ମନ୍ଦାକିନୀ ସେତୁ ନିର୍ମାଣରେ ଅହେତୁକ ବିଳମ୍ବ,କଣ୍ଟ ସରିଲାଣି ସରୁନି କାମ!

ରଣପୁର,(ନୟାଗଡ଼ ଦର୍ପଣ):ନୟାଗଡ ଜିଲ୍ଲା ରଣପୁର ପାଇଁ ମଲାଗୁଣି(ମନ୍ଦାକିନୀ)ସେତୁ ହେଉଛି ଲାଇଫ୍ ଲାଇନ୍। ଏହି ସେତୁ ନିର୍ମାଣରେ ଅଧିକ ବିଳମ୍ବ ହେଉଥିବା ହେତୁ ଅପର ପକ୍ଷେ ରଣପୁର ପୂର୍ତ୍ତ ବିଭାଗ ଦ୍ୱାରା ନିର୍ମିତ ଅସ୍ଥାୟୀ ପୋଲ ଉପରେ ଯାତାୟତ କରିବା ଏ ଅଞ୍ଚଳର ସମସ୍ତ ଜନସାଧାରଣଙ୍କ ଠାରୁ ଆରମ୍ଭ କରି ଛାତ୍ରଛାତ୍ରୀ, ବ୍ୟବସାୟୀ, ଆମ୍ବୁଲାନ୍ସ ଯାତାୟାତ କରିବା, ଏପରିକି ରୋଗୀସେବା ଆଦି ସମସ୍ତ ପ୍ରକାର କାର୍ଯ୍ୟ ବିପଦପୂର୍ଣ୍ଣ ହୋଇପଡିଛି। ଚଳିତ ବର୍ଷ ନିର୍ବାଚନକୁ ଆଖି ଆଗରେ ରଖି ନାଁ’ ନେବା ପାଇଁ ସେତୁ ନିର୍ମାଣ କାମ ଆରମ୍ଭ ହୋଇଥିଲେ ମଧ୍ୟ ବର୍ଷା ଋତୁ ଆସି ଯାଇଥିଲା। ଅଦ୍ୟାବଧି  କାମ ବନ୍ଦ ହୋଇ ପଡିଛି। ଏପଟେ    ଅବଧି(କଣ୍ଟ)ସରିଲାଣି;ସରୁନି ନିର୍ମାଣ କାମ। ବର୍ଷ ବର୍ଷ ଧରି ଅଧାପନ୍ତରିଆ ଭାବେ ପଡ଼ିରହିଛି ବ୍ରିଜ। ମିଲିଭଗତରେ ଚାଲିଛି ହରିଲୁଟ।ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକାରେ ବଳି ପଡୁଛି ସର୍ବସାଧାରଣଙ୍କ ସ୍ୱାର୍ଥ। ପିସି କାରବାରରେ ଝୁଣ୍ଟିଛି ମଲାଗୁଣି ସେତୁର ବାସ୍ତବ ବିକାଶ। ଇଏ ହେଉଛି ରାଜ  ସୁନାଖଳା ଓ ରଣପୁରକୁ ସଂଯୋଗ କରୁଥିବା ମନ୍ଦାକିନୀ ସେତୁର ଦୃଶ୍ୟ। ୫କୋଟି ୪୧ଲକ୍ଷ ଟଙ୍କା ବ୍ୟୟରେ ଚାଲିଛି ବ୍ରିଜର ନିର୍ମାଣ କାର୍ଯ୍ୟ। ୨୦୧୪ ମସିହାରେ ବିଜେଡି ସରକାର ଅମଳରେ ବ୍ରିଜ୍ ନିର୍ମାଣ ପାଇଁ ହୋଇଥିଲା ଶିଳାନ୍ୟାସ। ଏହାରି ଭିତରେ ଏକାଧିକ ବର୍ଷ ବିତି ଯାଇଥିଲେ ମଧ୍ୟ ସରୁନି ବ୍ରିଜ ନିର୍ମାଣ କାମ। ପୂର୍ତ୍ତ ବିଭାଗ ଅଧିନରେ ବ୍ରିଜର ନିର୍ମାଣ କାମ ଚାଲିଥିବା ବେଳେ ନିର୍ମାଣରେ ନିମ୍ନମାନର କାମ ସାଙ୍ଗକୁ ସରୁ ଓ ଲୋକାଲ୍ ରଡ୍ ବ୍ୟବହାର କରା ଯାଉଥିବାରୁ ବ୍ରିଜର ସ୍ଥାୟୀତ୍ୱକୁ ନେଇ ସନ୍ଦେହ କରିଛନ୍ତି ସ୍ଥାନୀୟ ବାସିନ୍ଦା। ସେପଟେ ସଂମ୍ପୃକ୍ତ ସହକାରୀ ଯନ୍ତ୍ରୀ ଅସୁସ୍ଥତା ଦର୍ଶାଇ କେବେବି ବ୍ରିଜ ନିର୍ମାଣ କାମର ତଦାରଖ କରୁନଥିବା ସଙ୍ଗୀନ ଅଭିଯୋଗ ହେଇଥିବାବେଳେ ଠିକାଦାର ମନଇଚ୍ଛା କାମ କରୁଥିବାରୁ ବଡ଼ ଧରଣର ଦୁର୍ନୀତି ହେଉଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା। ସେପଟେ ବ୍ରିଜ ନିର୍ମାଣ କାମ ହେଉଥିବାରୁ ଲୋକଙ୍କ ଯାତାୟାତ ପାଇଁ ନିର୍ମାଣ ହୋଇଥିବା ଅସ୍ଥାୟୀ ରାସ୍ତା ପାଲଟିଛି ମରଣଯନ୍ତା। ଏହି ରାସ୍ତା ଉପରେ ଆଖପାଖ ଅଞ୍ଚଳର ୨୦ ଗୋଟି ପଞ୍ଚାୟତର ଲୋକେ ନିର୍ଭର କରିଥାନ୍ତି। ପ୍ରତିଦିନ ଶହ ଶହ ସଂଖ୍ୟକ ଭାରୀଯାନ ଠାରୁ ଆରମ୍ଭ କରି ଛାତ୍ରଛାତ୍ରୀ, ବ୍ୟବସାୟୀ ଓ ସ୍ଥାନୀୟ ଲୋକ ଏହି ରାସ୍ତା ଦେଇ ଯିବା ଆସିବା କରିଥାନ୍ତି। କିନ୍ତୁ ରାସ୍ତାର ଦୁରାବସ୍ଥା ପାଇଁ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି ଲୋକେ। ବ୍ରିଜ ନିର୍ମାଣରେ ଅହେତୁକ ବିଳମ୍ବ ଓ ଠିକାଦାରଙ୍କ ପ୍ରତି ଜିଲ୍ଲା ଠାରୁ ସ୍ଥାନୀୟ ପୂର୍ତ୍ତ ବିଭାଗର ଅଧିକାରୀ ମାନଙ୍କର କାହିଁକି ଏତେ ଅନୁକମ୍ପା? ସେଥିପାଇଁ ଏଭଳି ସମସ୍ୟା ସୃଷ୍ଟି ହେଉଥିବା ଅଭିଯୋଗ କରିଛନ୍ତି ଅଞ୍ଚଳ ବାସୀ। ଯଦି ଏ ସଙ୍କ୍ରାନ୍ତୀୟ ବ୍ୟବସ୍ଥାରେ ଜିଲ୍ଲା ପ୍ରଶାସନ ସମେତ ବିଭାଗୀୟ କର୍ତ୍ତୃପକ୍ଷ ତୁରନ୍ତ ବିହିତ ପଦକ୍ଷେପ ନ ନିଅନ୍ତି ତେବେ ଆଗାମୀ ଦିନରେ ରଣପୁର ଓ ସୁନାଖଳା ଅଞ୍ଚଳର ବୁଦ୍ଧିଜୀବୀ, ଛାତ୍ରଛାତ୍ରୀଙ୍କ ସମେତ ଜନସାଧାରଣ ରାଜରାସ୍ତାକୁ ଓହ୍ଲେଇବେ ବୋଲି ଚେତାବନୀ ଦେଇଛନ୍ତି।

Related posts