ଭାରତୀୟ ଅନୁବାଦ ସାହିତ୍ୟ ତରଫରୁ ଅନଲାଇନ୍ ମାଧ୍ୟମରେ ୫ ଟି ରାଜ୍ୟର ୧୫ ଜଣ ଯୁବ କବି ତଥା ଜାତୀୟ ଓ ଆନ୍ତର୍ଜାତୀୟସ୍ତରରେ ଖ୍ୟାତିପ୍ରାପ୍ତ ଅନୁବାଦକମାନଙ୍କୁ ନେଇ ଅନୁଷ୍ଠିତ ହୋଇଥିଲା ଜାତୀୟସ୍ତରର ଅନୂଦିତ କାବ୍ୟପାଠ ଓ ଆଲୋଚନାଚକ୍ର। ” ଶବ୍ଦ ଖୋ ଗୟେ ବସନ୍ତ କେ ଫୁଲୋଁ ମେଁ” ଶୀର୍ଷକ ଏହି କାର୍ଯ୍ୟକ୍ରମରେ , ଅରୁଣାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ନାଗାଲାଣ୍ଡ, ଓଡ଼ିଶା,,ଆସାମ, ରୁ ସାହିତ୍ୟିକମାନେ ପ୍ରତିନିଧିତ୍ଵ କରିଥିବା ବେଳେ ମୁଖ୍ୟବକ୍ତା ଭାବେ ଉତ୍ତରାଖଣ୍ଡର ବିଶିଷ୍ଟ ଲେଖକ, ଅନୁବାଦକ ଗମ୍ଭୀର ସିଂହ ପଲାନୀ ଯୋଗଦେଇ କହିଥିଲେ-ବର୍ତ୍ତମାନ ସାହିତ୍ୟ ରେ ଅନୁବାଦ ଏକ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ଏବଂ ଯୁବ ପିଢୀ ର ଯୋଗଦାନ ଏହି ଆବଶ୍ୟକତା କୁ ସଫଳ କରିପାରିବ। ଭାରତୀୟ ଅନୁବାଦ ସାହିତ୍ୟ ତରଫରୁ ଯୁବ ଅନୁବାଦକମାନଙ୍କୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଅନୁବାଦ ସାହିତ୍ୟ ଆଧାରିତ ବିଭିନ୍ନ କାର୍ଯ୍ୟକ୍ରମରେ ସେମାନଙ୍କୁ ସାମିଲ୍ କରାଯିବା ଏକ ସଫଳ ପଦକ୍ଷେପ। ସମ୍ମାନିତ ଅତିଥି ଭାବେ ଅରୁଣାଚଳ ପ୍ରଦେଶରୁ ଡ.ବର୍ଣ୍ଣାଳୀ ଉପମନ୍ଯୁ ଦାସ, ଉତ୍ତରାଖଣ୍ଡରୁ ପ୍ରଫେସର ପ୍ରିତୀ ଆର୍ଯ୍ୟ ଓ ନିକୀ ପୁଷ୍କର , ଓଡ଼ିଶାରୁ ବରିଷ୍ଠ ଅନୁବାଦଳ ମଧୁସୂଦନ ଦାସ ଯୋଗଦେଇ ଅନୁବାଦ ସାହିତ୍ୟ ବିଭିନ୍ନ ସଂସ୍କୃତି, ପରମ୍ପରା, ସାହିତ୍ୟ କୁ ଯୋଡିବାର ପ୍ରମୁଖ ସେତୁ ଭାବେ କାର୍ଯ୍ୟକରେ ବୋଲି ମତପ୍ରକାଶ କରିଥିଲେ। ଭାରତୀୟ ଅନୁବାଦ ସାହିତ୍ୟ ତରଫରୁ ୨୦୨୫ କୁ ଯୁବ ଅନୁବାଦକଙ୍କ ବର୍ଷ ଭାବେ ଗ୍ରହଣ କରାଯିବା ସହ ବର୍ତ୍ତମାନ ସୁଦ୍ଧା ୧୮ ଟି ରାଜ୍ୟର ଯୁବ ଅନୁବାଦକ ଙ୍କୁ ନେଇ ଅନଲାଇନ ମାଧ୍ୟମରେ ଅନୂଦିତ କାବ୍ୟପାଠ, ଆଲୋଚନାଚକ୍ର ଆଦି ଅନୁଷ୍ଠିତ ହୋଇସାରିଛି। ଯୁବ ଅନୁବାଦକଙ୍କ ଦ୍ୱାରା ବିଭିନ୍ନ ଭାଷାର ଅନୁବାଦ ପୁସ୍ତକ ପ୍ରକାଶନ ଦିଗରେ ନିରନ୍ତର ପ୍ରୟାସ କରାଯାଉଛି ବୋଲି ୨୯ ତମ ଅନଲାଇନ୍ ଆଲୋଚନାଚକ୍ରରେ ଭାରତୀୟ ଅନୁବାଦ ସାହିତ୍ୟର ସଂପାଦକ ଶରତ ଚନ୍ଦ୍ର ଆଚାର୍ଯ୍ୟ ପ୍ରକାଶ କରିଥିଲେ।

ବନ୍ଦନା ମିଶ୍ର ଏବଂ ସଂଘମିତ୍ରା ଶତପଥୀଙ୍କ ସଂଯୋଜନାରେ ନାଗାଲାଣ୍ଡର ଯୁବ ଅନୁବାଦକ ଚିୱଂଗଲୁଙ୍ଗ, ରେପନଗ୍ଳା କିଚୁ,କେଲଭିଲେନିଓ କିଓ , ଉତ୍ତରାଖଣ୍ଡର ଭାରତୀ ଆନନ୍ଦ,ଡ. ଚଞ୍ଚଳ ଗୋସ୍ୱାମୀ, ଅରୁଣାଚଳ ପ୍ରଦେଶର ରିଙ୍ଗୁ ଏଲପ୍ରା, ୱ।ନଗୁ ସୋସିଆ, ଆସାମର ବିଶ୍ୱଜିତ୍ ରାଜବଂଶୀ ପ୍ରମୁଖ ନିଜ ନିଜ ଆଞ୍ଚଳିକ ଲୋକଭାଷାର ଅନୂଦିତ କାବ୍ୟ ପାଠ କରିଥିଲେ। ବିଶେଷ ଭାବେ ଅରୁଣାଚଳ ପ୍ରଦେଶର ଲୋକ ଭାଷା – ନକତେ,ଇବୁ ମିସମି, ନାଗାଲାଣ୍ଡ ର – ତେନିଦିଏ,ଆଓ,ଲିଙ୍ଗମାଈ, ଉତ୍ତରାଖଣ୍ଡ ର – କୁମାୟୁନୀ, ଗଡବାଲୀ ଭାଷାରେ ଅନୂଦିତ କାବ୍ୟପାଠ ସମସ୍ତଙ୍କୁ ବିମୋହିତ କରିଥିଲା। ଭାରତୀୟ ଅନୁବାଦ ସାହିତ୍ୟ ର ଏହି ଅଭିନବ ପଦକ୍ଷେପ ପାଇଁ ବିଭିନ୍ନ ରାଜ୍ୟର ଆଞ୍ଚଳିକ ଲୋକଭାଷା ଏବଂ ଜନଜାତିର ମାତୃଭାଷା ପ୍ରଥମ ଥର ପାଇଁ ଶୁଣିପାରିଲୁ ବୋଲି କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିବା ମହାରାଷ୍ଟ୍ର, କେରଳ, ପଶ୍ଚିମ ବଙ୍ଗ, ଓଡ଼ିଶା, ରାଜସ୍ଥାନ ଆଦିସ୍ଥାନର କବି, ସାହିତ୍ୟିକ ମତବ୍ୟକ୍ତ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ବରିଷ୍ଠ ଅନୁବାଦଳ ସନାତନ ମହାକୁଡ଼ ଧନ୍ୟବାଦ ପ୍ରଦାନ କରିବା ସହ ଆସନ୍ତା ସମୟରେ ତାମିଲ, ତେଲୁଗୁ, ମଲୟାଲମ, କନ୍ନଡ ଭାଷାର ଯୁବ ଅନୁବାଦକମାନଙ୍କୁ ନେଇ ଜାତୀୟସ୍ତରର ସମ୍ମିଳନୀ ଆୟୋଜନ କରାଯିବ ବୋଲି ପ୍ରକାଶ କରିଥିଲେ ।