ଇଟାମାଟିର ଆରାଧ୍ୟା ଦେବୀ ମା ନାରାୟଣୀ

ଇଟାମାଟି, (ନୟାଗଡ଼ ଦର୍ପଣ): ଇଟାମାଟିର ପୂର୍ବ ଦିଗରେ କାହିଁ କେଉଁ କାଳରୁ ପୂଜା ପାଇ ଆସୁଛନ୍ତି ମା ନାରାୟଣୀ। ବହୁ ବର୍ଷ ଧରି ଗଛ ମୂଳେ ପୂଜା ପାଉଥିବା ମା ନାରାୟଣୀଙ୍କ ପାଇଁ ଏକ ମନ୍ଦିର ତୋଳାଇଥିଲେ ସ୍ବର୍ଗତ ଘନଶ୍ୟାମ ରାମ। ୧୯୬୮ ମସିହାରେ ମାଙ୍କ  ନବୀକରଣ ମୁଖା ପ୍ରତିଷ୍ଠା କରାଯାଇଥିଲା ଗ୍ରାମ ବାସୀଙ୍କ ତରଫରୁ ମା ନାରାୟଣୀଙ୍କ ଆଶ୍ରିବାଦରୁ ଇଟାମାଟି ଏକ ବ୍ୟବସାୟିକ ପେଣ୍ଠ ହିସାବରେ ଓଡିଶାରେ କ୍ଷାତି ଲାଭ କରିଥିବାର ବିଶ୍ୱାସ ରହିଛି। ଘୋଡାରେ ଚଢି ପ୍ରତିଦିନ ନିଷାର୍ଧରେ ଭ୍ରମଣ କରି ମା ଇଟାମାଟି ଗ୍ରାମବାସୀଙ୍କୁ ଘଣ୍ଟ ଘୋଡାଇଛନ୍ତି ବୋଲି ପୁରୁଖା ଲୋକମାନେ ମତ ଦିଅନ୍ତି।

ପ୍ରତିବର୍ଷ ଶାରଦୀୟ ଦୁର୍ଗାପୂଜା ମା ନାରାୟଣୀଙ୍କ ପୀଠରେ ମହାସମାରୋହରେ ପାଳିତ ହୁଏ। ଦୂତିଆ ଓଷା ଠାରୁ ଷୋଳପୂଜା ଆରମ୍ଭ ହୋଇ ମହାଅଷ୍ଟମୀରେ ସମାପନ ହୁଏ। ପ୍ରତିଦିନ ସକାଳେ ଅନ୍ୟାନ୍ୟ ଭୋଗ ସହ ଖିଲି ପାନ, ଗଜାମୁଗ କାକରରେ ପୂଜା ଆରମ୍ଭ ହୁଏ ଓ ରାତ୍ରରେ ମା’ଙ୍କୁ ଅନ୍ନ ପ୍ରସାଦ ସହ ମାଛ ତରକାରୀ, କ୍ଷୀରି ଭୋଗ ଅର୍ପଣ କରାଯାଏ। ଘଣ୍ଟ କୀର୍ତ୍ତନ ଢୋଲ, ତୁରୀ, ଧୂପ, ଦୀପ ନୈବେଦ୍ୟରେ ଏକ ମନୋରମ ପରିବେଶରେ ପୂଜା ଅର୍ଚନା କରାଯାଏ। ଦଶହରା ଦିନ ରାତ୍ରିରେ ମା ସୁସଜ୍ଜିତ ବିମାନରେ ଏକ ଶୋଭାଯାତ୍ରାରେ ଗ୍ରାମ ପରିଭ୍ରମଣ କରନ୍ତି। ଏହି ଅବସରରେ ଭାତୃ ପ୍ରତିମ ଶ୍ରୀଗୋପୀନାଥ ଜୀଉଙ୍କୁ ଦର୍ଶନ କରି ଆସନ୍ତା କାର୍ତ୍ତିକ ମାସରେ ଆମିଷ ଭକ୍ଷଣ ନ କରିବାକୁ ଅନୁରୋଧ କରନ୍ତି। ମାନସିକ ପୂରଣରେ ପ୍ରତ୍ୟହ ବହୁ ସଂଖ୍ୟାରେ ଭକ୍ତମାନେ ମା’ଙ୍କର ପ୍ରିୟ କ୍ଷୀରଲିଆ ଭୋଗ ବର୍ଷ ସାରା ଅର୍ପଣ କରିଥାନ୍ତି। ମା’ଙ୍କ ମନ୍ଦିର ପରିସରରେ ଥିବା ଶ୍ରୀ ଶ୍ରୀ  ବାଲୁଙ୍କେଶ୍ୱର ବାବା,  ପଞ୍ଚମୂଖୀ ହନୁମାନ, ଶନିଶ୍ଚର ଦେବ, ମା ମହାମାୟୀ, ତ୍ରିନାଥ ଦେବ ମନ୍ଦିର, ମା ମଙ୍ଗଳା, ଦଣ୍ଡକାମନା ମନ୍ଦିର ଓ ଶ୍ରୀ ରଘୁନାଥ ଜୀଉଙ୍କ ମନ୍ଦିର ସେଠାରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରେ। ମନ୍ଦିର ସୁପରିଚାଳନା ପାଇଁ ଗ୍ରାମବାସୀଙ୍କ ତରଫରୁ କମିଟିର ସଭାପତି ଶ୍ରବଣ କୁମାର ରାମ ଓ ସଂପାଦକ ବଂଶୀଧର ସାହୁ କାର୍ଯ୍ୟ ତୁଲାଇ ଆସୁଛନ୍ତି ବୋଲି ପ୍ରକାଶ କରିଛନ୍ତି ସମାଜସେବୀ ଭାଗିରଥି ବାଇ।

Related posts