ରଣପୁର,(ନୟାଗଡ଼ ଦର୍ପଣ): ସିଆଇଟିୟୁ ନେତୃତ୍ୱରେ ଓଡିଶା ଆଶା କର୍ମୀ ଆସୋସିଏସନ, ରଣପୁର ବ୍ଲକ କମିଟି ତରଫରୁ ୧୭ ଦଫା ସମ୍ବଳିତ ଦାବୀ ଉପରେ ରାଜ ସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସମ୍ମୁଖରେ ଗଣ ବିକ୍ଷୋଭ ହୋଇଥିଲା ବେଳେ ଆଶାକର୍ମୀଙ୍କ ମାର୍ଚ୍ଚ ୧୦ ତାରିଖରୁ ରାଜ୍ୟ ବିଧାନସଭା ସମ୍ମୁଖରେ କାର୍ଯ୍ୟ ବନ୍ଦ ଆନ୍ଦୋଳନକୁ ସଫଳ କରିବାକୁ ସଂଗଠନ ତରଫରୁ ଆହ୍ୱାନ ଦିଆଯାଇଛି। ଶତାଧିକ ଆଶା କର୍ମୀଙ୍କ ପକ୍ଷରୁ ଏକ ଶୋଭାଯାତ୍ରା ରାଜ ସୁନାଖଳା ଦକ୍ଷିଣକାଳୀ ଠାରୁ ବାହାରି ବଜାର ପରିକ୍ରମା କରି ରାଜ ସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସମ୍ମୁଖରେ ଗଣ ବିକ୍ଷୋଭ କରା ଯାଇଥିଲା। ଜାମିନି ରାଣୀ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବିକ୍ଷୋଭ ସଭାରେ ବକ୍ତାମାନେ କେନ୍ଦ୍ର ମୋଦୀ ସରକାର ଓ ରାଜ୍ୟ ମୋହନ ସରକାରଙ୍କ ଶ୍ରମିକ ମାରଣ ନୀତିକୁ ତୀବ୍ର ସମାଲୋଚନା କରିଥିଲେ।

ଦୀର୍ଘ ୧୯ବର୍ଷ ହେଲା ଆଶା କର୍ମୀମାନେ ସ୍ୱାସ୍ଥ୍ୟ କ୍ଷେତ୍ରରେ ସ୍ବେଚ୍ଛାସେବୀ ଭାବେ କାର୍ଯ୍ୟକରି ଏଯାବତ୍ ନିୟମିତ କର୍ମଚାରୀର ମାନ୍ୟତା ପାଇ ନ ଥିଲା ବେଳେ ସର୍ବନିମ୍ନ ଦରମା ମଧ୍ୟ ନାହିଁ। ଫଳରେ ଆଶା କର୍ମୀମାନେ ସ୍ୱଳ୍ପ ପାଉଣା ପାଇ, ନାହିଁ ନ ଥିବା ହଇରାଣ ହେଉଛନ୍ତି ବୋଲି ବକ୍ତା ମାନେ ମତ ରଖିଥିଲେ। କେନ୍ଦ୍ର ସରକାର ୧୧ ବର୍ଷରେ ଏଗାର ଟଙ୍କା ଆଶା କର୍ମୀଙ୍କୁ ଦେଇ ନ ଥିଲା ବେଳେ ରାଜ୍ୟ ମୋହନ ସରକାର ପ୍ରତିଶୃତି ଦେଇ ଏଯାବତ୍ କିଛି ଦେଲେ ନାହିଁ। କେରଳ ସରକାର ଆନ୍ଧ୍ର ସରକାର ଆଶା କର୍ମୀଙ୍କୁ ୧୦ ହଜାର ରୁ ୧୮ହଜାର ଟଙ୍କା ମାସିକ ଦରମା ସହ ପ୍ରୋତ୍ସାହନ ରାଶି ପାଉଥିଲା ବେଳେ ଆମ ରାଜ୍ୟରେ ଆଶା କର୍ମୀମାନେ ଏଥିରୁ ବଞ୍ଚିତ ହେଉଛନ୍ତି। ସରକାର ତୁରନ୍ତ ନିୟମିତ କର୍ମଚାରୀର ମାନ୍ୟତା, ମାସିକ ସର୍ବନିମ୍ନ ଦରମା ୨୬୦୦୦ ହଜାର ଟଙ୍କା ଓ ପେନସନ ୧୦୦୦୦ ଟଙ୍କା, ମୃତ୍ୟୁ ଓ ଅବସର କାଳୀନ ୧୦ଲକ୍ଷ ଟଙ୍କା ଓ ସାମାଜିକ ସୁରକ୍ଷା ଯୋଗାଇ ଦେବାପାଇଁ ବକ୍ତାମାନେ ଦାବୀ କରିଥିଲା ବେଳେ ୧୭ ଦଫା ସମ୍ବଳିତ ଦାବୀ ପତ୍ର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଜଗଦ୍ଦୀଶ ଜେନାଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ କରିବା ସହ ଆଶା କର୍ମୀଙ୍କ ବିଭିନ୍ନ ସ୍ଥାନୀୟ ସମସ୍ୟା ଗୁଡିକ ଉପରେ ଆଲୋଚନା କରିବାରେ ଆସନ୍ତା ମାର୍ଚ୍ଚ ଶେଷ ସୁଦ୍ଧା ସମସ୍ତ ସ୍ଥାନୀୟ ସମସ୍ୟା ସମାଧାନ କରିବା ପାଇଁ ପ୍ରତିଶୃତି ଦେଇଥିଲେ ।
ରାଜ୍ୟ ସରକାର ୧୭ ଦଫା ସମ୍ବଳିତ ଦାବୀ ଗୁଡିକୁ ତୁରନ୍ତ ପୂରଣ ନ କଲେ ଆସନ୍ତା ମାର୍ଚ୍ଚ ୧୦ ତାରିଖରୁ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରାଯିବ। ସମସ୍ତ ଆଶା କର୍ମୀ ରାଜ୍ୟ ସ୍ତରରେ କାର୍ଯ୍ୟ ବନ୍ଦ ଆନ୍ଦୋଳନରେ ଯୋଗଦେଇ ସଫଳ କରିବାକୁ ସଂଗଠନ ତରଫରୁ ଆହ୍ୱାନ ଦିଆଯାଇଥିଲା। ଏହି ଆନ୍ଦୋଳନ ରେ ସଂଗଠନ ର ରାଜ୍ୟ ଉପସଭାପତି ସୁରେଶ ସ୍ୱାଇଁ, ଜିଲ୍ଲା ସଭାପତି ଚାପ ଧାରୀ ରାଉତ, ରାଜ୍ୟ ନେତ୍ରୀ ସଂଯୁକ୍ତା ସେଠୀ, ବ୍ଲକ ସମ୍ପାଦିକା ସ୍ମୃତିରେଖା ସେନାପତି, ଦଃଶାସନ ଜେନା, ଭିକାରୀ ଚରଣ ସାହୁ, ରଞ୍ଜୁଲତା ମହାପାତ୍ର, ସଞ୍ଜୁଲତା ପରିଡା, ଅହଲ୍ୟା ପେଲା, ସରୋଜିନୀ ସାହୁ, ଧନେଶ୍ୱର ପ୍ରଧାନ ପ୍ରମ୍ମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ।