ହରିଶ ପ୍ରଧାନ(ଗୀତିକଳ୍ପ) ପି.ଟି.ଏସ୍ ରୋଡ଼, ନୟାଗଡ଼
ପ୍ରକୃତିର ଅବଦାନ ଅବର୍ଣ୍ଣନୀୟ । ମାଟି ମା ତା’ର ଅଫୁରନ୍ତ ଆକର୍ଷଣରେ ବାନ୍ଧିରଖେ ମଣିଷକୁ । ଆନମନା କରିବାର କୌଶଳଟି ପ୍ରକୃତି ପାଖରେ ଭରିରହିଛି । ଯେପରି ଅରଣ୍ୟରୁ ଆରଣ୍ୟକ, ବର୍ଣ୍ଣରୁ ବର୍ଣ୍ଣାଳୀ ଆଉ ପ୍ରକୃତିରୁ ପ୍ରାକୃତିକ; ଠିକ ସେପରି ବନରୁ ତପୋବନ ସୃଷ୍ଟି ମାନବ ପାଇଁ ଈଶ୍ୱରଙ୍କ ଆଭୂଷଣ । କଥାଅଛି; ‘ସୁନ୍ଦର ତୃପ୍ତିର ଅବସାଦ ନାହିଁ ଯେତେ ଦେଖୁଥିଲେ ନୂଆ ଦିଶୁଥାଇ’ । ପ୍ରକୃତି ମନ କିଣୁଥାଏ ଆକର୍ଷଣ ବାଣ୍ଟୁଥାଏ । ଏହିପରି ଏକ ଆକର୍ଷଣୀୟ ଏବଂ ମନୋରୋମ ସ୍ଥାନ ହେଉଛି ନୟାଗଡ଼ର ବରକନ୍ୟା ଜଳ ପ୍ରପାତ, ଯାହାର ସୌନ୍ଦର୍ଯ୍ୟ ଓ ପ୍ରାକୃତିକ ପରିବେଶ ମନ ଓ ପ୍ରାଣକୁ ବିମୋହିତ କରିଥାଏ ।
ଜଳପ୍ରପାତ ଦେଖିବାକୁ ସମସ୍ତଙ୍କୁ ଭଲ ଲାଗେ । ଏହି ଜଳ ପ୍ରପାତ ଦେଖିବାକୁ କିଏ ଆମେରିକା ଯାଇ ନାଏଗ୍ରାରେ ପହଁଚୁଛି ତ କିଏ କୋରାପୁଟ ଯାଇ ଡୁଡୁମାରେ ପହଁଚୁଛି । ଭ୍ରମଣରେ ଗଲେ ଅନ୍ୟ ପର୍ଯ୍ୟଟନ ସ୍ଥଳୀ ଦେଖିବା ସଂଗେସଂଗେ ସମସ୍ତେ ଅତି କମରେ ଗୋଟେ ଦିଇଟା ଜଳପ୍ରପାତ ଦେଖି ଫେରିଥାନ୍ତି । ଜଳପ୍ରପାତର ଶୁଭ୍ର ଫେନିଳ ଜଳରାଶିରେ ଗାଧୋଇବାକୁ ଅନେକ ଲୋକ ଭଲ ପାଆନ୍ତି । ଅବଶ୍ୟ ସବୁ ଜଳ ପ୍ରପାତରେ ଗାଧୋଇବା ନିରାପଦ ନୁହେଁ ।
ଓଡ଼ିଶାର ପାହାଡ଼ ପର୍ବତ ଘେରା ଜିଲ୍ଲାମାନଙ୍କରେ ଅନେକ ଜଳ ପ୍ରପାତ ରହିଛି । ସେଥିମଧ୍ୟରୁ ଡୁଡୁମା, ରାଣୀ ଡୁଡୁମା, ଖଣ୍ଡାଧାର, ପ୍ରଧାନପାଟ, ସାନଘାଗରା, ବଡ଼ ଘାଗରା, ବରେହୀପାଣି, ଦେବକୁଣ୍ଡ, ହରିଶଙ୍କର, ଫୁରୁଲି ଝରଣ ଓ ଆହୁରି ଅନେକ ଛୋଟବଡ଼ ପ୍ରପାତ ରହିଛି । କିନ୍ତୁ ବରକନ୍ୟା ଜଳପ୍ରପାତ ସବୁଠାରୁ ଟିକେ ନିଆରା । ଏଠାରେ ତଳକୁ ତଳ କିଛିକିଛି ବାଟ ଛାଡ଼ି ୪ଗୋଟି ପ୍ରପାତ ରହିଛି । ପାହାଡ଼ର ଉପରପଟୁ ପ୍ରଥମ ପ୍ରପାତଟି ସବୁଠାରୁ ସୁନ୍ଦର । ପାହାଡ଼ ଉପରୁ ଲମ୍ପ ପ୍ରଦାନ କରି ଛିଟିକି ପଡୁଥିବାରୁ ଏହା ଅତି ରମଣୀୟ ଲାଗେ ଦେଖିବାକୁ । କିଛି କଷ୍ଟ କରି ପାହାଚ ଚଢ଼ି ଏଠାରେ ପହଂଚିପାରିଲେ ବରକନ୍ୟା ପ୍ରପାତର ମଜା ପାଇହେବ ।
ବରକନ୍ୟା ଜଳପ୍ରପାତ ଖୁବ ଆକର୍ଷଣୀୟ ଓ ଦେଖିବାକୁ ଅତି ସୁନ୍ଦର । ଗଛଲତା ଉହାଡ଼ରେ ଆଚ୍ଛାଦିତ ଏହାର ପଥୁରିଆ ଝରଣା କୁଳୁକୁଳୁ ନାଦରେ ବହିଚାଲିଛି ବର୍ଷତମାମ । ଏଠାରେ ଖରାବର୍ଷା ପାଣି । ଏହା ଏକ ଚିରସ୍ରୋତା ଜଙ୍ଗଲି ଝରଣା । ଏହାର କାଚକେନ୍ଦୁପାଣି ଖୁବ ସୁଶୀତଳ । ଏଠାକାର ଥଣ୍ଡାଳିଆ ପରିବେଶ ପର୍ଯ୍ୟଟକମାନଙ୍କୁ ଖୁବ ଆନନ୍ଦ ପ୍ରଦାନ କରେ । ଏଠାକୁ ଥରେ ଯିଏ ଆସିଛି ବାରମ୍ବାର ଆସିବାକୁ ଇଛା ପ୍ରକାଶ କରେ । ଏଠାକାର ଜଙ୍ଗଲ ମଧ୍ୟ ବରକନ୍ୟା ଭଳି ସଜେଇ ହୋଇଥିବାରୁ ଦେଖିବାକୁ ଖୁବ ସୁନ୍ଦର । ବାଉଁଶବୁଦା, ଲଟା ଜଙ୍ଗଲ, ଶିଆଳି ଲଟି ଦୋଳି, ଶାଳଗଛ ଓ ଔଷଧୀୟ ଗୁଳ୍ମରେ ଭରପୁର ଏଠାକାର ବନଭୂମି । ଦର୍ଶକଙ୍କୁ ଆନମନା କରେ ଏହାର ନୈସର୍ଗିକ ଶୋଭାରାଜି, ଥଣ୍ଡାଳିଆ ଶିରିଶିରି ପବନ ଓ ପାହାଡ଼ି ଝରଣାର କୁଳୁକୁଳୁ ଗୁଞ୍ଜନ । ଭାରି ମନମୁଗ୍ଧକର ସତେ ବରକନ୍ୟା ଝରଣା ଓ ଏହାର ପ୍ରପାତ ସମୂହ ।
ବରକନ୍ୟା ଜଳ ପ୍ରପାତ ନିକଟରେ କେମିତି ପହଁଚିବେ?
ନୟାଗଡ଼ ସଦରମହକୁମାଠାରୁ ବରକନ୍ୟା ପ୍ରପାତର ଦୂରତା ପ୍ରାୟ ୩୧କିଲୋମିଟର । ନୟାଗଡ଼ଠାରୁ ଓଡଗାଁ ରାସ୍ତାରେ ପ୍ରାୟ ୨୦କିଲୋମିଟର ଗଲାପରେ କେନାଲ ଛକ ପଡ଼ିବ । କେନାଲ ଛକଠାରେ ବରକନ୍ୟା ଜଳପ୍ରପାତ ପାଇଁ ଦିଆଯାଇଥିବା ସୂଚନାଫଳକ ମୁତାବକ ବୁଢାବୁଢିଆଣୀ ବନ୍ଧ ନିକଟରେ ପହଂଚି ଡାହାଣପଟକୁ ଯାଇ ବନ୍ଧମୁଣ୍ଡରୁ ୫କିଲୋମିଟର ଓସ୍ତିଆମାଳ ଗ୍ରାମବାଟେ ଯାଇ ନିହଲପ୍ରସାଦ (ଗଡ଼ଗାଁ)ଗ୍ରାମ ନିକଟରେ ଅବସ୍ଥିତ ବରକନ୍ୟା ଜଳପ୍ରପାତକୁ ପହଞ୍ଚିହେବ । ଅନ୍ୟ ଗୋଟିଏ କମ ଦୂରତା ବିଶିଷ୍ଟ ଗ୍ରାମ୍ୟରସ୍ତା ମଧ୍ୟ ରହିଛି । ନୟାଗଡ଼ଠାରୁ ଓଡଗାଁ ଆଡ଼କୁ ଗଲେ ଶରଣକୁଳଠାରୁ ଦୁଇତିନି କିଲୋମିଟର ପରେ ପଞ୍ଚିରିଡ଼ା ବଡପୁଟ ଛକ ପଡ଼ିବ । ସେଠାରୁ ବାମପଟେ ପଞ୍ଚିରିଡ଼ା, ଗୋତ୍ରୀଡ଼ା, ଆଖରିଆ, ଗଉଡ଼ପୁଟ, ଟିକରପଲ୍ଲୀ, ବୁଢ଼ାବୁଢିଆଣୀ ଠାକୁରାଣୀ ଅତିକ୍ରମ କରି ବୁଢ଼ାବୁଢିଆଣୀ ବନ୍ଧ ନିକଟରେ ପହଂଚିବାକୁ ପଡ଼ିବ । ସେଠାରୁ ପୂର୍ବ କଥିତ ରାସ୍ତାରେ ଯାଇ ପ୍ରପାତ ନିକଟରେ ପହଞ୍ଚିହେବ ।
ବରକନ୍ୟା ଜଳପ୍ରପାତକୁ ନେଇ ଏକ ମଜାଦାର ଲୋକକଥା!
ଅତି ପୁରୁଣା କାଳରେ ଖୋର୍ଦ୍ଧା ଜିଲ୍ଲାର ବାଣପୁର ଅଂଚଳରୁ ଏକ ଆଦିବାସୀ ଗୋଷ୍ଠୀ ବାହାଘର ସାରି ବରକନ୍ୟାକୁ ଧରି କାନଖାଇ ପାହାଡ଼ ପାରହୋଇ ନୟାଗଡ଼ ଜିଲ୍ଲାରେ ଥିବା ନିଜ ଗ୍ରାମକୁ ଫେରୁଥିଲେ । ସେମାନେ ଫେରିବା ସମୟରେ କାନଖାଇ ପାହାଡ଼ରେ ବିଜେ କାନଖାଇ ଠାକୁରାଣୀକୁ ଅଣଦେଖା କଲେ । ଭକ୍ତିରେ ମୁଣ୍ଡିଆ ମାରିଲେନି କି ପୂଜା ଅର୍ଚ୍ଚନା କଲେ ନାହିଁ । ମାଆ କାନଖାଇ ଠାକୁରାଣୀ କୋପରେ ବରକନ୍ୟା ସହ ସମସ୍ତେ ପଥର ହୋଇଯିବା ପାଇଁ ଅଭିଶାପ ଦେଲେ । ସେବେଠାରୁ ବରକନ୍ୟା ସେଠାରେ ପଥର ହୋଇ ପଡ଼ି ରହିଛନ୍ତି । ହଳ ଶଗଡ଼ ବାଦ୍ୟଯନ୍ତ୍ର ଓ ଅନ୍ୟ ସମସ୍ତେ ପଥର ରୂପରେ ପଡ଼ି ରହିଛନ୍ତି । ସେଇବାଟ ଦେଇ କାନଖାଇ ଝରଣାଟି ବୋହିଯାଇ କେତୋଟି ନିର୍ଦ୍ଦିଷ୍ଟ ସ୍ଥାନରେ ପ୍ରପାତ ସୃଷ୍ଟି କରିଥିବାରୁ ଏହି ପ୍ରପାତ ସମୂହକୁ ବରକନ୍ୟା ଜଳପ୍ରପାତରେ ନାମିତ କରାଯାଇଥିବା ଜଣାଯାଇଛି ।
ଏତେଦିନ ପର୍ଯ୍ୟନ୍ତ ଲୋକଲୋଚନକୁ ନ ଆସିବାର କାରଣ କ’ଣ?
ବରକନ୍ୟା ଜଳପ୍ରପାତଟି ଘଞ୍ଚ ଜଙ୍ଗଲ ଭିତରେ ରହିଥିବାରୁ ପ୍ରାୟ ଲୋକମାନେ କେହି ଯାଆନ୍ତି ନାହିଁ । ସ୍ଥାନୀୟ ଆଦିବାସୀ ଲୋକମାନେ ଜାଣିଥିଲେ ବି ଏହା ଏତେ ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀ ହେବବୋଲି କେବେ ଭାବି ନଥିଲେ । ଜଙ୍ଗଲ ଭିତରେ ରାସ୍ତାଘାଟର ସୁବିଧା ନଥିବାରୁ ପ୍ରାୟ ଲୋକଙ୍କର ଚଳପ୍ରଚଳ ନଥିଲା । ଏହି ଜଳପ୍ରପାତକୁ ସ୍ୱଳ୍ପଶିକ୍ଷିତ ଓ ମଫସଲ ଆଦିବାସୀମାନେ ସେତେଟା ଗୁରୁତ୍ୱ ଦେଉନଥିଲେ କି ଲୋକଲୋଚନକୁ ଆଣୁନଥିଲେ ।
ଏହା ଲୋକଲୋଚନକୁ ଆସିଲା କେମିତି?
୧୮ ଜାନୁଆରୀ ୨୦୨୨ରେ ନୟାଗଡ଼ ଦର୍ପଣର ସୋସିଆଲ ମିଡିଆରେ ସର୍ବପ୍ରଥମେ ଭିଡିଓ ଆକାରରେ ପ୍ରସାରିତ ହେଲା । ଏହାକୁ ଲକ୍ଷଲକ୍ଷ ଲୋକ ସର୍ବପ୍ରଥମେ ଦେଖିବାର ସୁଯୋଗ ପାଇଲେ । ନୟାଗଡ଼ର ବିଧାୟକ ଡ଼ଃ. ଅରୁଣ କୁମାର ସାହୁ ନୟାଗଡ଼ ଦର୍ପଣ କାର୍ଯ୍ୟାଳୟକୁ ଆସି ଏହି ପ୍ରପାତ ସମ୍ବନ୍ଧରେ ସବିଶେଷ ତଥ୍ୟ ସଂଗ୍ରହ କରି ନୟାଗଡ଼ ଜିଲ୍ଲା ପ୍ରଶାସନକୁ ଧରି ସେ ସ୍ଥାନରେ ପହଁଚିଲେ । ସେ ନିଜ ଆଖିରେ ସେହି ମନୋରମ ପରିବେଶ ଦେଖିଲାପରେ ଆର୍ôଥକ ସମ୍ବଳ ଯୋଗାଇବାରେ ସହଯୋଗ କଲେ । ଏହାପରେ ବରକନ୍ୟାକୁ ରାସ୍ତା ଖୋଲିଗଲା । ନୟାଗଡ଼ ଦର୍ପଣର ଅନୁରୋଧକ୍ରମେ ନୟାଗଡ଼ର ସବୁ ସାମ୍ବାଦିକ ସେଠାକୁ ଗଲେ ଓ ବରକନ୍ୟା ଜଳପ୍ରପାତର ପ୍ରଚାରରେ ଲାଗିପଡ଼ିଲେ । ଏହା କ୍ରମେ ସାରା ଓଡ଼ିଶାରେ ପ୍ରଚାରିତ ହୋଇ ଏକ ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳୀଭାବେ ଉଭା ହୋଇଛି ।