ବିଭିନ୍ନ ଶିଳ୍ପ ପରିଦର୍ଶନ କଲେ ସ୍ଵୟଂଶାସିତ ମହାବିଦ୍ୟାଳୟର ବାଣିଜ୍ୟ ବିଭାଗ ଛାତ୍ରଛାତ୍ରୀ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ସ୍ଵୟଂଶାସିତ ମହାବିଦ୍ୟାଳୟର ବାଣିଜ୍ୟ ବିଭାଗ ତରଫରୁ ଶିଳ୍ପ ପରିଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଏହି ପରିଦର୍ଶନରେ ୪୨ଜଣ ଛାତ୍ରଛାତ୍ରୀଙ୍କୁ ନେଇ ବାଣିଜ୍ୟ ବିଭାଗର ବିଭାଗୀୟ ମୁଖ୍ୟ ଡ. ଲକ୍ଷ୍ମୀଧର ସାହୁ, ଡ. ପ୍ରଦୀପ କୁମାର ଆଚାର୍ଯ୍ୟ, ଶୁଶାନ୍ତ କୁମାର ଅଧିକାରୀ, ଡ. କମଳ କୁମାର ବର୍ମା, ସୁପ୍ରଭା ମଲ୍ଲିକ, ସବିତା କଅଁର, ପ୍ରତିକ୍ଷା ରାୟ, ଅଜୟ କୁମାର ମହାନ୍ତି ଓ ମନୋରଞ୍ଜନ ଗୌଡ଼ ପାଣିପୋଇଲାସ୍ଥିତ ଉତ୍କଳ ପାଇପ କାରଖାନା, କଂକ୍ରିଟ କାରଖାନା ଓ ଖାଦ୍ୟ ସଂରକ୍ଷଣ ଶିଳ୍ପ ପରିଭ୍ରମଣ କରିଥିଲେ। ଏହି ପରିଦର୍ଶନ ଛାତ୍ରଛାତ୍ରୀଙ୍କୁ ପାଇପ ଉତ୍ପାଦନ ପ୍ରକ୍ରିୟା, ଗୁଣବତ୍ତା ନିୟନ୍ତ୍ରଣ ଏବଂ ବ୍ୟବହୃତ ବିଭିନ୍ନ ଆଧୁନିକ ଯନ୍ତ୍ରପାତି ବିଷୟରେ ଜ୍ଞାନ ପ୍ରଦାନ କରାଯାଇଥିଲା। ଉକ୍ତ ସଂସ୍ଥାର ମୁଖ୍ୟ ଏସ.କେ.ଅତହର ତାଙ୍କର ବହୁମୁଲ୍ୟ ସମୟ ଦେଇ ଛାତ୍ରଛାତ୍ରୀମାନଙ୍କୁ ବୈଷୟିକ ପକ୍ରିୟାର  ବ୍ୟାଖ୍ୟାୟନ କରିଥିଲେ । ଏହା ସହିତ ବହୁ ଗୁରୁତ୍ଵପୁର୍ଣ୍ଣ ପରାମର୍ଶ ଦେଇ ଛାତ୍ରଛାତ୍ରୀମାନଙ୍କୁ ଭବିଷ୍ୟତରେ ସଫଳ ହେବାପାଇଁ ପ୍ରୋତ୍ସାହିତ କରିଥିଲେ । ପରିଶେଷରେ ବାଣିଜ୍ୟ ବିଭାଗ ତରଫରୁ ଛାତ୍ରଛାତ୍ରୀ ଏବଂ ବିଭାଗର ଅଧ୍ୟାପକ ଓ ଆଧ୍ୟାପିକାମାନେ କଲେଜର ଅଧ୍ୟକ୍ଷ ଡ. ବିପିନ କୁମାର ପଟ୍ଟନାୟକ, ପରୀକ୍ଷା ନିୟନ୍ତ୍ରକ ଡ. ଜାନକୀ ନାଥ ଦାସ, ଜିଲ୍ଲା ଶିଳ୍ପ ଅଧିକାରୀ ଏବଂ ଉତ୍କଳ ପାଇପ ପ୍ରାଇଭେଟ ଲିମିଟେଡକୁ ଏଭଳି ଶିକ୍ଷଣୀୟ ପରିଦର୍ଶନର ସଫଳ ରୂପାନ୍ତରୀକରଣ ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ।

Related posts