ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲାର ଢିଲା ପ୍ରଶାସନିକ ବ୍ୟବସ୍ଥା ପାଇଁ ବିଭିନ୍ନ ମଠ ମନ୍ଦିର ସମ୍ପତି ସୁରକ୍ଷିତ ନାହିଁ। କେହି ଦୁର୍ବୁତ୍ତ କ୍ରମାଗତ ଭାବେ ବଡପଣ୍ଡୁସର ଉଗ୍ରେଶ୍ୱର ମହାଦେବ ମନ୍ଦିର, ଓଡଗାଁ ଦୁତିକେଶ୍ୱର ମହାଦେବ ମନ୍ଦିର, ନୟାଗଡ ଜଗନ୍ନାଥ ମନ୍ଦିର ଏବଂ ଗୋପୀନାଥ ମନ୍ଦିର, ଦକ୍ଷିଣକାଳୀ ମନ୍ଦିରରେ ସମାନ ପ୍ରକ୍ରିୟାରେ ଚୋରି ହୋଇ ଠାକୁରଙ୍କ ବହୁପୁରାତନ ମୂଲ୍ୟବାନ ମୂର୍ତ୍ତି, ବିଭିନ୍ନ ପ୍ରକାର ସୁନାରୂପା ଅଳଙ୍କାର ଏବଂ ଦାନ ହୁଣ୍ଡୀ ଭାଙ୍ଗି ଲକ୍ଷାଧିକ ଟଙ୍କା ଚୋରି ହୋଇଯିବା ପରେ ମଧ୍ୟ ଚୋରଙ୍କୁ ଧରିବା ଏବଂ ଚୋରି ଯାଇଥିବା ଠାକୁରଙ୍କ ସମ୍ପତ୍ତି ଉଦ୍ଧାର ହୋଇ ପାରୁନାହିଁ ନୟାଗଡ଼ ପୋଲିସ। ଜିଲ୍ଲାର ପ୍ରତିଷ୍ଠିତ ମନ୍ଦିର ମାନଙ୍କରେ ଯେତିକି ପୋଲିସ ସୁରକ୍ଷା ଯୋଗାଇ ଦିଆଯିବା କଥା ସେତିକି ହୋଇନଥିବାରୁ ଜିଲ୍ଲା ପୋଲିସ ଏବଂ ପ୍ରଶାସନ କାର୍ଯ୍ୟଦକ୍ଷତାଙ୍କୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ନୟାଗଡ ଜଗନ୍ନାଥ ମନ୍ଦିରରେ ବାର୍ଷିକ କୋଟିକୋଟି ଟଙ୍କା ଖର୍ଚ୍ଚ ହେଉଛି କିନ୍ତୁ ଆଜି ଯାଏଁ ସିସିଟିଭି କ୍ୟାମେରା ସଂଯୋଗ ହୋଇପାରି ନାହିଁ। ସେଥିପାଇଁ ଜଗନ୍ନାଥ ମନ୍ଦିରରୁ ଠାକୁରଙ୍କ ପ୍ରାୟ ୧୩୦୦ ଗ୍ରାମ ଅଳଙ୍କାର ସମେତ ହୁଣ୍ଡୀ ଭାଙ୍ଗି ଲକ୍ଷାଧିକ ଟଙ୍କା ନେଇଯିବା ପରେ ମଧ୍ୟ ପୋଲିସ ଚୋର ସମ୍ପର୍କରେ ସୁରାକ ପାଇପାରୁନି। ଏହି ଢିଲା ବ୍ୟବସ୍ଥା ପାଇଁ ସ୍ଥାନୀୟ ଉପଜିଲ୍ଲାପାଳ ତଥା ଦେବୋତ୍ତର କାର୍ୟନିର୍ବାହୀ ଅଧିକାରୀ ନିଶ୍ଚିତ ପକ୍ଷେ ଉତ୍ତରଦାୟୀ। ମଠମନ୍ଦିର ମାନଙ୍କରୁ କ୍ରମାଗତ ଭାବେ ଚୋରି ଖବର ଜିଲ୍ଲାବାସୀଙ୍କ ଭାବାବେଗକୁ କୁଠାରଘାତ କରିଛି। ଜିଲ୍ଲାର ବିଭିନ୍ନ ପ୍ରତିଷ୍ଠିତ ମଠମନ୍ଦିରମାନଙ୍କରେ ସୁରକ୍ଷା ବ୍ୟବସ୍ଥା କଡାକଡି ପାଇଁ ଆବଶ୍ୟକୀୟ ପୋଲିସ ମୁତୟନ କରାଯାଉ। ଚୋରଙ୍କୁ ଠାବ ସହିତ ଠାକୁରଙ୍କ ମୂଲ୍ୟବାନ ଅଳଙ୍କାର ଗୁଡିକୁ ଉଦ୍ଧାର କରିବା ପାଇଁ କ୍ରାଇମବ୍ରାଞ୍ଚ ପୋଲିସ ଟାସ୍କଫୋର୍ସ ଗଠନ କରିବା ପାଇଁ ମାନ୍ୟବର ଆଇନ ମନ୍ତ୍ରୀ ନିର୍ଦ୍ଦେଶ ପ୍ରଦାନ କରନ୍ତୁ ବୋଲି ନୟାଗଡ଼ ଜିଲ୍ଲା କଂଗ୍ରେସର ପୂର୍ବତନ ସଭାପତି ତଥା ଆଇନଜୀବୀ ରଣଜିତ ଦାଶ ରାଜ୍ୟ ସରକାରଙ୍କ ଆଇନ ବିଭାଗ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ଚିଠି ଲେଖିଛନ୍ତି।
ନୟାଗଡ଼ରେ କ୍ରମାଗତ ମନ୍ଦିର ଚୋରିକୁ ନେଇ ଜିଲ୍ଲା କଂଗ୍ରେସ ପକ୍ଷରୁ ଆଇନ ମନ୍ତ୍ରୀଙ୍କୁ ଚିଠି
