ଜିଲ୍ଲା ଉନ୍ନୟନ  ସମନ୍ୱୟ ଏବଂ ପର୍ଯ୍ୟାଲୋଚନା କମିଟି ବୈଠକ

ନୟାଗଡ଼,(ନୟାଗଡ଼ ଦର୍ପଣ): ଜିଲ୍ଲା ପରିଷଦ ସୃଜନ ସମ୍ମଳନୀ କକ୍ଷରେ ମାନ୍ୟବର ସାଂସଦ କଟକ ଡଃ ଭର୍ତ୍ତୃହରି ମହତାବଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଉନ୍ନୟନ ସମନ୍ୱୟ ଓ ପର୍ଯ୍ୟାଲୋଚନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକ, ବାଚସ୍ପତିଙ୍କ ରଣପୁର ନିର୍ବାଚନ ମଣ୍ଡଳୀର ପ୍ରତିନିଧି ଇଂ. ଅଭିଷେକ ସାମନ୍ତରାୟ ପ୍ରମୁଖ ଯୋଗ ଦେଇଥିଲେ । ପ୍ରଥମେ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ସ୍ୱାଗତ ଭାଷଣ ରଖିଥିଲେ ।

ଏହାପରେ ମାନ୍ୟବର ସାଂସଦ ତାଙ୍କ ଅଭିବ୍ୟକ୍ତି ରଖିଥିଲେ । ସେ କହିଲେ ଯେ, ‘ବେଟି ବଚାଓ ଓ ବେଟି ପଢ଼ାଓ’ ସଫଳତାର ସହିତ ଭାରତ ବର୍ଷର ଅନେକ ଯାଗାରେ ଚାଲିଛି । ଆମ ନୟାଗଡ଼ ଜିଲ୍ଲା ପୂର୍ବ ତୁଳନାରେ କିଛି ମାତ୍ର ସଫଳତା ଲାଭ କରିଛି । କନ୍ୟାସନ୍ତାନ ସୁରକ୍ଷା, ଶିକ୍ଷା ଏବଂ ପୁତ୍ରସନ୍ତାନ ତୁଳନାରେ କନ୍ୟାସନ୍ତାନଙ୍କ ସଂଖ୍ୟା ବୃଦ୍ଧି କରିବା ବିଷୟରେ ଆଲୋଚନା କରିଥିଲେ। ଆଲୋଚନା ପ୍ରାରମ୍ଭରେ ତା.୦୩.୧୦.୨୦୨୪ରିଖରେ ଅନୁଷ୍ଠିତ ହୋଇଥିବା ବୈଠକରେ ବାକିଥିବା ବିଷୟ ଯଥାକ୍ରମେ- ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା, ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା, ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା ଏବଂ ପ୍ରଧାନମନ୍ତ୍ରୀ ସହରାଞ୍ଚଳ ଆବାସ ଯୋଜନା ବିଷୟରେ ସଂପୃକ୍ତ ଅଧିକାରୀଙ୍କ ସହ ଆଲୋଚନା କରାଯାଇଥିଲା।

ଏଥିସହ ଆଜିର କାର୍ଯ୍ୟସୂଚୀ ଅନୁସାରେ ତିନୋଟି ବିଷୟରେ ଆଲୋଚନା ହୋଇଥିଲା ।

୧) ଗ୍ରାମୀଣ ପାନୀୟ ଜଳ ଯୋଗାଣ ଓ ପରିମଳ

୨) ବେଟି ବଚାଓ ଓ ବେଟି ପଢ଼ାଓ

୩) ପ୍ରଧାନମନ୍ତ୍ରୀ ସୂର୍ଯ୍ୟଗୃହ ଯୋଜନା

ଉପରେ ସଂପୃକ୍ତ ଅଧିକାରୀଙ୍କ ସହ ଆଲୋଚନା ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଦସ୍ୟ, ବିଭିନ୍ନ ବିଭାଗୀୟ ଅଧିକାରୀ ଏବଂ ସାମ୍ବାଦିକ ପ୍ରମୁଖ ଉପସ୍ଥିତ ଥିଲେ । ମଂଚାସୀନ ଅତିଥିମାନଙ୍କୁ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯିବା ପରେ ସଭାସାଙ୍ଗ କରାଯାଇଥିଲା ।

Related posts