ନୟାଗଡ଼,(ନୟାଗଡ଼ ଦର୍ପଣ): ‘ସଙ୍ଗୀତଧାରା’ ନୟାଗଡ଼ ପକ୍ଷରୁ ସ୍ଥାନୀୟ ବୁଦ୍ଧ ମଣ୍ଡପ ଠାରେ ଆଜି ଆୟୋଜିତ ଜିଲ୍ଲାସ୍ତରୀୟ ଭକ୍ତି ସଙ୍ଗୀତ ପ୍ରତିଯୋଗିତାର ଗ୍ରାଣ୍ଡ ଫାଇନାଲରେ ନୟାଗଡ଼ ବ୍ଲକର ବିଷ୍ନୁପ୍ରିୟା ବେହେରା ବିଜୟୀ ହୋଇ ୧୧ହଜାର ନଗଦ ରାଶି ସହିତ ନୟାଗଡ଼ ସଙ୍ଗୀତ କଲ୍ଲୋଳ ଉପାଧିରେ ଭୂଷିତ ହୋଇଛନ୍ତି। ସେହିପରି ଦ୍ୱିତୀୟ ସ୍ଥାନରେ ଭାପୁର ବ୍ଲକର ଓମ ପ୍ରକାଶ ମହାରଣା ଏବଂ ତୃତୀୟ ସ୍ଥାନରେ ନୟାଗଡ଼ ବ୍ଲକର ଶୁଚିସ୍ମିତା ଦୋରା ବିଜୟୀ ହୋଇଛନ୍ତି। ସୂଚନାଯୋଗ୍ୟ ଯେ ଜିଲ୍ଲାର ୮ଟି ବ୍ଲକରେ ଅନୁଷ୍ଠିତ ହୋଇଥିବା ବ୍ଲକସ୍ତରୀୟ ପ୍ରତିଯୋଗିତାରୁ ଶ୍ରେଷ୍ଠ ୧୩ ଜଣ ପ୍ରତିଯୋଗୀ ଫାଇନାଲ ପର୍ଯ୍ୟାୟକୁ ମନୋନୀତ ହୋଇଥିଲେ। ତିନି ପର୍ଯ୍ୟାୟରେ ଅନୁଷ୍ଠିତ ଏହି ଗ୍ରାଣ୍ଡ ଫାଇନାଲରେ ବିଚାରକ ଭାବେ ଓଡ଼ିଶାର ଲବ୍ଧ ପ୍ରତିଷ୍ଠିତ ପ୍ରଚ୍ଛଦପଟ କଣ୍ଠଶିଳ୍ପୀ ନମିତାରାଣୀ ଦାଶ,କଣ୍ଠଶିଳ୍ପୀ ରଶ୍ମିତା ଦାଶ ଏବଂ ସଙ୍ଗୀତ ନିର୍ଦ୍ଦେଶକ ତଥା କଣ୍ଠଶିଳ୍ପୀ ଅଶୋକ ସାହୁ ପ୍ରମୁଖ ଯୋଗଦାନ କରି ଶ୍ରେଷ୍ଠ ୩ ଜଣ ବିଜେତାଙ୍କୁ ବାଛିଥିଲେ। ଶେଷରେ ଅନୁଷ୍ଠିତ ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ସୁର ଗନ୍ଧର୍ବ ନବକିଶୋର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ବିଷ୍ନୁପ୍ରିୟାଙ୍କୁ ନୟାଗଡ଼ ସଙ୍ଗୀତ କଲ୍ଲୋଳ ଉପାଧି ସହିତ ମାନପତ୍ର, ଟ୍ରଫି ଏବଂ ନଗଦ ୧୧ ହଜାର ଟଙ୍କା ଅର୍ଥ ରାଶି ପ୍ରଦାନ କରିଥିଲେ। ସେହିପରି ଦ୍ୱିତୀୟ ସ୍ଥାନରେ ଥିବା ଓମ ପ୍ରକାଶଙ୍କୁ ୫ ହଜାର ଏବଂ ତୃତୀୟ ସ୍ଥାନ ଅଧିକାର କରିଥିବା ଶୁଚିସ୍ମିତାଙ୍କୁ ୩ ହଜାର ଟଙ୍କା ଅର୍ଥ ରାଶି ସହିତ ଟ୍ରଫି ଏବଂ ମାନପତ୍ର ପ୍ରଦାନ କରିଥିଲେ।

ଏଥି ସହିତ ଚୂଡ଼ାନ୍ତ ପର୍ଯ୍ୟାୟରେ ଯୋଗଦାନ କରିଥିବା ବିଚାରକ ମାନଙ୍କୁ ଉପଢୌକନ ଏବଂ ମାନପତ୍ର ଦେଇ ମୁଖ୍ୟ ଅତିଥି ସମ୍ବର୍ଦ୍ଧିତ କରିଥିବା ବେଳେ ବ୍ଲକ ପର୍ଯ୍ୟାୟରେ ଅନୁଷ୍ଠିତ ପ୍ରତିଯୋଗିତାର ବିଚାରକ ମାନଙ୍କୁ ମଧ୍ୟ ଅନୁରୂପ ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମକୁ କଣ୍ଠଶିଳ୍ପୀ ପ୍ରଶାନ୍ତ ଦାଶ, ଗୋପୀନାଥ ସେଠୀ ଏବଂ ଜୟଶ୍ରୀ ଦେବୀ ସଂଯୋଜନା କରିଥିବା ବେଳେ ଅନୁଷ୍ଠାନର ସଭାପତି ନାଟ୍ୟଭୂଷଣ ଡ.ବିଜୟ କୁମାର ଚୌଧୁରୀ,ମୁଖ୍ୟ ପୃଷ୍ଠପୋଷକ ସମାଜସେବୀ ପ୍ରମୋଦ ପଟ୍ଟନାୟକ,ସମ୍ପାଦକ କଣ୍ଠଶିଳ୍ପୀ ପ୍ରଶାନ୍ତ କୁମାର ଦାଶ,ସଂଯୋଜକ ଲକ୍ଷ୍ମୀଧର ସାହୁ,ଗୁରୁ ପ୍ରଭାତ କୁମାର ଦାଶ ,ଅଶୋକ ମଲ୍ଲ, ଡ.ଆଶୁତୋଷ ମିଶ୍ର, ପ୍ରଶାନ୍ତ ପଟ୍ଟନାୟକ, ପ୍ରଦୀପ ସାହୁ, ରବୀନ୍ଦ୍ର କୁମାର ସାହୁ, ରଞ୍ଜନ ରଶ୍ମି ଜେନା ପ୍ରମୁଖ ସହଯୋଗ କରିଥିଲେ ।