କବିସୂର୍ଯ୍ୟ ସଦାନନ୍ଦ ବ୍ରହ୍ମା ସାହିତ୍ୟ ଓ ସଂସ୍କୃତି ପରିଷଦ ପକ୍ଷରୁ ବର୍ଷା କବିତା ଆସର ଏବଂ ପୁସ୍ତକ ଉନ୍ମୋଚନ

ନୟାଗଡ଼,(ନୟାଗଡ଼ ଦର୍ପଣ): କବିସୂର୍ଯ୍ୟ ସଦାନନ୍ଦ ବ୍ରହ୍ମା ସାହିତ୍ୟ ଓ ସଂସ୍କୃତି ପରିଷଦ,ନୟାଗଡ଼ ପକ୍ଷରୁ ଏକ ବର୍ଷା କବିତା ଆସର ଆଜି ପୂର୍ବାହ୍ନରେ ସ୍ଥାନୀୟ କେସି କ୍ଲବ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି।ଏକ ବର୍ଣ୍ଣାଢ଼୍ୟ ପରିବେଶରେ ଆୟୋଜିତ ଏହି କବିତା ଆସର ଏବଂ ସାହିତ୍ୟ ସଭାରେ ପରିଷଦ ସଭାପତି ପ୍ରମୋଦ ପଟ୍ଟନାୟକ ଅଧ୍ୟକ୍ଷତା
କରିଥିବା ବେଳେ ଅତିଥିଭାବେ ବିଶିଷ୍ଟ ସାହିତ୍ୟିକ,ଗବେଷକ ତଥା ନାଟ୍ୟ ନିର୍ଦ୍ଦେଶକ ନାଟ୍ୟଭୂଷଣ ଡ.ବିଜୟ କୁମାର ଚୌଧୁରୀ, ଆକାଶବାଣୀ କଟକ କେନ୍ଦ୍ରର ସ୍ୱୀକୃତି ପ୍ରାପ୍ତ ଗୀତିକାର, କବି, ଉଦ୍‌ଘୋଷକ ତଥା ନାଟ୍ୟକାର ବିରଞ୍ଚି ନାରାୟଣ ତ୍ରିପାଠି ଏବଂ ରାଜ୍ୟର ସୁନାମଧନ୍ୟ ପାଲା ଗାୟକ ତଥା ରାଜ୍ୟ ପାଲା ଗାୟକ ପରିଷଦର ସଂଗଠନ ସମ୍ପାଦକ ଗାୟକ କଳାନିଧି ମନୋଜ କୁମାର ମିଶ୍ର ଅତିଥିଭାବେ ଯୋଗଦାନ କରି ବର୍ଷା ସମ୍ପର୍କିତ ବିଭିନ୍ନ କାବ୍ୟ କବିତା ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ । ସଭା ପ୍ରାରମ୍ଭରେ ଅତିଥିମାନେ ଶ୍ରୀଜଗନ୍ନାଥଙ୍କ ଫଟୋ ଚିତ୍ରରେ ଧୂପ,ପୁଷ୍ପ ଅର୍ପଣ କରିଥିଲେ।

ଅନୁଷ୍ଠାନର ସମ୍ପାଦକ କଣ୍ଠଶିଳ୍ପୀ ତଥା କବି ପ୍ରଶାନ୍ତ କୁମାର ଦାଶ ସଭା ପ୍ରାରମ୍ଭରେ ଏକ ଭଜନ ପରିବେଷଣ କରିଥିଲେ । ଅନୁଷ୍ଠାନର ସହ ସମ୍ପାଦକ ଲକ୍ଷ୍ମୀଧର ସାହୁ ସ୍ୱାଗତ ଭାଷଣ ଏବଂ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ କବି ନିରାକାର ସ୍ୱାଇଁ ଧନ୍ୟବାଦ ପ୍ରଦାନ କରିଥିଲେ। ଏହି ଅବସରରେ ବିଶିଷ୍ଟ ସ୍ତମ୍ଭକାର, କବି ତଥା ଶିକ୍ଷକ ଲଳିତ ମୋହନ ମିଶ୍ରଙ୍କୁ କବିସୂର୍ଯ୍ୟ ସଦାନନ୍ଦ ବ୍ରହ୍ମା ସାହିତ୍ୟ ସମ୍ମାନ ପ୍ରଦାନ କରାଯାଇଥିଲା । ସେହିପରି ଗାୟକ ବିଶାରଦ ବ୍ରଜକିଶୋର ଜେନାଙ୍କ ଲିଖିତ ଦୁଇଟି କାବ୍ୟ ପୁସ୍ତକ ‘ଜାନକୀଶ ବିଳାସ’ ଏବଂ ‘ମହାଭାରତ ସମୀକ୍ଷା’, ଡ.ସୁରେଶ ଚନ୍ଦ୍ର ବରାଡ଼ଙ୍କ ଲିଖିତ ଉପନ୍ୟାସ ‘ଜଗ ଜଗ ନାରୀ’ ଏବଂ ସଦାନନ୍ଦ ଗୁରୁଙ୍କ ଦ୍ୱାରା ଲିଖିତ ପୁସ୍ତକ ‘ସଦାନନ୍ଦ ବର୍ଣ୍ଣ ପରିଚୟ’ ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା। ଅଧ୍ୟାପିକା କବୀ ନିଳିମା ନନ୍ଦ ଏବଂ କବି ଗୋପୀନାଥ ସେଠୀଙ୍କ ମିଳିତ ସଂଯୋଜନାରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆସିଥିବା ୫୬ ଜଣ କବି ସେମାନଙ୍କ ସ୍ୱରଚିତ କବିତା ପାଠ କରିଥିବା ବେଳେ ସେମାନଙ୍କୁ ଅନୁଷ୍ଠାନ ପକ୍ଷରୁ ଉପଢୌକନ ଏବଂ ମାନପତ୍ର ଦେଇ ସମ୍ବର୍ଦ୍ଧନା ଦିଆ ଯାଇଥିଲା।

Related posts