ଜଙ୍ଗଲ ଜମିରେ ନିର୍ମିତ ବେଆଇନ ପଞ୍ଚାୟତ ଅଫିସକୁ ଭାଙ୍ଗିବା ଲାଗି ନିର୍ଦ୍ଦେଶ ଦେଲେ ଜାତୀୟ ଗ୍ରୀନ୍ ଟ୍ରିବୁନାଲ

ରଣପୁର,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ରଣପୁର ବ୍ଲକ ଝାଡପଡା ପଞ୍ଚାୟତରେ ଜଙ୍ଗଲ ଜମି ଉପରେ ବେଆଇନ ଭାବେ ନିର୍ମାଣ କରା ଯାଇଥିବା ପଞ୍ଚାୟତ ଗୃହକୁ ହଟାଇବା ପାଇଁ ଜାତୀୟ ଗ୍ରୀନ୍ ଟ୍ରିବୁନାଲ୍(ଏନ୍.ଜି.ଟି) ରାଜ୍ଯ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ଏହି ଘଟଣାର ତଦନ୍ତ ପାଇଁ ନୟାଗଡ ଜିଲ୍ଲାପାଳ, ଖୋର୍ଦ୍ଧା ଡି.ଏଫ୍.ଓ ଓ ରାଜ୍ଯ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଜଣେ ବୈଜ୍ଞାନିକଙ୍କୁ ନେଇ ତିନି ଜଣିଆ କମିଟି ଗଠନ କରାଯାଇଥିଲା। ଏହି ମାମଲାରେ ରାଜ୍ଯ ସରକାର, ରାଜ୍ଯ ଓ କେନ୍ଦ୍ର ପରିବେଶ ଓ ଜଙ୍ଗଲ ବିଭାଗ, ରାଜସ୍ଵ ବିଭାଗ ସଚିବ, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ନୟାଗଡ ଜିଲ୍ଲାପାଳ, ନୟାଗଡ ଏସ୍.ପି, ରଣପୁର ତହସିଲଦାର୍, ଝାଡପଡା ପଞ୍ଚାୟତର ସରପଞ୍ଚ ଓ ଝାଡପଡା ଗ୍ରାମର ଅନ୍ଯ ଜଣେ ବ୍ଯକ୍ତିଙ୍କୁ ନୋଟିସ୍ ଜାରି ହୋଇଥିଲା।

ଝାଡପଡା ଗାଁ’ ର ନିତ୍ଯାନନ୍ଦ ଜେନାଙ୍କ ସମ୍ମତି କ୍ରମେ କିଛି ବର୍ଷ ତଳେ ସେହି ମୌଜାର ଖାତା ନମ୍ବର ୩୮୭ ଓ ପ୍ଲଟ୍ ନମ୍ବର ୧୭୯୩ ରେ ଗ୍ରାମର ଏକ ସ୍ୱତନ୍ତ୍ର ଗୋଷ୍ଠୀ ବେଆଇନ୍ ଭାବେ ଏକ ଗୃହ ନିର୍ମାଣ କରିଥିଲେ । କାରଣ ଏହି ଜମିର ସାବିକ କିସମ ଜଙ୍ଗଲ ଥିବାରୁ ଏଠାରେ ବିନା ଅନୁମତିରେ କୌଣସି ନିର୍ମାଣ କାର୍ଯ୍ଯ କରିହେବ ନାହିଁ କିମ୍ବା ଏହି ଜମି କାହାକୁ ହସ୍ତାନ୍ତର କରା ଯାଇପାରିବ ନାହିଁ। ଏହା ପରେ ସେହି ଘରକୁ ଝାଡପଡା ପଞ୍ଚାୟତ ଅଫିସ୍ ଭାବେ ବ୍ଯବହାର କରାଗଲା । ଝାଡପଡା ପଞ୍ଚାୟତ ପକ୍ଷରୁ ସେହି ଖାତା ନମ୍ବରରେ ଥିବା ପ୍ଲଟ ନମ୍ବର ୧୭୯୫କୁ ପଞ୍ଚାୟତ ନାମରେ ହସ୍ତାନ୍ତର କରିବାକୁ ରଣପୁର ତହସିଲ୍ ନିକଟରେ ଆବେଦନ କରିଥିଲେ କିନ୍ତୁ ତହସିଲଦାର୍ ଏହାକୁ ଖାରଜ କରିଥିଲେ। ପରବର୍ତ୍ତୀ ସମୟରେ ପୁଣିଥରେ ପଞ୍ଚାୟତ ପକ୍ଷରୁ ସେହି ପ୍ଳଟକୁ ଆଧାର କରି ଉପ-ଜିଲ୍ଲାପାଳଙ୍କ ନିକଟରେ ଆବେଦନ କରା ଯାଇଥିଲା; ତାହା ମଧ୍ଯ ଖାରଜ ହୋଇ ଯାଇଥିଲା । ଏହି ଜମିର ସାବିକ କିସମ ଜଙ୍ଗଲ ଜମି ହୋଇଥିବାରୁ ଏହା ହସ୍ତାନ୍ତର କରା ଯାଇପାରିବ ନାହିଁ ବୋଲି ଉପ-ଜିଲ୍ଲାପାଳ ତାଙ୍କ ଲିଖିତ ନିର୍ଦ୍ଦେଶରେ କହିଥିଲେ ।

ଏହା ବିରୋଧରେ ପଞ୍ଚାୟତ ପକ୍ଷରୁ ଓଡିଶା ହାଇକୋର୍ଟରେ ମଧ୍ଯ ଅପିଲ କରା ଯାଇଥିଲା । ତାହା ମଧ୍ଯ ଖାରଜ ହୋଇଥିଲା । ପଞ୍ଚାୟତ କାର୍ଯ୍ୟାଳୟ ପାଇଁ ଆଉ ଏକ ଉପଯୁକ୍ତ ସ୍ଥାନ ଚୟନ କରିବାକୁ ହାଇକୋର୍ଟ ପ୍ରସ୍ତାବ ଦେଇଥିଲେ । କିନ୍ତୁ ପଞ୍ଚାୟତ ପକ୍ଷରୁ ପ୍ଲଟ ନମ୍ବର ୧୭୯୩ ରେ ଥିବା ଘର ପାଖରେ ଆଉ ଏକ ଗୃହ ନିର୍ମାଣ କରିବାକୁ ଉଦ୍ଯମ କରିବାରୁ ଗ୍ରାମବାସୀ ବିରୋଧ କରିଥିଲେ । ଏପରିକି ଏହାକୁ ନେଇ ଝାଡପଡା ଗ୍ରାମର ବାସିନ୍ଦା ତଥା ଖୋଦ୍ ଉକ୍ତ ପଞ୍ଚାୟତର ୱ।ର୍ଡ ମେମ୍ୱର (୧ନଂ) ରବିନ୍ଦ୍ର ପ୍ରଧାନ ଏନଜିଟି ନିକଟରେ ମାମଲା କରିଥିଲେ । ଏନଜିଟି ନିର୍ଦ୍ଦେଶରେ ଗଠନ ହୋଇଥିବା କମିଟି ତଦନ୍ତ କରି ଜଙ୍ଗଲ ଜମି ଉପରେ ବେଆଇନ୍ ଗୃହ ନିର୍ମାଣ କରା ଯାଇଥିବା ରିପୋର୍ଟ ଦେଇଥିଲେ । ରାଜ୍ଯ ସରକାର ମଧ୍ଯ ଏହି ରିପୋର୍ଟ ଅନୁସାରେ କାର୍ଯ୍ଯାନୁଷ୍ଠାନ ହେବା ଆବଶ୍ଯକ ବୋଲି କହିଥିଲେ । ଏହି ଆଧାରରେ ଜଙ୍ଗଲ ଜମି ଉପରେ ବେଆଇନ ଗୃହ ନିର୍ମାଣକୁ ଭାଙ୍ଗିବା ସହ ନୂତନ ନିର୍ମାଣ ଉପରେ ରୋକ ଲଗାଇବାକୁ ଏନଜିଟି ନିର୍ଦେଶ ଦେଇଛନ୍ତି । ଏକ ମାସ ମଧ୍ଯରେ ଏହି ବେଆଇନ୍ ଘରକୁ ଭାଙ୍ଗିବା ଲାଗି ନୟାଗଡ ଜିଲ୍ଲାପାଳଙ୍କୁ ଟ୍ରିବୁନାଲ୍ ନିର୍ଦ୍ଦେଶ ଦେଇଛନ୍ତି । ଆବେଦନକାରୀଙ୍କ ପକ୍ଷରୁ ଓଡିଶା ହାଇକୋର୍ଟର ଆଇନଜୀବୀ ଶ୍ରୀ ଅଖଣ୍ଡ ଏହି ମାମଲା ପରିଚାଳନା କରୁଥିଲେ ।

Related posts