ଜାମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନ

ଭାରତର ନିର୍ବାଚନ କମିଶନ ଦଶ ବର୍ଷ ବ୍ୟବଧାନ ପରେ ଜାମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି। ଜାମ୍ମୁ କାଶ୍ମୀର ବିଧାନସଭାର ମୋଟ୍ ଆସନ ସଂଖ୍ୟା ହେଉଛି ୯୦। ଏହି ନବେ ଆସନ ପାଇଁ ତିନୋଟି ପର୍ଯ୍ୟାୟରେ ଯଥା ସେପ୍ଟେମ୍ବର ୧୮,୨୫ ଓ ଅକ୍ଟୋବର ୧ତାରିଖରେ ଭୋଟ ଗ୍ରହଣ କରାଯିବ। ଅକ୍ଟୋବର ୪ ତାରିଖ ଦିନ ଭୋଟ ଗଣତି କରାଯାଇ ଫଳାଫଳ ଘୋଷଣା କରାଯିବ ବୋଲି ସୂଚନା ମିଳିଛି। ଏହି ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର। ଏହା ବଡ ଖୁସିର କଥା। କାରଣ ଦୀର୍ଘ ଦଶ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟାଇ ଏଠାରେ ନିର୍ବାଚନ ହେବାକୁ ଯାଉଛି। ୨୦୧୪ରେ ଶେଷ ଥର ପାଇଁ ଏଠାରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା।
ସୂଚାଇ ଦେବାକୁ ଚାହେଁ ଯେ ୨୦୧୯ ଅଗଷ୍ଟ ମାସ ୫ତାରିଖ ଦିନ କେନ୍ଦ୍ର ସରକାର ଏକ ବିଜ୍ଞପ୍ତି ଜରିଆରେ ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ପ୍ରତ୍ୟାହାର କରିବା ସହ ଏହାକୁ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳ,ଯଥା:-ଜାମ୍ମକାଶ୍ମୀର ଓ ଲଦାଖରେ ପରିଣତ କରିଥିଲେ। ଫଳରେ ୨୦୧୯ ରେ ସେଠାରେ ବିଧାନ ସଭା ନିର୍ବାଚନ ଅନୁଷ୍ଠିତ ହୋଇ ପାରି ନ ଥିଲା। ତେବେ ୨୦୨୪ ସେପ୍ଟେମ୍ବର ୩୦ତାରିଖ ସୁଦ୍ଧା ଜାମ୍ମୁ କାଶ୍ମୀରରେ ବିଧାନ ସଭା ନିର୍ବାଚନ ଅନୁଷ୍ଠିତ କରାଇବାକୁ ସୁପ୍ରିମ କୋର୍ଟ ନିର୍ଦ୍ଦେଶ ଦେବା ପରେ ନିର୍ବାଚନ କମିଶନ ଏ ଦିଗରେ ତତ୍ପରତା ପ୍ରକାଶ କରିଥିଲେ।

ଜାମ୍ମୁ କାଶ୍ମୀରରେ ମୋଟ୍ ଜିଲ୍ଲା ସଂଖ୍ୟା ହେଉଛି ୨୦ । ଏହି ୨୦ ଗୋଟି ଜିଲ୍ଲାର ସର୍ବମୋଟ୍ ବିଧାନ ସଭାର ଆସନ ସଂଖ୍ୟା ହେଉଛି ୯୦। ଏଥି ମଧ୍ୟରୁ ତଫସିଲ ଭୁକ୍ତ ଜନଜାତି ପାଇଁ ୯, ତଫସିଲ ଭୁକ୍ତ ଜାତି ପାଇଁ ୭ ଏବଂ ଅବଶିଷ୍ଟ ୭୪ ଆସନ ସାଧାରଣ ବର୍ଗ ପାଇଁ ଉର୍ଦ୍ଧିଷ୍ଟ ଅଟେ। ଜାମ୍ମୁ କାଶ୍ମୀରରେ ମୋଟ୍ ପଞ୍ଜୀକୃତ ଭୋଟର୍ ସଂଖ୍ୟା ହେଉଛି ୮୭.୦୯ଲକ୍ଷ। ଏହି ଭୋଟର୍ ମାନଙ୍କ ମଧ୍ୟରୁ ୪୪.୪୬ଲକ୍ଷ ପୁରୁଷ ଭୋଟର୍ ଥିବା ବେଳେ ୪୨.୬୨ଲକ୍ଷ ମହିଳା ଭୋଟର୍ ରହିଛନ୍ତି। ପୁନଶ୍ଚ ୮୨୫୯୦ଜଣ ହେଉଛନ୍ତି ଭିନ୍ନକ୍ଷମ ଭୋଟର୍, ୨୬୬୦ଜଣ ଶତାୟୁ ଭୋଟର୍ ଏବଂ ୧୬୯ ଜଣ ତୃତୀୟ ଲିଙ୍ଗୀ ଭୋଟର୍ ମଧ୍ୟ ରହିଛନ୍ତି। ୩.୭୨ଲକ୍ଷ ଭୋଟର ପ୍ରଥମ ଥର ନିଜ ନିଜର ମତଦାନ ସାବ୍ୟସ୍ତ କରି ବାକୁ ଯାଉଛନ୍ତି। ସେପ୍ଟେମ୍ବର ମାସ ୧୮ରେ ୨୪ଟି ଆସନ ପାଇଁ ଭୋଟିଂ କରାଯାଉଥିବା ବେଳେ ୨୬ଟି ଆସନ ପାଇଁ ସେପ୍ଟେମ୍ବର ୨୫ରେ ଏବଂ ଅବଶିଷ୍ଟ ୪୦, ଟି ଆସନ ନିମନ୍ତେ ଅକ୍ଟୋବର ୧ତାରିଖ ଦିନ ଭୋଟ୍ ଗ୍ରହଣ କରାଯିବ।

ସମ୍ବିଧାନର ୩୭୦ଧାରାର ପ୍ରତ୍ୟାହାର ପରେ ପ୍ରଥମ କରି ଜାମ୍ମୁ କାଶ୍ମୀରର ଭୋଟର୍ ମାନେ ସେମାନଙ୍କ ମନ ପସନ୍ଦର ପ୍ରାର୍ଥୀ ମାନଙ୍କୁ ଭୋଟ୍ ଦେବେ। ତାପରେ ଭୋଟ ଗଣତି ହୋଇ କେଉଁ ରାଜନୈତିକ ଦଳ ସରକାର ଗଠନ କରିବ,ତାହା ମଧ୍ୟ ସ୍ପଷ୍ଟ ହୋଇଯିବ ଅକ୍ଟୋବର ୪ତାରିଖ ଦିନ। ସୁତରାଂ ରାଜ୍ୟବାସୀଙ୍କ ମନରେ ବହୁ ଉତ୍କଣ୍ଠା ପରିଲକ୍ଷିତ ହେଉଛି। ଆମ ଦେଶ ଭାରତ ଭାରତ ହେଉଛି ଗଣତନ୍ତ୍ରର ଜନନୀ। ଆମ ଦେଶରେ ଗଣତନ୍ତ୍ରର କଣ୍ଠରୋଧ କେହି କରି ପାରିବେ ନାହିଁ। ଭୋଟର୍ ମାନେ କୌଣସି ପ୍ରସଙ୍ଗରେ ପ୍ରଭାବିତ ନ ହୋଇ ନିଜର ସ୍ଵାଧୀନ ମତକୁ ସାବ୍ୟସ୍ତ କରିବାରେ ହେଳା କରନ୍ତୁ ନାହିଁ। ଅତୀତରେ ଏହି ରାଜ୍ୟରେ କେତେ ହିଂସା, ଗଣହତ୍ୟା ଓ ସଂହାର ସଂଘଟିତ ହୋଇ ସାରିଛି। କିନ୍ତୁ ଆଜି ପର୍ଯ୍ୟନ୍ତ ଏହା ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇ ରହିଛି ଏବଂ ରହିବ ମଧ୍ୟ।
⚫⚫⚫⚫⚫

ପ୍ର. ବିଜୟ କୁମାର ଜେନା (ରାଜନୀତି ବିଜ୍ଞାନ ବିଭାଗ) ଶାମୁକା ସାହି, ରଣପୁର, ନୟାଗଡ଼ ଦୂରଭାଷ:୯୯୩୭୪୮୬୧୮୩

Related posts