ରଣପୁର,(ନୟାଗଡ଼ ଦର୍ପଣ): ରଣପୁର ନିର୍ବାଚନ ମଣ୍ଡଳୀର ଚାନ୍ଦପୁର ଜୋନ୍ (୨୪ନଂ)ର ମୟୁରଝାଲିଆ ପଞ୍ଚାୟତର ତୃଣମୂଳ ସ୍ତରର ଜଣେ ଜଣାଶୁଣା ବିଶିଷ୍ଟ ପ୍ରଭାବଶାଳୀ ରାଜନୈତିକ ବ୍ୟକ୍ତି,ରଣପୁର ତଥା ନୟାଗଡ଼ ଜିଲ୍ଲା କଂଗ୍ରେସର ଜଣେ ଦୃଢ ସଙ୍ଗଠକ ତଥା ଅଞ୍ଚଳର ବିଶିଷ୍ଟ ସମାଜସେବୀ ସୁରେନ୍ଦ୍ର ନାଥ କଳସଙ୍କ ଶୁକ୍ରବାର (ରାସ ପୂର୍ଣ୍ଣିମା)ସକାଳ ୬ ଘଟିକା ସମୟରେ ନିଜ ବାସଭବନରେ ପରଲୋକ ଘଟିଛି। ମୃତ୍ୟୁ ଖବରରେ ନିଜ ଗାଁ’ ସମେତ ପାଖଆଖ ୯/୧୦ ଗୋଟି ପଞ୍ଚାୟତ ତଥା ରଣପୁର,ଚାନ୍ଦପୁର ଓ ଗୋପାଳପୁର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ୬୨ବର୍ଷ ବୟସରେ ମୃତ୍ୟୁ ବରଣ କରିଥିବା ଶ୍ରୀଯୁକ୍ତ କଳସ ଦୀର୍ଘଦିନ ଧରି କଂଗ୍ରେସର ଜଣେ ଦୃଢ଼ ସଙ୍ଗଠକ ଓ ଛାମୁଆ ନେତା ଭାବେ ପରିଚିତ ଥିବା ସହ ଅଧୁନା ନୟାଗଡ଼ ଜିଲ୍ଲା କଂଗ୍ରେସର ଉପ ସଭାପତି ଥିଲେ। ତାଙ୍କ ବିଚକ୍ଷଣ ଗୋଟି ଚାଳନାରେ ବିରୋଧୀ ଦଳକୁ ପଛରେ ପକାଇ ଲଗାତର ତିନି ତିନି ଥର ମୟୂରଝାଲିଆ ପଞ୍ଚାୟତକୁ କଂଗ୍ରେସ ଦଖଲ କରିବାରେ ସମର୍ଥ ହୋଇଥଲା। କେବଳ ସେତିକି ନୁହେଁ, ରାଜନୀତିରେ ବିରୋଧୀ ଭୂମିକାରେ ଥାଇ ମଧ୍ୟ ବିଭିନ୍ନ ସମୟରେ ସରକାରୀ ଦଳର ନେତାମାନଙ୍କ ସହ ସୁସମ୍ପର୍କ ରଖି ନିଜ ଅଞ୍ଚଳର ବିକାଶ କରିବା ସହ ଗରିବ, ନିରିହ, ଦୁଃସ୍ଥ ଓ ଅବହେଳିତ ଲୋକଙ୍କ ନିକଟରେ ସରକାରୀ ଯୋଜନା କିଭଳି ଯଥା ସମୟରେ କାର୍ଯ୍ୟକାରୀ ହୋଇପାରିବ ସେଥିପାଇଁ ଅହରହ ଉଦ୍ୟମକରି ସଫଳ ହେଉଥିବା ଜଣେ ପାରଙ୍ଗମ ବ୍ୟକ୍ତିଙ୍କୁ ହରାଇ ଦଳମତ ନିର୍ବିଶେଷରେ ଗ୍ରାମର ସମସ୍ତ ବ୍ୟକ୍ତି ଦୁଃଖରେ ମିୟମ୍ରାଣ ହୋଇ ପଡ଼ିଥିବା ଦେଖିବାକୁ ମିଳିଛି। ମୃତ୍ୟୁ ବେଳକୁ ତାଙ୍କ ଧର୍ମ ପତ୍ନୀ, ପୁତ୍ର,ଭାଇ, ପୁତୁରା- ପୁତୁରା ବୋହୁ,ନାତି-ନାତୁଣୀ ସମସ୍ତେ ଉପସ୍ଥିତ ଥିଲେ। ସ୍ଵର୍ଗତ କଳସଙ୍କ ମରଶରୀରକୁ ନିଜ ଜନ୍ମମାଟି ମୟୂରଝାଲିଆର ସମସ୍ତ ସାହି ପରିକ୍ରମା କଲାପରେ ଅନ୍ତିମ ସଂସ୍କାର ନିଜ ଗ୍ରାମସ୍ଥିତ ଶ୍ମଶାନ ଘାଟରେ ସମ୍ପନ୍ନ ହୋଇଥିବା ଜଣାପଡ଼ିଛି। ଏକମାତ୍ର ପୁତ୍ର ରାକେଶ କଳସ(ସିପୁ) ମୁଖାଗ୍ନୀ ପ୍ରଦାନ କରିଛନ୍ତି। ବରିଷ୍ଠ ଶିକ୍ଷାବିତ୍ ଜୟକୃଷ୍ଣ ସାହୁଙ୍କ ସମେତ, ସୁକାନ୍ତ ପ୍ରଧାନ,ଭରତ ପ୍ରଧାନ, ସୁଦର୍ଶନ ସ୍ଵାଇଁ, ସୁବାସ ମହାରଣା, ଚିତ୍ତରଞ୍ଜନ ପ୍ରଧାନ,ସରପଞ୍ଚ ସୁଶାନ୍ତ କଳସ, ପଞ୍ଚାୟତ ସମିତି ସଭ୍ୟ ମନ୍ମଥ ନାଥ ତ୍ରିପାଠୀଙ୍କ ସହ ଗ୍ରାମର ବହୁ ବିଶିଷ୍ଟ ବ୍ୟକ୍ତି ଶବାଧାରରେ ଯୋଗଦେଇ ଅମର ଆତ୍ମାର ସଦ୍ଗତି କାମନା କରିଥିଲେ। ତାଙ୍କ ମୃତ୍ୟୁ ଖବରରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ବରିଷ୍ଠ ନେତା ତଥା ପୂର୍ବତନ ରାଜ୍ୟସଭା ସାଂସଦ ରାମଚନ୍ଦ୍ର ଖୁଣ୍ଟିଆ, ରାଜ୍ୟ କ୍ଷେତମଜଦୁର କଂଗ୍ରେସ ସଭାପତି ସତ୍ୟବ୍ରତ ନାୟକ, ଜିଲ୍ଲା କଂଗ୍ରେସ କମିଟି ସଭାପତି ରଣଜିତ୍ ଦାଶ, ସାଧାରଣ ସମ୍ପାଦକ ବାଳକୃଷ୍ଣ ଷଡ଼ଙ୍ଗୀ,ରଣପୁର ପଞ୍ଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ ପ୍ରଭାତ ଦଳବେହେରା, ପୂର୍ବତନ ଉପାଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ, ବରିଷ୍ଠ କଂଗ୍ରେସ ସଦସ୍ୟ ଆଚାର୍ଯ୍ୟ ବିଶ୍ଵରଞ୍ଜନ, ପୂର୍ବତନ ସରପଞ୍ଚ ତଥା ଆଡଭୋକେଟ୍ ଦିଲ୍ଲିପ କୁମାର ଜେନା, ଶିକ୍ଷାବିତ୍ ସଂଜୀବ ପରିଡ଼ା,ସାମ୍ବାଦିକ ରଂଜନ ପରିଡ଼ା ପ୍ରମୁଖ ଗଭୀର ଶୋକ ପ୍ରକାଶ କରିବା ସହ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି।
Related posts
-
ବସ ଓ ବାଇକ ଧକ୍କା, ୨ ମୃତ
ରଣପୁର,(ନୟାଗଡ଼ ଦର୍ପଣ): ବସ ଓ ବାଇକ ମୁହାଁମୁହିଁ ଧକ୍କା ହୋଇ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଖବର ସଂଗ୍ରହରୁ ଜଣାପଡିଛି... -
ବିଦ୍ୟାଳୟରେ ଶିଶୁ ଦିବସ ପାଳନ ସହ କୃତି ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା
ରଣପୁର,(ନୟାଗଡ଼ ଦର୍ପଣ): ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ ନଭେମ୍ବର ୧୪ ତାରିଖ, ୧୮୮୯ ମସିହାରେ ରେ ଜନ୍ମ ଗ୍ରହଣ... -
ରାଜସୁନାଖଳା ମହୋତ୍ସବ କମିଟି ପୁନର୍ଗଠିତ: ସଭାପତି ହେଲେ ଚିତ୍ତ, ସମ୍ପାଦକ ହେଲେ ଜୟେନ୍ଦ୍ର
ରଣପୁର, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ରାଜସୁନାଖଳା ପଞ୍ଚାୟତ ଠାରେ ରାଜସୁନାଖଳା ମହୋତ୍ସବ ପାଇଁ ପ୍ରଥମ ପ୍ରସ୍ତୁତି ବୈଠକ...