ଓଡିଆ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କ ନିଧନ । ସେ କରୋନାରୁ ଭଲ ହେବା ପରେ ଅନ୍ୟ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇଥିଲା । ତପୁ ମିଶ୍ର ଗୁରୁତର ଥିଲେ । କରୋନାରୁ ସୁସ୍ଥ ହେବା ପରେ ଏବେ ପରବର୍ତ୍ତୀ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେବାରୁ ସେ କିଛି ଦିନ ହେବ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍ରେ ଚିକିତ୍ସାଧୀନ ରହିଥିଲେ । ତାଙ୍କର ଅକ୍ସିଜେନ ସ୍ତର କମି ଯାଇଥିଲା । ସେ ଭେଣ୍ଟିଲେଟରରେ ଥିଲେ । ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ହେବା ବଦଳରେ ବିଗିଡ଼ିବାରେ ଲାଗିଥିଲା । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ନିଧନ ହୋଇଥିବା ଜଣା ପଡିଛି । ଶନିବାର ରାତି ୧୧ ଟାରେ ତାଙ୍କର ପରଲୋକ ହୋଇଥିବା ଜଣାପଡିିଛି । ତପୁ ହେଉଛନ୍ତି ଓଡ଼ିଶା ଫିଲ୍ମ ଏବଂ ଆଲ୍ବମ୍ ଜଗତର ଜଣାଶୁଣା ଚେହେରା । ଜଣେ ଭଲ କଳାକାର ଏବଂ ହୃଦୟବାନ ମଣିଷ । ଦୀର୍ଘ ୨୦ ବର୍ଷ ଧରି ସେ ନିଜ ସୁଲଳିତ କଣ୍ଠରେ ଦର୍ଶକଙ୍କୁ ମନୋରଞ୍ଜନର ଖୋରକ ଯୋଗାଇ ଆସିଛନ୍ତି ।
ଓଡ଼ିଆ ଚଳଚ୍ଚିତ୍ର ଜଗତର ପ୍ରାୟ ସବୁ କଳାକାରଙ୍କ ପାଇଁ ସେ କଣ୍ଠଦାନ କରିଛନ୍ତି । ପ୍ରତ୍ୟେକଙ୍କ ସହ ତାଙ୍କର ସମ୍ପର୍କ ବି ବହୁତ ନିବିଡ଼ । ସେ ହସ୍ପିଟାଲରେ ଭର୍ତ୍ତି ହେବା ପରଠାରୁ ତାଙ୍କର ଫ୍ୟାନ୍ ଏବଂ ଓଲିଉଡର ସମସ୍ତେ ତପୁଙ୍କର ଶୀଘ୍ର ଆରୋଗ୍ୟ କାମନା କରି ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରୁଥିଲେ । ତାଙ୍କ ସ୍ୱାମୀ ଦୀପକଙ୍କ ସମେତ ପରିବାର ଲୋକେ ଖୁବ୍ ଭାଙ୍ଗି ପଡ଼ିଛନ୍ତି । କିଛି ଦିନ ପୂର୍ବରୁ ତପୁଙ୍କ ବାପା କୋଭିଡ୍ରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିଲେ । ମାତ୍ର ୧୬ ବର୍ଷ ବୟସରେ ଫିଲ୍ମ କୁଳ ନନ୍ଦନରେ ତପୁ ପ୍ରଥମେ ଗୀତ ଗାଇଥିଲେ। ଏହା ପରେ ପ୍ରାୟ ୧୬୦ଟି ଓଡ଼ିଆ ଫିଲ୍ମ ଗୀତ, ୨୨ଟି ବଙ୍ଗଳା ଗୀତ ଏବଂ ଅନେକ ଭଜନ ଗାଇଛନ୍ତି । ରାଜ୍ୟରେ ତାଙ୍କର ଅନେକ ପ୍ରଶଂସକ ଅଛନ୍ତି। ସେଥିଲାଗି ସେ ଅସୁସ୍ଥ ହେଲା ଦିନରୁ ତାଙ୍କ ସୁସ୍ଥତା ପାଇଁ ସମସ୍ତେ କାମନା କରୁଥିଲେ।