ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ଜାଜ୍ଵଲ୍ୟମାନ ସାରସ୍ବତ ସାଧକ, କବି, ପ୍ରାବନ୍ଧିକ, ଗାଳ୍ପିକ, ଔପନାସିକ ତଥା ଲେଖକ ଡ. ସୁରେଶ ଚନ୍ଦ୍ର ବରାଡ଼ଙ୍କ ‘ଜଗ ଜଗ ନାରୀ’ ଉପନ୍ୟାସ ପୁସ୍ତକ ଲୋକାର୍ପିତ ହୋଇ ଯାଇଛି। ସଭାପତି ପ୍ରମୋଦ ପଟ୍ଟନାୟକଙ୍କ ଙ୍କ ପୌରୋହିତ୍ୟରେ କବିସୂର୍ଯ୍ୟ ସଦାନନ୍ଦ ବ୍ରହ୍ମା ସାହିତ୍ୟ ଓ ସଂସ୍କୃତି ପରିଷଦ ନୟାଗଡ଼ ଦ୍ଵାରା କେ ସିଂ କ୍ଳବ ସଭା ଗୃହରେ ଆୟୋଜିତ ବର୍ଷା କାଳୀନ ସାହିତ୍ୟ ଆସର ‘ବର୍ଷା କବିତା ଆସର’ କାର୍ଯ୍ୟକ୍ରମରେ ଆଜି ଅତିଥି ମାନଙ୍କ କରକମଳରେ ଏହି ଉପନ୍ୟାସ ପୁସ୍ତକର ଲୋକାର୍ପଣ ହୋଇ ଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ନାଟ୍ୟ ଭୂଷଣ ଡ.ବିଜୟ କୁମାର ଚୈ।ଧୂରୀ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତାଭାବେ ପ.ବିରଞ୍ଚି ନାରାୟଣ ତ୍ରିପାଠୀ ଯୋଗ ଦେଇଥିଲେ। ଏହି ଆସରରେ କଳାନିଧି ମନୋଜ କୁମାର ମିଶ୍ର ଓ ପ. କିଶୋର କୁମାର କର ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିବା ବେଳେ ସମ୍ପାଦକ ପ୍ରଶାନ୍ତ କୁମାର ଦାଶ ସଂଯୋଜନା କରିଥିଲେ। ଓଡ଼ିଆ ସାହିତ୍ୟ ଭଣ୍ଡାରକୁ ଡ.ବରାଡଙ୍କର ଦାନ ପ୍ରଶଂସା ଯୋଗ୍ୟ ବୋଲି ଅତିଥି ମାନେ ସଭାରେ ମତ ବ୍ୟକ୍ତ କରିଥିଲେ।
ଉପନ୍ୟାସଟିର ସମୀକ୍ଷା କରିଥିଲେ ସମ୍ବର୍ଦ୍ଧନା ପରିବାରର ସଭାପତି କବି ନିରାକାର ସ୍ବାଇଁ। ଏଥି ସହିତ ସଦାନନ୍ଦ ଗୁରୁଙ୍କର “ବର୍ଣ୍ଣ ପରିଚୟ” ଓ ବ୍ରଜ ଯେନାଙ୍କର “ଜନକୀଶ ବିଳାସ” ମଧ୍ୟ ଉନ୍ମୋଚିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ୭୧ରୁ ଅଧିକ କବି କବୟତ୍ରୀ ଯୋଗ ଦେଇ ସ୍ବରଚିତ କବିତା ଓ ଗଳ୍ପ ପାଠ କରିଥିଲେ। କବିତା ପାଠୋତ୍ସବକୁ ଗୋପୀନାଥ ସେଠୀ ଓ ନୀଳିମା ନନ୍ଦ ସଂଯୋଜନା କରିଥିଲେ। ଔପନ୍ୟାସିକ ଡ.ବରାଡ଼ଙ୍କର ଲୋକାର୍ପିତ ଏହି ଉପନ୍ୟାସ ପୁସ୍ତକ ପାଇଁ ନୟାଗଡ଼ କଲେଜର ଓଡ଼ିଆ ଭାଷା ସାହିତ୍ୟ ବିଭାଗର ପ୍ରାକ୍ତନ ମୁଖ୍ୟ ଡ.ଗୋବିନ୍ଦ ଚନ୍ଦ୍ର ବେହେରା, ଲଡ଼ୁବାବା ସାହିତ୍ୟ ସଂସ୍କୃତି ପରିଷଦର ସଭାପତି ବରିଷ୍ଠ ସାମ୍ବାଦିକ ସତ୍ୟନାରାୟଣ ମିଶ୍ର, ସମ୍ବର୍ଦ୍ଧନା ପରିବାରର ସଦସ୍ୟ କବି କଲ୍ଲୋଳ ଗୋଦାବରୀ ବସନ୍ତିଆ ପ୍ରମୁଖ କବିଙ୍କୁ ଶୁଭେଚ୍ଛା ଜଣାଇ ତାଙ୍କର ଉତ୍ତରୋତ୍ତର ସାରସ୍ବତ ଉନ୍ନତି ତଥା ଜୀବନରେ ସଫଳତା ପାଇଁ ଜଗନ୍ନାଥଙ୍କ ପାଖରେ ଅଳି କରିଛନ୍ତି।