ସାମାନ୍ୟ ବର୍ଷାରେ ନୟାଗଡ଼-ଓଡ଼ଗାଁ ରାସ୍ତା ବେହାଲ

ନୟାଗଡ଼,(ନୟାଗଡ଼ ଦର୍ପଣ): ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ସାମାନ୍ୟ ବର୍ଷା ହେଲେ ନୟାଗଡ଼ ମୁନିସିପାଲିଟି ଅନ୍ତର୍ଗତ ୧୧ ନଂ ୱାର୍ଡ ମଧ୍ୟ ଦେଇ ଯାଇଥିବା ନୟାଗଡ଼-ଓଡ଼ଗାଁ ରାସ୍ତା ଜଳମଗ୍ନ ହେବା ସହିତ ଯାତାୟାତରେ ଘୋର ସମସ୍ୟା ଦେଖା ଦେଉଛି। ଏପରିକି ଅନେକ ସମୟରେ ଛୋଟମୋଟ ଦୁର୍ଘଟଣା ଘଟୁଥିବା ଘଟଣା ସାମନାକୁ ଆସୁଛି। ଏହି ୱାର୍ଡ ଅନ୍ତର୍ଗତ ପଣ୍ଡା କ୍ଲିନିକ ଠାରୁ ଲେଙ୍କୁଡ଼ିପଡା ଛକ ପର୍ଯ୍ୟନ୍ତ ଯାଇଥିବା ଏହି ରାଜ୍ୟ ରାଜପଥର ଅଧିକାଂଶ ସ୍ଥାନରେ ପିଚୁ ଉଠିଯାଇ ଖାଲ ଢ଼ିପ ହୋଇଯାଇଥିବା ବେଳେ ସାମାନ୍ୟ ବର୍ଷାରେ ଏଠାରେ ପାଣି ଲହଡ଼ି ଭାଙ୍ଗିଥାଏ। ଏହି ରାସ୍ତା ଦେଇ ଦୈନିକ ଶହ ଶହ ସଂଖ୍ୟାରେ ଯାନବାହନ ଚଳାଚଳ କରୁଥିବା ବେଳେ ଦୀର୍ଘ ଏକ ବର୍ଷ ହେଲା ଏହି ସମସ୍ୟା ଲାଗି ରହିଛି। ଏପରିକି ଏହି ରାସ୍ତା ଦେଇ ଦୈନିକ ଭୁବନେଶ୍ୱର ରୁ ଭଞ୍ଜନଗର, ବ୍ରହ୍ମପୁର, ଟିକାବାଲି, ଫୁଲବାଣୀ, କୋରାପୁଟ ଆଦି ଦୂର ସ୍ଥାନକୁ ଦ୍ରୁତଗାମୀ ବସ ଚଳାଚଳ କରିଥାଏ। ସେହିପରି ଓଡ଼ିଶା ପ୍ରସିଦ୍ଧ ଓଡ଼ଗାଁ ଶ୍ରୀରଘୁନାଥ ମନ୍ଦିର ଏବଂ ଶରଣକୁଳ ଲଡୁବାବାଙ୍କ ଦର୍ଶନ ନିମନ୍ତେ ମଧ୍ୟ ରାଜ୍ୟ ସରକାରଙ୍କ ପଦସ୍ଥ ଅଫିସରଙ୍କ ଠାରୁ ଆରମ୍ଭ କରି ନେତା, ମନ୍ତ୍ରୀ, ଉଚ୍ଚ ନ୍ୟାୟାଳୟ ବିଚାରପତି ମାନେ ଏହି ରାସ୍ତା ଦେଇ ଯିବା ଆସିବା କରିଥାନ୍ତି। ଏଠାରୁ ମାତ୍ର ଅଧ କିଲୋମିଟର ଦୂରରେ ନୟାଗଡ଼ କଲେଜ ଅବସ୍ଥିତ ଥିବା ବେଳେ ଏହି ବାଟ ଦେଇ ଦୈନିକ ଯାଉଥିବା ଛାତ୍ରଛାତ୍ରୀ ମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏ ନେଇ ୧୧ ନଂ ୱାର୍ଡବାସୀଙ୍କ ପକ୍ଷରୁ ନୟାଗଡ଼ ପୂର୍ତ୍ତ ବିଭାଗ ନିକଟରେ ବାରମ୍ବାର ଅଭିଯୋଗ କରାଯାଉଥିଲେ ମଧ୍ୟ କୌଣସି ସୁଫଳ ମିଳୁ ନାହିଁ। ଅଭିଯୋଗ କଲେ ମେଣ୍ଟାଲ ଏବଂ ବାଲି ପକେଇ ଦେଇ ତାଙ୍କ କାମ ଶେଷ କରୁଛନ୍ତି।ଯାହାର କୌଣସି ସୁଫଳ ମିଳୁ ନଥିବା ବେଳେ ପୁନର୍ବାର ଯେଉଁ ଅବସ୍ଥାକୁ ସେହି ଅବସ୍ଥା ହେଉଛି। ଗତବର୍ଷ ନୟାଗଡ଼ ଟ୍ରାଫିକ ଛକରୁ କୋଏନା ଢ଼ାବା ପର୍ଯ୍ୟନ୍ତ ଏହି ରାସ୍ତା ୨ କୋଟି ୮୦ ଲକ୍ଷ ଟଙ୍କା ବ୍ୟୟ ବରାଦରେ ନିର୍ମାଣ କରାଯାଇଥିବା ବେଳେ କୋଏନା ଢ଼ାବା ଠାରୁ ଲେଙ୍କୁଡ଼ିପଡା ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କରାଗଲା ନାହିଁ। ଫଳରେ ସାମାନ୍ୟ ବର୍ଷାରେ ରାସ୍ତା ସମ୍ପୂର୍ଣ୍ଣ ପାଣିରେ ଉବୁଟୁବୁ ହେଉଥିବା ବେଳେ ତୁରନ୍ତ ରାସ୍ତା ନିର୍ମାଣ କରିବା ପାଇଁ ଅଞ୍ଚଳବାସୀ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରିଛନ୍ତି।

Related posts