ନୟାଗଡ଼, (ନୟାଗଡ଼ ଦର୍ପଣ): ପାଖେଇ ଆସୁଛି ଗ୍ରୀଷ୍ମ ଋତୁ। ଜଙ୍ଗଲ ନିଆଁ ରୋକିବା ପାଇଁ ଅରୋମୀରା ଟ୍ରଷ୍ଟ ପ୍ରତିଷ୍ଠାତା ସୁକାନ୍ତ ଚୌଧୁରୀଙ୍କ ଭିନ୍ନ ପ୍ରୟାସ। ଗ୍ରୀଷ୍ମ ଋତୁରେ ବାୟୁ ମଣ୍ଡଳର ଉଷ୍ମତା ସହିତ ଜଙ୍ଗଲ ନିଆଁ ଜନ ଜୀବନକୁ ଅସ୍ତ ବ୍ୟସ୍ତ କରି ଦେଇଥାଏ। ଏହି ନିଆଁ ଜଙ୍ଗଲ, ପଶୁ ପକ୍ଷୀଙ୍କ ଅକାଳ ମୃତ୍ୟୁ ଆଣିବା ସହିତ ଉପକାରୀ ଉଭିଦମାନଙ୍କୁ ପୋଡ଼ି ଜାଳି ନଷ୍ଟ କରିବା ସହ ଜୈବ ଭାରସାମ୍ୟ ନଷ୍ଟ କରି ଦେଇଥାଏ।ଚଳିତ ବର୍ଷ ଅଧିକ ଉତ୍ତାପ ବୃଦ୍ଧିର ପୂର୍ବାନୁମାନକୁ ଆଖି ଆଗରେ ରଖି ଆଗୁଆ ପଦକ୍ଷେପ ସ୍ୱରୂପ ପୂର୍ବ ବର୍ଷମାନଙ୍କ ପରି ଓଡଗାଁ ବ୍ଲକ୍ କୁରାଳସ୍ଥିତ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଅରୋମୀରା ଟ୍ରଷ୍ଟ ତରଫରୁ ସମ୍ପୂର୍ଣ୍ଣ ମାନବ କୃତ ଜଙ୍ଗଲ ନିଆଁକୁ ରୋକିବା ଲାଗି ଗାଁ କୁ ଗାଁ ବୁଲି ଲୋକମାନଙ୍କୁ ସଚେତନ କରୁଛନ୍ତି ଟ୍ରଷ୍ଟର ପ୍ରତିଷ୍ଠାତା ତଥା ପ୍ରକୃତି ବନ୍ଧୁ ସୁକାନ୍ତ ଚୌଧୁରୀ। ବାହାଡ଼ାଝୋଲା ରିଜର୍ଭ ଶାଳ ବଣରେ ମଧ୍ୟରେ ଅବସ୍ଥିତ ଡହଙ୍ଗି ଗ୍ରାମରୁ ସଚେତନତା କାର୍ଯ୍ୟକ୍ରମର ଶୁଭାରମ୍ଭ ହେବା ସହିତ ଜିଲ୍ଲା ଭିତରେ ଓ ବାହାର ଅଞ୍ଚଳରେ ଏ ଦିଗରେ କାର୍ଯ୍ୟକ୍ରମ ଆଗେଇ ଚାଲିଛି।

ବିଗତ ଦିନରେ ଜଙ୍ଗଲ ନିଆଁ ଓ ପାଳ ପୋଡ଼ି କୁ ରୋକିବା ଦିଗରେ ସମ୍ପୂର୍ଣ୍ଣ ନ ହେଲେ ବି ବହୁ ପରିମାଣରେ ସଫଳତା ଟ୍ରଷ୍ଟର କାର୍ଯ୍ୟକୁ ଆଗେଇ ନେବାରେ ଉତ୍ସାହ ପ୍ରଦାନ କରିଥିବା କଥା ଟ୍ରଷ୍ଟ ପରିଚାଳକ କହିଛନ୍ତି। ଅଳ୍ପ କେତେକ ଖଳ ଲୋକଙ୍କୁ ଛାଡ଼ି ଦେଲେ ଅଧିକାଂଶ ଲୋକ ପ୍ରାକୃତିକ ପାହାଡ ଓ ଜଙ୍ଗଲକୁ ଭଲ ପାଇ ସୁରକ୍ଷା ଦେଇଥାନ୍ତି। ଏହାକୁ ଆଧାର କରି ଲୋକମାନଙ୍କ ମଧ୍ୟରେ ପରିବେଶକୁ ଭଲ ପାଇବାରର ମଞ୍ଜି ବୁଣିବା ପାଇଁ ଶ୍ରୀଯୁକ୍ତ ଚୌଧୁରୀ ଗାଁ କୁ ଗାଁ ବୁଲି ଲୋକଙ୍କ ସୁଖ ଦୁଃଖରେ ଭାଗହେବା ସହିତ ଗାଁ ଗାଁ ରେ ଧରିତ୍ରୀ ମାତାର ପୂଜନ କାର୍ଯ୍ୟକ୍ରମକୁ ଚାଲୁ ରଖିବାରେ ସହାୟତା କରି ଆସୁଛନ୍ତି। ଯାହାଫଳରେ ଗତ ବର୍ଷ ବାହାଡ଼ାଝୋଲା ରିଜର୍ଭ ଶାଳ ବଣ ଏବଂ ସୁନାମୁହିଁ ପଞ୍ଚାୟତ ନିକଟସ୍ଥ ନୟାଗଡ଼ ଓ ଗଞ୍ଜାମ ଜିଲ୍ଲାର ସରହଦରେ ଅବସ୍ଥିତ ପଞ୍ଚୁପାଣ୍ଡବ ପାହାଡ ନିଆଁ ଦାଉରୁ ମୁକ୍ତ ହୋଇଥିବା ସେ ଦୃଢତାର ସହ କହିଛନ୍ତି। ନିଜସ୍ଵ ବ୍ୟବସ୍ଥାରେ ଡାକ ବାଜି ଯନ୍ତ୍ର ସହାୟତାରେ ସଚେତନତାର ଗୀତ ସହିତ
ଜଙ୍ଗଲ ସୁରକ୍ଷା, ଆମରି ରକ୍ଷା,
ବଣ ପଶୁ ପକ୍ଷୀ ଆମର ସାଥି,
କେବେହେଁ ତାଙ୍କର ନ କର କ୍ଷତି,
ଜଙ୍ଗଲରେ ନିଆଁ ଚେଙ୍ଗ ନା ଭାଇ,
ଗଛ ଲତା ପଶୁ ପକ୍ଷୀ ପୋଡ଼ି ମରଇ,
ଜଙ୍ଗଲ ପାହାଡ ନିଆଁ ହୋଇଲେ,
କଲବଲ ଆମେ ହେବା ଟି ଭଲେ,
ନିଆଁ ଲଗାଳି କୁ ଧରାଇ ଦେଲେ,
ପୁରସ୍କାର ତୁମେ ପାଇବ ଭଲେ,
ଆସ ଆମେ ସବୁ ଏକାଠି ହେବା,
ଜଙ୍ଗଲ ନିଆଁକୁ ରୋକିଣ ଦେବା
ଇତ୍ୟାଦି ସ୍ଲୋଗାନ ମାନଦେଇ ଜନ ସଚେତନତା କାର୍ଯ୍ୟକ୍ରମ ଚାଲୁ ରଖିଛନ୍ତି । ବନ ବିଭାଗ ସହିତ ସ୍ଥାନୀୟ ଜନସାଧାରଣ, ପରିବେଶ କର୍ମୀ, ସ୍ବେଚ୍ଛାସେବୀ, ବନ ସୁରକ୍ଷା ସମିତି, ଜନ ପ୍ରତିନିଧି, ରାଜ୍ୟ ସରକାରଙ୍କ ପୁରସ୍କୃତ ପ୍ରକୃତି ବନ୍ଧୁ ଏବଂ ପ୍ରକୃତି ମିତ୍ର, କବି, ଲେଖକ, ଚିତ୍ରକାର, କଳାକାର, ପୋଲିସ ଓ ଅଗ୍ନିଶମ ବିଭାଗ, ଜଙ୍ଗଲ ସୁରକ୍ଷା ମହାସଂଘ, ସ୍ବେଚ୍ଛାସେବୀ ଅନୁଷ୍ଠାନ, ବୁଦ୍ଧିଜିବୀ ତଥା ଗଣମାଧ୍ୟମର ପ୍ରତିନିଧିମାନେ ଆଗେଇ ଆସିବା ସହିତ ଜିଲ୍ଲା ପ୍ରଶାସନ ଅତୀତର ଅନୁଭୂତିକୁ ନେଇ ଆଗୁଆ ପଦକ୍ଷେପ ନେବାକୁ ଟ୍ରଷ୍ଟ ତରଫରୁ ଅନୁରୋଧ କରାଯାଇଛି।
