ବରିଷ୍ଠ ନାଗରିକ ସମ୍ବର୍ଦ୍ଧନା ଓ ପରିଚୟ ପତ୍ର ପ୍ରଦାନ ଉତ୍ସବ

ରଣପୁର,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଚାନ୍ଦପୁର ଥାନା ଅନ୍ତର୍ଗତ ଝାଡପଡା ପଞ୍ଚାୟତର ଦୁର୍ଗାମଣ୍ଡପ ଠାରେ ପବିତ୍ର ଗୁରୁ ଦିବସ ଅବସରରେ ବରିଷ୍ଠ ନାଗରିକ କଲ୍ୟାଣ ପରିଷଦ, ଝାଡପଡାର ପ୍ରଥମ ବାର୍ଷିକ ପ୍ରତିଷ୍ଠା ଉତ୍ସବ ପାଳିତ ହୋଇଯାଇଛି। ଏହି ପବିତ୍ର ଦିବସରେ ୧୫୦ଜଣ ବୟୋ ବୃଦ୍ଧବୃଦ୍ଧାଙ୍କୁ ପୁଷ୍ପ ଚନ୍ଦନ ସହ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଛି। ପରିଷଦର ସଭାପତି ଶ୍ରୀଯୁକ୍ତ ଭାସ୍କର ଚନ୍ଦ୍ର ପ୍ରଧାନଙ୍କ ସଭାପତିତ୍ବରେ ସଭାକାର୍ଯ୍ୟ ପରିଚାଳନା କରା ଯାଇଥିଲା। ସମ୍ପାଦକ ଶ୍ରୀଯୁକ୍ତ ମାଧବ ରାଉତ ସମ୍ପାଦକୀୟ ବିବରଣୀ ପାଠ କରିଥିଲା ବେଳେ ରାଜ୍ୟ ବରିଷ୍ଠ ନାଗରିକ ମହାସଂଘର ସାଧାରଣ ସଂପାଦକ ଶ୍ରୀଯୁକ୍ତ ରାଜକିଶୋର ସାମନ୍ତରାୟ, ଯୁଗ୍ମ ସଂପାଦକ ଶ୍ରୀଯୁକ୍ତ ବସନ୍ତ କୁମାର ବାରିକ, ନୟାଗଡ଼ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ସୁବାଷ ଚନ୍ଦ୍ର ପଣ୍ଡା, ଚାନ୍ଦପୁର ଆରକ୍ଷୀ ଅଧିକାରୀ ବିନୟ ରଞ୍ଜନ ପରିଡ଼ା, ରଣପୁର ବ୍ଲକ ବରିଷ୍ଠ ନାଗରିକ ଉପଦେଷ୍ଟା ଶ୍ରୀଯୁକ୍ତ ପ୍ରସନ୍ନ କୁମାର ରଥ, ଝାଡ଼ପଡା ପଞ୍ଚାୟତର ସରପଞ୍ଚ- ସମିତି ସଭ୍ୟ, ଅବସରପ୍ରାପ୍ତ ଶିକ୍ଷକ ମନୋଜ ପାତ୍ର ଆଦି ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ବରିଷ୍ଠ ନାଗରିକ ମାନଙ୍କର ସାମାଜିକ ସୁରକ୍ଷା, ସ୍ବାସ୍ଥ୍ୟ ସମସ୍ୟା, ଯୋଗ ବ୍ୟାୟାମ ଆଦି ସଂପର୍କରେ ନିଜ ନିଜ ଅଭିଭାଷଣ ମାଧ୍ୟମରେ ଉପସ୍ଥିତ ୧୫୦ରୁ ଉର୍ଦ୍ଧ୍ବ ବରିଷ୍ଠ ନାଗରିକଙ୍କୁ ଉପଦେଶ ପ୍ରଦାନ କରିଥିଲେ।

ବିଶେଷ କରି ଏହି କାର୍ଯ୍ୟକ୍ରମ ସବୁ ସମସ୍ୟାକୁ ପଛ କରି ହସଖୁସିରେ ପରସ୍ପରର ସୁଖଦୁଃଖ ବାଣ୍ଟି ବାକି ଜୀବନ ବିତାଇବା ପାଇଁ  ବୟୋବୃଦ୍ଧମାନଙ୍କୁ ପ୍ରେରଣା ଯୋଗାଇଥିଲା। ୪୯ଜଣ ବରିଷ୍ଠ ନାଗରିକଙ୍କୁ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ସୁବାଷ ଚନ୍ଦ୍ର ପଣ୍ଡା ମହୋଦୟ ଜିଲ୍ଲାର ସିନିୟର୍ ସିଟିଜେନ୍ ସିକ୍ୟୁରିଟି ସେଲ୍ ତରଫରୁ ପରିଚୟପତ୍ର ପ୍ରଦାନ କରି ଏହାର ଉପାଦେୟତା ସମ୍ପର୍କରେ ପରାମର୍ଶ ଦେଇଥିଲେ। ପରିଷଦର ସକ୍ରୀୟ ସଦସ୍ୟ  ମାଧବ ଚନ୍ଦ୍ର ରାଉତ, ଭାଗ୍ୟଧର ଦଳେଇ, ପ୍ରଫୁଲ୍ଲ କୁମାର ଭଟ୍ଟ, ଗୋପାଳକୃଷ୍ଣ ଭୋଳ, କାଶୀନାଥ ପ୍ରଧାନ, ରଘୁନାଥ ପରିଡା, ଦଣ୍ଡପାଣି ଜେନା, ଦୁଃଖୀଶ୍ଯାମ ରାଉତ, ନୀଳମଣି ଦାମ୍ବଳ, ପ୍ରଫୁଲ୍ଲ କୁମାର ବଳିୟାରସିଂହ, ଜଗବନ୍ଧୁ ରାଉତ ଆଦିଙ୍କ ସହଯୋଗରେ କାର୍ଯ୍ୟକ୍ରମ ପରିଚାଳନା ଅତ୍ୟନ୍ତ ସରସ ସୁନ୍ଦର ହୋଇଥିଲା।

Related posts