ଶରଣକୁଳ,(ନୟାଗଡ଼ ଦର୍ପଣ)ଶରଣକୁଳ ନିକଟବର୍ତ୍ତୀ ପଞ୍ଚିରିଡ଼ା ମାନପୁରସ୍ଥ ଲୋକ ନୋଡ଼ାଲ ବିଦ୍ୟାପୀଠର ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ବିଦ୍ୟାଳୟର ପରିସରରେ ଗୁରୁବାରରେ ମହା ସମାରୋହରେ ପାଳିତ ହୋଇ ଯାଇଛି। ଏହି ଅବସରରେ ଅତିଥି ମାନଙ୍କର କରକମଳରେ କବି ସୁରେଶ ବରାଡ଼ଙ୍କ ‘ତୁଳସୀ ଦୁଇପତ୍ରରୁ ବାସେ’ ଶିଶୁ ସାହିତ୍ୟ ପୁସ୍ତକ ଲୋକାର୍ପିତ ହୋଇ ଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଦ୍ଵୈତ ନାରାୟଣ ରଣସିଂହଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ ଶିକ୍ଷା, ସାହିତ୍ୟ ଓ ସଂସ୍କୃତି ଗବେଷକ ନୟାଗଡ଼ ସ୍ବୟଂଶାସିତ ମହାବିଦ୍ୟାଳୟର ଓଡ଼ିଆ ଭାଷା ସାହିତ୍ୟ ବିଭାଗର ପ୍ରାକ୍ତନ ମୁଖ୍ୟ ପ୍ରାଧ୍ୟାପକ ଡ. ଗୋବିନ୍ଦ ଚନ୍ଦ୍ର ଦାଶ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ “ଶିକ୍ଷା ଶିଶୁର ଚାରିତ୍ରିକ ଶୃଙ୍ଖଳା, ଶୈକ୍ଷିକ ତଥା ବୌଦ୍ଧିକ ବିକାଶର ଚାବିକାଠି, ଶିକ୍ଷା ବିନା ରାଜ୍ୟ ତଥା ଦେଶର ପ୍ରଗତି ଅସମ୍ଭବ’, ବୋଲି ମତବ୍ୟକ୍ତ କରିଥିଲେ। ଶରଣକୁଳ ମହାବିଦ୍ୟାଳୟର ରାଜନୀତି ବିଜ୍ଞାନର ଅଧ୍ୟାପକ ଅନ୍ତର୍ଯ୍ୟାମୀ ପରିଡ଼ା ମୁଖ୍ୟ ବକ୍ତା ରୂପେ ଯୋଗ ଦେଇ ଶିଶୁର ଅନ୍ତର୍ନିହିତ ଗୁଣ ପରିପ୍ରକାଶର ପ୍ରମୁଖ ସ୍ଥଳ ହେଉଛି ବିଦ୍ୟାଳୟ ଓ ବାର୍ଷିକ ଉତ୍ସବ ହେଉଛି ଏହାର ମାଧ୍ୟମ ବୋଲି ବକ୍ତବ୍ୟ ରଖିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ପଞ୍ଚିରିଡ଼ା ମାନପୁର ଗ୍ରାମ ପଞ୍ଚାୟତର ସରପଞ୍ଚ ସୌଭାଗିନୀ ସାହୁ, ଶରଣକୁଳ ସି.ଆର.ସି.ସି ଗୋଦାବରୀ ବସନ୍ତିଆ, ପଞ୍ଚିରିଡ଼ା ମାନପୁର ଗ୍ରାମ ପଞ୍ଚାୟତର ସମିତି ସଭ୍ୟ ଜଗନ୍ନାଥ ସାହୁ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଗୀତା ପ୍ରବଚକ ବୈକୁଣ୍ଠ ନାଥ ପ୍ରଧାନ ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗଦେଇ ଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅତିଥିମାନେ ମହାପ୍ରଭୁ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ଜ୍ଵଳନକରିଥିଲେ। ଶିକ୍ଷକ ରାଜେଶ ମାହାର ବେଦମନ୍ତ୍ର ପାଠ କରିବା ପରେ ପରେ ବାଳିକା ମାନଙ୍କର ସ୍ବାଗତ ସଂଗୀତ ଓ ବାଳକ ବାଳିକା ମାନଙ୍କର ପ୍ରତିଯୋଗିତା ମୂଳକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
ଏହାର ବିଚାରକ ରୂପେ କବି କୁସୁମ ନିରାକାର ସ୍ବାଇଁ ଓ କବି କଲ୍ଲୋଳ ଗୋଦାବରୀ ବସନ୍ତିଆ କାର୍ଯ୍ୟଭାର ତୁଲାଇଥିଲେ। ଅନୁଷ୍ଠାନର ବରିଷ୍ଠ ଶିକ୍ଷକ ଡ. ସୁରେଶ ଚନ୍ଦ୍ର ବରାଡ଼ ମଞ୍ଚ ପରିଚାଳନା କରିଥିବା ବେଳେ ଶିକ୍ଷକ ବଣ୍ଟୁ ପ୍ରଧାନ ଅତିଥି ପରିଚୟ ପ୍ରଦାନ କରିଥିଲେ ଓ ଶିକ୍ଷକ ଚିନ୍ତାମଣି ମହାରଣା ବାର୍ଷିକ ବିବରଣୀ ପଠନ କରିଥିଲେ। ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କର ପସନ୍ଦ ଅନୁସାରେ ବରିଷ୍ଠ ଶିକ୍ଷକ ଡ. ସୁରେଶ ଚନ୍ଦ୍ର ବରାଡ଼ଙ୍କୁ ‘ପ୍ରିୟ ଗୁରୁଜୀ’ ଓ ମାଳତୀ ବେହେରାଙ୍କୁ ‘ପ୍ରିୟ ଗୁରୁମା’ ରୂପେ ଉପହାର ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ପଞ୍ଚିରିଡ଼ା ମାନପୁର ଗ୍ରାମର ସ୍ବୀୟ ପ୍ରତିଭାରେ ପ୍ରତିଭାତ ଡା.ସୂର୍ଯ୍ୟ ନାରାୟଣ ସାହୁ ଓ ପ୍ରାଧ୍ୟାପକ ଦାଶରଥି ବିଶ୍ଵାଳଙ୍କୁ ଉତ୍ତରୀୟ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଅତିଥି ମାନଙ୍କର କରକମଳରେ କବି ସୁରେଶ ବରାଡ଼ଙ୍କ ‘ତୁଳସୀ ଦୁଇପତ୍ରରୁ ବାସେ’ ଶିଶୁ ସାହିତ୍ୟ ପୁସ୍ତକ ଲୋକାର୍ପିତ ହେବା ପରେ କବି ନିରାକାର ସ୍ବାଇଁ ପୁସ୍ତକ ସମୀକ୍ଷା କରିଥିଲେ। ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ଅତିଥି ମାନେ ପ୍ରମାଣପତ୍ର ଓ ଟ୍ରଫି ପୁରସ୍କାର ଆକାରରେ ପ୍ରଦାନ କରିଥିଲେ। ଶିକ୍ଷକ ଅଶୋକ ମହାପାତ୍ର ଓ ଶିକ୍ଷୟିତ୍ରୀ ଆରାଧନା ଗୌଡ଼ ତଥା ଗଙ୍ଗୋତ୍ରୀ ପ୍ରଧାନଙ୍କ ସଂଯୋଜନାରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଶିକ୍ଷକ କୃପାସିନ୍ଧୁ ମିଶ୍ର, ରମେଶ ମହାନ୍ତି, ମନୋରଂଜନ ରାଉତ, ଶୁଭେନ୍ଦୁ ପରିଡ଼ା, ଶିକ୍ଷୟିତ୍ରୀ ମାଳତୀ ବେହେରା, ମାଳତୀ ଦେଈ, ଶିକ୍ଷା ସହାୟକ ଜଗନ୍ନାଥ ବାରିକ, ଶିବାନୀ ବାଘ ଓ ଟୁନୀ ପ୍ରଧାନ ସହଯୋଗ କରିଥିଲେ। ଶିକ୍ଷକ ପ୍ରେମାନନ୍ଦ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।