ ମହାପାତ୍ରଙ୍କ ନୂତନ ଉପନ୍ୟାସ ‘ସେଇ ଝିଅ ଶିବାନୀ’ ଦଶପଲ୍ଲା ତୈଳିକ ବୈଶ୍ୟ ସମାଜ ସଭାକକ୍ଷରେ ଜିଲ୍ଲାର ଶତାଧିକ ସ୍ୱନାମଧନ୍ୟ କବି, ଲେଖକ ଓ ବୁଦ୍ଧିଜୀବୀଙ୍କ ଗହଣରେ ଲୋକାର୍ପଣ କରିଛନ୍ତି ସୁସାହିତ୍ୟିକ ତଥା ବିଧାୟକ ଡ. ଅରୁଣ କୁମାର ସାହୁ। ନିୟମିତ ଭାବେ ଔପନ୍ୟାସିକ ବିଶ୍ଵନାଥ ମହାପାତ୍ର ସମାଜର ଅବିକଳ ଚିତ୍ରକୁ ଉପନ୍ୟାସର ରଙ୍ଗ ତୂଳୀରେ ନିଚ୍ଛକ ଓ ନିର୍ଭୀକ ଭାବରେ ଅଙ୍କନ କରି ପ୍ରତି ବର୍ଷ ପାଠକମାନଙ୍କ ନିକଟରେ ଉପସ୍ଥାପିତ କରୁଥିବାରୁ ତାଙ୍କର ସାରସ୍ବତ କୀର୍ତ୍ତି କାଳେକାଳେ ସମାଜର ଉତ୍ତରଣରେ ସହାୟକ ହୋଇ ପାରିବ ବୋଲି ଡ. ସାହୁ ମତପ୍ରକାଶ କରିଥିଲେ।ବିଶିଷ୍ଟ ସମାଜସେବୀ ପ୍ରମୋଦ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପୁସ୍ତକର ସମୀକ୍ଷାମୂଳକ ଉପସ୍ଥାପନା କରିଥିଲେ ବିଶିଷ୍ଟ ଶିକ୍ଷାବିତ ଡ. ମାଧବ ଚନ୍ଦ୍ର ମିଶ୍ର। ପୁସ୍ତକର ମୁଖ୍ୟ ଚରିତ୍ର ଶିବାନୀର ସଂଘର୍ଷମୟ ଜୀବନର ସଂକଟ, ସଂକଳ୍ପ ଓ ସକରାତ୍ମକ ଉପସଂହାର ଉପନ୍ୟାସକୁ ସୁଖପାଠ୍ୟ କରିଥିଲା ବେଳେ କମ୍ରେଡ ବିଶ୍ଵନାଥଙ୍କ ଲୋକଭାଷାର ସଫଳ ପ୍ରୟୋଗ, ଉତ୍କଣ୍ଠା ଉଦ୍ରେକକାରୀ କଥାବସ୍ତୁ ପାଠକକୁ ବାନ୍ଧି ରଖିପାରେ। ଲେଖକ ବାସ୍ତବରେ ଜଣେ ବାମବାଦୀ ଓ ବାମାବାଦୀ ସାହିତ୍ୟ ସ୍ରଷ୍ଟା ବୋଲି ଡ. ମିଶ୍ର କହିଛନ୍ତି। ଓଡ଼ିଶା ହାଇକୋର୍ଟର ବରିଷ୍ଠ ଆଇନଜୀବୀ ଲକ୍ଷ୍ମୀଧର ପଙ୍ଗାରୀ, ଶିକ୍ଷା ପ୍ରଦୀପର ପ୍ରାକ୍ତନ ସଂପାଦକ ପ୍ରଫୁଲ୍ଲ କୁମାର ମହାନ୍ତି ବରେଣ୍ୟ ଅତିଥି ଭାବେ ଯୋଗଦେଇ ବିଶ୍ଵନାଥଙ୍କ ପ୍ରଗତିଶୀଳ ସୃଷ୍ଟି ସମ୍ଭାର ଉପରେ ଆଲୋକପାତ କରିଥିଲେ। ପୁସ୍ତକଟି ଦିବଂଗତ ଜନନେତା ଓ ସାହିତ୍ୟିକ ପୂର୍ଣ୍ଣ ଚନ୍ଦ୍ର ସାମନ୍ତରାୟଙ୍କ ସ୍ମୃତିରେ ଉତ୍ସର୍ଗ କରାଯାଇଥିଲା ବେଳେ ଶିକ୍ଷାବିତ୍ କୃଷ୍ଣଚନ୍ଦ୍ର ସାହୁଙ୍କ କରକମଳରେ ଅର୍ପଣ କରାଯାଇଛି। ଏହି ଉତ୍ସବରେ ବିଶିଷ୍ଟ ନାଟ୍ୟକାର ଗଦାଧର ନନ୍ଦ ଓ ସାହିତ୍ୟିକ ପାଣ୍ଡବ ନାୟକଙ୍କ ସହିତ ପୁସ୍ତକର ମୁଦ୍ରାକର ପ୍ରିୟରଞ୍ଜନ ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ରଞ୍ଜୁବାଳା ପ୍ରକାଶନୀର ମୁଖ୍ୟ ଆଡଭୋକେଟ ଶରତଚନ୍ଦ୍ର ବେହେରା ସ୍ଵାଗତ ସମ୍ଭାଷଣ ରଖିଥିଲା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ ଜିଲ୍ଲା ଲେଖକ ପରିଷଦର ସମ୍ପାଦକ ଶେଖ ଅବଦୁଲ ଖାଲିକ।

Related posts