ନୟାଗଡ଼, (ନୟାଗଡ଼ ଦର୍ପଣ): ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ଅଧ୍ୟୟନ ବିଭାଗ ଓଡ଼ିଶା ଭୁବନେଶ୍ୱର ଓ ନୟାଗଡ଼ ଜିଲ୍ଲା ଜଙ୍ଗଲ ପରିବେଶ ବିଭାଗ ତରଫରୁ ୨୦୨୪-୨୫ ବର୍ଷ ପାଇଁ ଓଡ଼ଗାଁ ବ୍ଲକରୁ ପନ୍ତିଖାରୀ ପଞ୍ଚାୟତ ଅନ୍ତର୍ଗତ ପନ୍ତିଖାରୀ ଶାସନ ନିବାସୀ ସନ୍ତୋଷ କୁମାର ସାହୁ ପ୍ରକୃତି ବନ୍ଧୁ ପୁରସ୍କାର ପାଇଛନ୍ତି। ସେ ରୋହିବାଙ୍କ ପଞ୍ଚାୟତ ଅନ୍ତର୍ଗତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ରୋହିବାଙ୍କର ଜଣେ ସରକାରୀ ଶିକ୍ଷକ ଅଟନ୍ତି। ସେ ୨୦୦୬ ମସିହାରୁ ଶିକ୍ଷକତା କରି ୨୦୦୭ ମସିହାରେ ପରିବେଶ ସଚେତନତା ସମ୍ବନ୍ଧିତ କେଳା କେଳୁଣୀ ଗୀତ ନାଚ ଦ୍ୱାରା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମଶାବାରୀର ନିଜ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦେଇ ବିଜ୍ଞାନ ମେଳାରେ ସମଗ୍ର ଓଡଗାଁ ବ୍ଲକରେ ପରିଚିତ ହୋଇଥିଲେ।

ତାପରେ ଇକୋକ୍ଳବ ଶିକ୍ଷକ ହିସାବରେ ବର୍ତ୍ତମାନ ଶିକ୍ଷକତା କରୁଥିବା ରୋହିବାଙ୍କ ଉଚ୍ଚ ବିଦ୍ୟାଳୟକୁ ସମଗ୍ର ଓଡ଼ିଶାରେ ପ୍ରକୃତି ମିତ୍ର ପୁରସ୍କାର ଅଧିକାରୀ କରାଇ ପାରିଥିଲେ। ଏତିକିରେ ସ୍ଥାଣୁ ନହୋଇ ପରିବେଶକୁ ପଲିଥିନ ମୁକ୍ତ କରିବାରେ କାଗଜ ଠୁଙ୍ଗା ପ୍ରସ୍ତୁତ କରି youtube ଦ୍ୱାରା ଜନ ସଚେତନତା କରାଇ ବର୍ତ୍ତମାନ ବିଧାନସଭା ବାଚସ୍ପତି ସୁରମା ପାଢ଼ୀଙ୍କ ଠାରୁ “କାଗଜ ଠୁଙ୍ଗା” ବ୍ୟକ୍ତି ଭାବରେ ସମ୍ବର୍ଦ୍ଧିତ ହୋଇଥିଲେ। ଖାଲି ସେତିକି ନୁହେଁ ବହୁ ବୃକ୍ଷ ରୋପଣ ସହିତ ପକ୍ଷୀମାନଙ୍କ ପାଇଁ ନଡ଼ିଆ କତାରେ ପକ୍ଷୀବସା, ଖାଦ୍ୟ, ପାଣି, ପଶୁମାନଙ୍କ ପ୍ରତି ସୁରକ୍ଷା, ଜଙ୍ଗଲ ସୁରକ୍ଷା ସମ୍ପର୍କିତ ନାଟକ ନିଜେ ଲେଖି ପିଲାଙ୍କ ଦ୍ୱାରା ପଥପ୍ରାନ୍ତ ନାଟକ “ଜଙ୍ଗଲ ଦେଇଛି ଜୀବନ ପ୍ରାଣ” ପରିବେଷିତ କରାଇଥିଲେ। ଶ୍ରୀ ସାହୁଙ୍କୁ ବାଚସ୍ପତି ସୁରମାପାଢ଼ୀ, ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣ୍ଡେ, ଓଡଗାଁ ତହସିଲଦାର ମାନସ ରଞ୍ଜନ ଭୋଇ, ଓଡ଼ଗାଁ ଶିକ୍ଷା ଅଧିକାରୀ ପିଣ୍ଟୁ ପ୍ରଧାନ ସମେତ ପନ୍ତିଖାରୀ ଗ୍ରାମବାସି ଶୁଭେଚ୍ଛା ଜଣାଇଛନ୍ତି।