ସିନ୍ଦୁରିଆ ଉଚ୍ଚ ବିଦ୍ୟାଳୟରେ ଗପ ଶୁଣିବା ଓ କହିବା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଲା

ନୟାଗଡ଼, (ନୟାଗଡ଼ ଦର୍ପଣ): ଗପ ଆମ ସଂସ୍କୃତିର ଅଭିନ୍ନ ଅଧ୍ୟାୟ। ଗପ ମାଧ୍ୟମରେ ଶିଶୁର ବୌଦ୍ଧିକ ବିକାଶ ହେବା ସହିତ ଭଲ ମଣିଷ ହେବାକୁ ପ୍ରେରିତ ହୋଇଥାଏ। ସେଥିପାଇଁ ଅଜା,ଆଈ ଓ ଜେଜେମା ନାତି ନାତୁଣୀଙ୍କୁ ପିଲାଦିନେ ଗପ ଶୁଣାନ୍ତି। ଧୀରେଧୀରେ ଗପ ଶୁଣିବା ଓ ଶୁଣାଇବା ପ୍ରଥା ବିଲୁପ୍ତ ହେବାକୁ ବସିଲାଣି। ଇଣ୍ଟରନେଟ୍ ର ପ୍ରଚୁର ବ୍ୟବହାର ଆଜି ଆମ ପୁରୁଣା ସଂସ୍କୃତିକୁ ବାଟବଣା କଲାଣି। ପିଲାଟି ଗପ ଶୁଣି ପରେ କହିଥାଏ। ଏହି ପ୍ରଥାକୁ ପୁନଃର୍ଜୀବିତ କରିବା ଉଦ୍ଦେଶ୍ୟରେ ସିନ୍ଦୁରିଆ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ “ଗପ ଶୁଣିବା ଓ କହିବା” କାର୍ଯ୍ୟକ୍ରମ ପ୍ରଧାନଶିକ୍ଷୟିତ୍ରୀ ଝୁମୁରୀ ସାହୁଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଥିଲା।

ଏଥିରେ ପ୍ରଥମରୁ ନବମ ଶ୍ରେଣୀର ପାଖାପାଖି ପଚାଶ ଜଣ ଛାତ୍ରଛାତ୍ରୀ ଖୁବ୍ ସୁନ୍ଦର୍ ସୁନ୍ଦର୍ ଗପ ଶୁଣାଇ ଥିଲେ। ଆଜିର ଏହି ନିଆରା କାର୍ଯ୍ୟକ୍ରମରେ ବିଶିଷ୍ଟ ଶିକ୍ଷାବିତ୍ ତଥା ସୁସାହିତ୍ୟିକ ସୁଦର୍ଶନ ପ୍ରଧାନ ଓ ଯୁବ କଥାକାର ତଥା ଅଧ୍ୟାପିକା ଡ. ବିନ୍ଦୁଲତା ଷଣ୍ଢ ଅତିଥି ଭାବରେ ଯୋଗଦେଇ ଛାତ୍ରଛାତ୍ରୀଙ୍କ ଠାରୁ ଗପ ଶୁଣିବା ସହିତ ନିଜେ ପିଲାଙ୍କୁ ଗପ ଶୁଣାଇଥିଲେ। ବାରଜଣ କୁନି ଗାଳ୍ପିକ ଓ ଗାଳ୍ପିକାଙ୍କୁ କାର୍ଯ୍ୟକ୍ରମ ଶେଷରେ ପୁରସ୍କୃତ କରାଯାଇଥିଲା। ବିଦ୍ୟାଳୟର ମୋ ସ୍କୁଲ୍ କମିଟି ସଭାପତି ଭଗବାନ୍ ଜେନା,ବିଦ୍ୟାଳୟ ପରିଚାଳନା କମିଟି ସଭାପତି ନାରାୟଣ ସାହୁ ଓ ଓଡ଼ଗାଁ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ପ୍ରାଧ୍ୟାପକ ଉମାର ମଲ୍ଲିକ ମଧ୍ୟ ଉପସ୍ଥିତ ଥାଇ ପିଲାଙ୍କୁ ଗପ ଶୁଣାଇଥିଲେ। ଆଜିର ଏହି କାର୍ଯ୍ୟକ୍ରମକୁ ବରିଷ୍ଠ ସହକାରୀ ଶିକ୍ଷକ ଶେଖ୍ ଅବଦୁଲ୍ ଖାଲିକ୍ ସଂଯୋଜନା କରିଥିବା ବେଳେ ସହକାରୀ ଶିକ୍ଷୟିତ୍ରୀ ପ୍ରବାସିନୀ ମିଶ୍ର, ନିଶାମଣି ମିଶ୍ର, ସବିତା ପଟ୍ଟନାୟକ, ଜ୍ୟୋତିର୍ମୟୀ ରାଉତ, ରଶ୍ମୀ ରଞ୍ଜିତା ବେହେରା, ତାଯୁଦ୍ଦିନ ଖାଁ, ସଲିମ୍ ଇବ୍ରାହିମ୍, ତ୍ରିପୁରା ସେଠୀ, ଅବଦୁଲ୍ ୱାହିଦ୍ ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀ ପିଲାମାନଙ୍କୁ ଗପ କହିବା ପାଇଁ ପ୍ରେରିତ କରିଥଲେ। ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଏତାଦୃଶ କାର୍ଯ୍ୟକ୍ରମକୁ ଅଭିଭାବକ ମହଲରେ ଖୁବ୍ ପ୍ରଶଂସା କରାଯାଇଛି।

Related posts