ଗଜାନନଙ୍କ ଭସାଣି ଉତ୍ସବ, ନାଚ, ଗୀତରେ ଝୁମିଲେ ଭକ୍ତ

ନୂଆଗାଁ,(ନୟାଗଡ଼ ଦର୍ପଣ): ନୂଆଗାଁ ବ୍ଲକ୍ ସଦର ମହକୁମାରେ ଥିବା ନୂଆଗାଁ ପଞ୍ଚାୟତ ଖାଲମଡା ଗ୍ରାମ ସତ୍ୟ ନାରାୟଣ କ୍ଳବ୍, ମା ବାଗଦେବୀ ଯୁବକ ସଂଘ ତରଫରୁ ଅଗ୍ରପୂଜ୍ୟଙ୍କ ଭସାଣି ଉତ୍ସବ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି। କ୍ଳବର ସଦସ୍ୟମାନେ ଅଗ୍ରପୂଜ୍ୟଙ୍କ ମୂର୍ତ୍ତିଙ୍କୁ ଘଣ୍ଟ, ମହୁରୀ ବଜାଇ ବାଜା, ବାଣ ଫୁଟାଇ, ନାଚ, ଗୀତ କରି ଗ୍ରାମ ପରିକ୍ରମା କରାଇ ନଦୀରେ ବିସର୍ଜନ କରିଥିଲେ।ଗଣପତି ବାବା ମୋରିଆ, ଘଣ୍ଟ ,ବାଜା ବାଣରେ ଗ୍ରାମ ପ୍ରକମ୍ପିତ ହୋଇଥିଲା। ନୂଆଗାଁ ଗଜାନନ କ୍ଳବ୍ , ନୂଆସାହି ବାପୁଜୀ ସଂଘ ତରଫରୁ ଗଜାନନଙ୍କ ଭସାଣି ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସୂଚନା ଅନୁଯାୟୀ ଗଜାନନ କ୍ଳବର ୫୦ରୁ ଉର୍ଦ୍ଧ୍ବ ସଦସ୍ୟ ଗଣେଶ ମୂର୍ତ୍ତିଙ୍କୁ ବିରାଟ ପଟୁଆରରେ ବାଜା, ବାଣ ଫୁଟାଇ ଗ୍ରାମ ଓ ବଜାର ପରିକ୍ରମା କରାଇ ଗଣେଶ ମୂର୍ତ୍ତିକୁ ନୂଆଗାଁ ଶିବ ମନ୍ଦିର ନିକଟସ୍ଥ ପୋଖରୀରେ ବିସର୍ଜନ କରିଥିଲେ। ସେହିପରି ନୂଆଗାଁ ବାପୁଜୀ ସଂଘ ତରଫରୁ ଏକ ବିରାଟ ପଟୁଆରରେ ସଂଘର ସଦସ୍ୟମାନେ ଗ୍ରାମ ଓ ବଜାର ପରିକ୍ରମା କରାଇ ପୋଖରୀରେ ବିସର୍ଜନ କରିଥିଲେ। ଉଭୟ କ୍ଳବର ସଦସ୍ୟମାନଙ୍କ ଦ୍ଵାରା କିଛି ସମୟ ପାଇଁ ଢୋଲ, ମହୁରୀ, ଘଣ୍ଟ ଶବ୍ଦରେ ନୂଆଗାଁ ଅଞ୍ଚଳ ପ୍ରକମ୍ପିତ ହୋଇଥିଲା। କୋରଡ଼ା ଗଡ ଗଜାନନ କ୍ଳବ୍, ବାଲୁଙ୍କେଶ୍ୱର କ୍ଲବ୍, ଓମ୍ ସାଇ କ୍ଲବର ସଦସ୍ୟ ମହାସମାରୋହରେ ଭସାଣି ଉତ୍ସବ ପାଳନ କରିଥିଲେ। ସେହିପରି ଭାବେ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ଏବଂ ବିଭିନ୍ନ ଗ୍ରାମରେ ଥିବା କ୍ଳବର ସଦସ୍ୟମାନଙ୍କ ଦ୍ଵାରା ଭସାଣି ଉତ୍ସବ ଅନୁଷ୍ଠିତ ହୋଇଥିଲା।

Related posts