ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ

ନୟାଗଡ଼,(ନୟାଗଡ଼ ଦର୍ପଣ): ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ଜିଲ୍ଲାସ୍ତରରେ ଆସନ୍ତା ଅକ୍ଟୋବର ୧ତାରିଖରେ ପାଳନ ନିମନ୍ତେ ଜିଲ୍ଲାପାଳଙ୍କ ମିନି କନଫରେନ୍ସ ହଲରେ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ଜିଲ୍ଲାପାଳ ଉପସ୍ଥିତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ, ବରିଷ୍ଠ ନାଗରିକମାନଙ୍କୁ ସ୍ବାଗତ କରି କହିଥିଲେ ଯେ, ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ଅକ୍ଟୋବର ୧ତାରିଖରେ ଜିଲ୍ଲାସ୍ତରରେ ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳନ କରାଯିବ। ଏହି ଦିବସ ପାଳନ ଅବସରରେ ଏକ ସାଧାରଣ ସଭା ସହ ବରିଷ୍ଠ ନାଗରିକମାନଙ୍କ ନିମନ୍ତେ ଯୋଗ ଶିବିର, ସ୍ଵାସ୍ଥ୍ୟ ଶିବିର ଇତ୍ୟାଦି ଆୟୋଜନ କରାଯିବ । ପ୍ରତ୍ୟେକ ବ୍ଲକରୁ ବରିଷ୍ଠ ନାଗରିକମାନଙ୍କୁ ଏହି ଶିବିରକୁ ଆଣିବା ପାଇଁ ଗାଡ଼ିର ବ୍ୟବସ୍ଥା କରାଯିବ । ବରିଷ୍ଠ ନାଗରିକମାନଙ୍କର ବିଚାରାଧ୍ଵନ ଥ‌ିବା ପରିଚୟ ପତ୍ର ଗୁଡ଼ିକୁ ଏହି କାର୍ଯ୍ୟକ୍ରମରେ ଦେବା ପାଇଁ ଜିଲ୍ଲାପାଳ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକଙ୍କୁ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମ ନୟାଗଡ଼ ସ୍ଵୟଂ ଶାସିତ ମହାବିଦ୍ୟାଳୟ କିମ୍ବା ନିଳମାଧବ କଲ୍ୟାଣ ମଣ୍ଡପରେ ସ୍ଥିତି ଦେଖି ସ୍ଥିର କରାଯିବ। ଏହି ବୈଠକରେ ୧୯ଟି ବରିଷ୍ଠ ନାଗରିକ ଫୋରମର କର୍ମକର୍ତ୍ତା, ୩ଟି ଜରା ନିବାସ ଯଥା- ନିଶ୍ଵ ଖଣ୍ଡପଡ଼ା, ଅନାଥ ପରିତ୍ୟକ୍ତ ବାଳାଶ୍ରମ ରଣପୁର, ସମର୍ପଣ ନୟାଗଡ଼, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସନାତନ କାଲୋ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ କାମଦେବ ନାୟକ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସୁରେନ୍ଦ୍ର କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Related posts