ନୟାଗଡ଼,(ନୟାଗଡ଼ ଦର୍ପଣ): ସମଗ୍ର ଶିକ୍ଷା, ନୟାଗଡ଼ ପକ୍ଷରୁ ଆୟୋଜିତ ଭିଜନ ଓଡ଼ିଶା-୨୦୩୬ ଏବଂ ବିକଶିତ ଭାରତ-୨୦୪୭ ସମ୍ପର୍କିତ ସମ୍ବର୍ଦ୍ଧନା ସଭା ସ୍ଥାନୀୟ ନବଘନପୁର ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଶିକ୍ଷାଧିକାରୀ ତଥା ପ୍ରକଳ୍ପ ସଂଯୋଜକ ଚିତ୍ତରଞ୍ଜନ ପାଣ୍ଡେଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପ୍ରବନ୍ଧ ଏବଂ ଚିତ୍ରକଳା ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ୧୧ ଜଣ ଛାତ୍ରଛାତ୍ରୀଙ୍କୁ ପ୍ରମାଣ ପତ୍ର ପ୍ରଦାନ ସହିତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଜିଲ୍ଲା ଅନୁସୂଚିତ ଜାତି ଓ ଜନଜାତି ସଂଯୋଜିକା ଶୁଭସ୍ମିତା ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସଭାରେ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରିଣୀ ଗୀତାଞ୍ଜଳି ସାହୁ,ବନଲତା ବେହେରା ଏବଂ ସନ୍ଧ୍ୟାରାଣୀ ରାଉତ ପ୍ରମୁଖ ଯୋଗଦାନ କରି ଛାତ୍ରଛାତ୍ରୀ ମାନଙ୍କୁ ଆଗାମୀ ଦିନରେ ରାଜ୍ୟ ତଥା ଦେଶର ବିକାଶରେ ସହାୟକ ହୋଇ ଏକ ଉତ୍ତମ ନାଗରିକ ଭାବେ ନିଜକୁ ଗଢ଼ି ତୋଳିବାକୁ ପରାମର୍ଶ ଦେଇଥିଲେ। ସନ୍ଧ୍ୟା ସମୟରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନେ ଜିଲ୍ଲା ବିକାଶ ମେଳାର ମୁଖ୍ୟ ଅତିଥି ରାଜ୍ୟ ହସ୍ତତନ୍ତ ଓ ବୟନଶୀଳ୍ପ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ଏବଂ ଜିଲ୍ଲାପାଳ ଓ ଅନ୍ୟାନ୍ୟ ଅତିଥି ମାନଙ୍କଠାରୁ ପୁରସ୍କାର ଭାବେ ନଗଦ ଅର୍ଥରାଶି ଗ୍ରହଣ କରିଥିଲେ। ପ୍ରଥମ ସ୍ଥାନ ଅଧିକାର କରିଥିବା କୃତି ପ୍ରତିଯୋଗୀଙ୍କୁ ୫ ହଜାର, ଦ୍ୱିତୀୟ ସ୍ଥାନ ପ୍ରତିଯୋଗୀଙ୍କୁ ୩ ହଜାର ଏବଂ ତୃତୀୟ ସ୍ଥାନ ହାସଲ କରିଥିବା ପ୍ରତିଯୋଗୀଙ୍କୁ ୨ ହଜାର ଟଙ୍କା ଲେଖାଏଁ ନଗଦ ଅର୍ଥରାଶି ପୁରସ୍କାର ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ପିଲାମାନଙ୍କ ସହିତ ସେମାନଙ୍କ ପିତାମାତା ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଯୋଗଦାନ କରିଥିଲେ।
ଭିଜନ ଓଡ଼ିଶା ଏବଂ ବିକଶିତ ଭାରତ ପ୍ରତିଯୋଗିତାରେ ପିଲାମାନଙ୍କୁ ଜିଲ୍ଲାସ୍ତରୀୟ ସମ୍ବର୍ଦ୍ଧନା
