ପ୍ରବାଦ ପୁରୁଷ ଦାସିଆ ଅଜାଙ୍କ ସ୍ଥାପନ କରାଯାଇଥିବା ପ୍ରତିମୂର୍ତ୍ତିର ସଂଶୋଧନ ଓ ପ୍ରତିମୂର୍ତ୍ତି ଉପରେ ଏକ ଛତା ନିର୍ମାଣ ପାଇଁ ବିଧାୟକଙ୍କୁ ଦାବିପତ୍ର ପ୍ରଦାନ

ନୟାଗଡ଼, (ନୟାଗଡ଼ ଦର୍ପଣ): ସଂସ୍କୃତି ବିଭାଗ ପକ୍ଷରୁ ଓଡିଶାର ପ୍ରବାଦ ପୁରୁଷ ବିସ୍ମୟ ସାଧକ ଦାସିଆ ଅଜାଙ୍କର ପୂର୍ଣ୍ଣାବୟବ ବ୍ରୋଞ୍ଜ ପ୍ରତିମୂର୍ତ୍ତି ୨୦୧୭ ମସିହା ମାର୍ଚ୍ଚ ୧୯ ତାରିଖ ରେ ନୟାଗଡ଼ କଚେରୀ ବଜାର ଛକରେ ସ୍ଥାପନ କରାଯାଇଛି। ମାତ୍ର ପ୍ରତିମୂର୍ତ୍ତିର ନିର୍ମାଣ ସମୟର ଗଢଣ ଓ ସ୍ଥାପନ ସମୟରେ ଅସାବଧାନତା ଯୋଗୁଁ ପ୍ରତିମୂର୍ତ୍ତିର ମୁହଁ ତଳମୁହାଁ ହୋଇ ରହିଛି। ଏହାଦ୍ବାରା ପ୍ରତିମୂର୍ତ୍ତିଟି ଆକର୍ଷଣୀୟ ହୋଇ ନାହିଁ। ଏ ସମ୍ପର୍କରେ ପ୍ରତିମୂର୍ତ୍ତିର ଅନାବରଣ ଦିନ ମାନ୍ଯବର ସଂସ୍କୃତି ମନ୍ତ୍ରୀ ଓ ପ୍ରଶାସନିକ ଅଧିକାରୀ ମାନଙ୍କୁ ଅବଗତ କରାଯାଇଥିଲା।

ସେମାନେ ଏହାକୁ ସଂଶୋଧନ କରିବା ପାଇଁ ପ୍ରତିଶ୍ରୁତି ପ୍ରଦାନ କରିଥିଲେ। ମାତ୍ର ଏହାରି ଭିତରେ ଦୀର୍ଘ ସାତବର୍ଷ ବିତିଯାଇଥିଲେ ମଧ୍ଯ ପ୍ରତିମୂର୍ତ୍ତିର ସଂଶୋଧନ କାର୍ଯ୍ୟ କରାଯାଇ ନାହିଁ। ଜନ ମାନସରେ ଏବଂ ବୁଦ୍ଧିଜୀବୀ ମହଲରେ ଏହା ସମସ୍ତଙ୍କୁ ମର୍ମାହତ କରୁଛି। ସଂସ୍କୃତି ବିଭାଗ ପକ୍ଷରୁ ପ୍ରତିମୂର୍ତ୍ତିର ସଂଶୋଧନ କାର୍ଯ୍ୟ ଓ ମଣ୍ଡପର ମରାମତି କାର୍ଯ୍ୟ ସହିତ ବିଦ୍ଯୁତ୍ ଏବଂ କେବୁଲ୍ ତାରରେ ଛନ୍ଦି ହୋଇ ରହିଥିବା ପ୍ରତିମୂର୍ତ୍ତିକୁ ମୁକ୍ତ କରିବା ସଙ୍ଗେ ସଙ୍ଗେ ପ୍ରତିମୂର୍ତ୍ତି ଉପରେ ଏକ ଛତା ନିର୍ମାଣ ନିମନ୍ତେ ମାନ୍ଯବର ସଂସ୍କୃତି ବିଭାଗ ମନ୍ତ୍ରୀଙ୍କୁ ସ୍ଥାନୀୟ ବିଧାୟକ ଡକ୍ଟର ଅରୁଣ କୁମାର ସାହୁଙ୍କ ଜରିଆରେ “ଦାସିଆ ଅଜା ସ୍ମୃତି କମିଟି” ତରଫରୁ ସମାଜସେବୀ ପ୍ରମୋଦ ପଟ୍ଟନାୟକ, ଅରୁଣ କୁମାର ମହାନ୍ତି ଓ ଶ୍ରୀଧର ସାହୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।

Related posts