ଶ୍ରୀକୃଷ୍ଣଙ୍କ ମୁଖ ନିଃସୃତ ଶ୍ରୀମଦ୍ଭାଗତ ଗୀତା ହିଁ ବିଶ୍ୱର ଏକ ବିସ୍ମୟ ଗ୍ରନ୍ଥ

ନୟାଗଡ଼,(ନୟାଗଡ଼ ଦର୍ପଣ): ଶ୍ରୀମଦ୍ଭାଗବତ ଗୀତା ବିଦ୍ୟାଳୟ,ଓଡ଼ିଶା ଦ୍ବାରା ପ୍ରାୟୋଜିତ ତଥା ନୟାଗଡ଼ ଜିଲ୍ଲା ଗୀତାଗୋଷ୍ଠୀ ଦ୍ବାରା ଆୟୋଜିତ ରାଜ୍ଯ ସ୍ତରୀୟ ଚତୁର୍ଥ ସମ୍ମିଳନୀ ଏବଂ ଅଧିବେଶନ ନୟାଗଡ଼ ପୁରୁଣା ସହରସ୍ଥିତ ‘ଖାଙ୍କୀ ମଠ’ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଆଧ୍ୟାତ୍ମିକ ଆନ୍ଦୋଳନ ଓ ଜନ ଜାଗରଣ କାର୍ଯ୍ୟକ୍ରମରେ ସ୍ବାମୀ ଅଖଣ୍ଡାନନ୍ଦ ମୁଖ୍ଯ ଅତିଥି, ରାଜ୍ଯ ସଂଗଠନର ସମ୍ପାଦକ ବାସୁଦେବ ଭଟ୍ଟ, ପଣ୍ଡିତ ବ୍ରଜକିଶୋର ମହାନ୍ତି ଓ ପଣ୍ଡିତ ପଦ୍ମନାଭ ପାଣିଗ୍ରାହୀ ସମ୍ମାନିତ ଅତିଥିଭାବେ ଏବଂ ପଣ୍ଡିତ ମୃତ୍ୟୁଞ୍ଜୟ ନାରାୟଣ ପଣ୍ଡା ମୁଖ୍ଯ ବକ୍ତା ରୂପେ ଯୋଗଦେଇ ଭଗବାନ ଶ୍ରୀକୃଷ୍ଣଙ୍କ ମୁଖ ନିଃସୃତ ଶ୍ରୀମଦ୍ଭାଗବତ ଗୀତା ହିଁ ବିଶ୍ବର ଏକ ବିସ୍ମୟ ଗ୍ରନ୍ଥ; ଯାହାର ପଠନ, ଉଚ୍ଚାରଣ, ମନନ ପ୍ରତ୍ୟହ ପ୍ରତିଟି ଗୃହ ଓ ବିଦ୍ୟାଳୟରେ ଆରମ୍ଭ ହେବା ସର୍ବାଦୌ ଆବଶ୍ୟକ। ଏହା ଫଳରେ ଆଜିର ମନୁଷ୍ଯ ଭୌତିକ ଆକର୍ଷଣରୁ ସମ୍ପୂର୍ଣ୍ଣ ମୁକ୍ତ ହୋଇ ସୁନ୍ଦର ଆଧ୍ୟାତ୍ମିକ ଓ ସାମାଜିକ ବିକାଶରେ ସହାୟକ ହୋଇପାରିବ। ଅନୁଷ୍ଠାନର ସଭାପତି ଗଦାଧର ମହାରଣା,ସମ୍ପାଦକ ପ୍ରାଧ୍ୟାପକ ଡକ୍ଟର କୈଳାସ ବାଣ୍ଠ ମଞ୍ଚ ପରିଚାଳନା କରିଥିବାବେଳେ ପଣ୍ଡିତ ଈଶ୍ବର ଚନ୍ଦ୍ର ଆଚାର୍ଯ୍ଯ ଧନ୍ୟବାଦ ଅର୍ପଣ କରିଥିଲେ। ଶ୍ରୀରାମକୃଷ୍ଣ ଆଦର୍ଶ ବିଦ୍ୟାଳୟର ପ୍ରଧାନଶିକ୍ଷକ, ଗୁରୁମା, ଶତାଧିକ ଛାତ୍ରୀମାନଙ୍କୁ ଓ ଉପସ୍ଥିତ ଶତାଧିକ ଭକ୍ତଙ୍କୁ ପଠନ ସୁଲଭ ପାଇଁ ବିନାମୂଲ୍ଯରେ ଗୀତାଗ୍ରନ୍ଥ, ଗୋଲାପ ଫୁଲ ଓ ଉତ୍ତରୀୟ ପ୍ରଦାନ ସହିତ ସାମୂହିକ ଆଳତୀ ତଥା ପ୍ରସାଦ ସେବନ କରାଯାଇଥିଲା।

Related posts