ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ରୋଟାରୀ ଭବନ ପରିସରରେ ରୋଟାରୀ କ୍ଳବ୍ ନୟାଗଡ଼ ତରଫରୁ ବିଶ୍ବ ସାକ୍ଷରତା ଦିବସ ତଥା ପବିତ୍ର ଗୁରୁ ଦିବସରେ ରାଷ୍ଟ୍ର ନିର୍ମାତା ସମ୍ମାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। କ୍ଳବର ସଭାପତି ଶ୍ରୀକାନ୍ତ କୁମାର ଖଟେଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବେ ନୟାଗଡ ଜିଲ୍ଲା ପରିଷଦ ଅଧ୍ଯକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଯୋଗ ଦେଇ ଶିକ୍ଷକମାନେ ଆଗାମୀ ଭବିଷ୍ଯତ ଶିଶୁମାନଙ୍କୁ ଉତ୍ତମ ମଣିଷ ଭାବେ ଗଢୁଥିବାରୁ ଶିକ୍ଷକମାନେ ହେଉଛନ୍ତି ସମାଜର ଆଲୋକ ବର୍ତ୍ତିକା ବୋଲି କହିଥିଲେ। ମୁଖ୍ଯ ବକ୍ତା ଭାବେ ନୟାଗଡ଼ ଜିଲ୍ଲା ଶିକ୍ଷା ଅଧିକାରିଣୀ ରାଜଶ୍ରୀ ପଟ୍ଟନାୟକ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ନୟାଗଡ଼ ପୌରପରିଷଦ ପୌରାଧ୍ୟକ୍ଷା ନିରୁପମା ଖଟେଇ ଯୋଗଦେଇଥିଲେ। ରୋଟାରୀ କ୍ଳବର ସଂପାଦକ ଅବିନାଶ ସାହୁ ମଞ୍ଚାସୀନ ହୋଇ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲାବେଳେ କ୍ଳବର ଲିଟେର୍ସି କମିଟିର ଅଧ୍ଯକ୍ଷା ବସିରନ୍ ବିବି ସଭାରେ ମଞ୍ଚାସୀନ ଥିଲେ। ଚଳିତ ବର୍ଷ ରୋଟାରୀ କ୍ଳବ୍ ନୟାଗଡ଼ ତରଫରୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଜରିଆରେ ଚୟନ ହୋଇଥିବା ଆଠଟି ବ୍ଳକର ୦୮ ଜଣ ଆଦର୍ଶ ଶିକ୍ଷକଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ। ଏହି ଅବସରରେ ଦଶପଲ୍ଲା ବ୍ଲକରୁ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଘୋଳାହାଣ୍ଡିର ପ୍ରଧାନ ଶିକ୍ଷକ ଶରତ ଚନ୍ଦ୍ର ବେହେରାଙ୍କୁ “ନେସନ ବିଲ୍ଡର ଆଓ୍ବାର୍ଡ” ପ୍ରଦାନ କରାଯାଇଥିଲା। ରୋଟାରିଆନ୍ ପ୍ରବୀର କୁମାର ପ୍ରୁଷ୍ଟି ସମ୍ବର୍ଦ୍ଧିତ ପ୍ରତିଭା ମାନଙ୍କର ପରିଚୟ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ କ୍ଳବର ବହୁ ସଦସ୍ଯମାନେ ଯୋଗ ଦେଇଥିଲା ବେଳେ କ୍ଳବର ସଂପାଦକ ଅବିନାଶ ସାହୁ ଧନ୍ଯବାଦ ଅର୍ପଣ କରିଥିଲେ।
