ନୟାଗଡ଼/ଓଡ଼ଗାଁ: (ନୟାଗଡ଼ ଦର୍ପଣ) ପଦ୍ମଶ୍ରୀ ରାଧାମୋହନଙ୍କ ପରଲୋକ ଘଟିଛି । ଭୁବନେଶ୍ବର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଛି । ଗତକାଲି ରାତିରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ସମ୍ଭବ ସ୍ବେଛାସେବୀ ଅନୁଷ୍ଠାନର ପ୍ରତିଷ୍ଠାତା ତଥା ବିଶ୍ବର ଜଣେ ଆଗଧାଡିର ପରିବେଶ ବିତ ପଦ୍ମଶ୍ରୀ ପ୍ରଫେସର ରାଧାମୋହନ । ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ରଙ୍ଗଣୀପାଟଣା ଗ୍ରାମର ପ୍ରଫେସର ରାଧାମୋହନ ଏବଂ ତାଙ୍କ ଝିଅ ସାବରମତୀଙ୍କୁ ଗତବର୍ଷ ପଦ୍ମଶ୍ରୀ ସମ୍ମାନ ମିଳିଥିଲା । ସେ ଏକ ଟାଙ୍ଗରା ଭୂମୀରେ ସୁନାର ଫସଲ ଫଳାଇ ଚର୍ଚ୍ଚାକୁ ଆସିଥିଲେ । ୧୯୮୯ ମସିହାରେ ଓଡ଼ଗାଁ ବ୍ଲକ ରୋହିବାଙ୍କ ଅଞ୍ଚଳର ଏକର ଏକର ଚାଷ ଜମି ଅନୂର୍ବର ହୋଇ ପଡ଼ି ରହିଥିଲା । ଏହି ଜମି ସବୁ ପାଣି ଅଭାବରୁ ଟାଙ୍ଗରା ପାଲଟିଥିଲା । ଲୋକମାନେ ଏହି ଜମିରେ ଚାଷର ଆଶା ଛାଡ଼ି ଦେଇଥିଲେ । ସାବରମତୀ ଏବଂ ପ୍ରଫେସର ରାଧାମୋହନ ଓଡ଼ଗାଁ ଫେରିବା ପରେ ଏହି ଟାଙ୍ଗରା ଭୂମୀ ତାଙ୍କୁ ଚିନ୍ତାରେ ପକାଇଥିଲା । କିଭଳି ଏହି ଜମିରେ ସୁନାର ଫସଲ ଫଳା ଯାଇପାରିବ ସେ ନେଇ ପ୍ରସ୍ତୁତି ଆରମ୍ଭ କରିଥିଲେ । ରାଧାମୋହନଙ୍କ ସମ୍ଭବ ଅନୁଷ୍ଠାନ ସହ ଜଡ଼ିତ ହେବା ପରେ ଅସମ୍ଭବକୁ ସମ୍ଭବରେ ପରିଣତ କରିବାକୁ ସେ ଲାଗି ପଡ଼ିଥିଲେ । ପ୍ରାୟ ୯୦ ଏକରରୁ ଅଧିକ ଜମିକୁ ପରୀକ୍ଷା କରିବା ପରେ ଜୈବିକ ଉପାୟରେ ଚାଷ କାର୍ଯ୍ୟ ଆରମ୍ଭ କରିଥିଲେ । ୧୯୯୨-୯୩ ମସିହାରେ ସେ ଏହି ଜୈବିକ ଚାଷ ପଦ୍ଧତି ଆପଣାଇ ସଫଳତା ପାଇଥିଲେ । କୃଷି ବିଜ୍ଞାନର ସହାୟତା ନେଇ ସଫଳତା ପାଇଥିଲେ । ବର୍ତ୍ତମାନ ଏହି ୯୦ ଏକର ଟାଙ୍ଗରା ଜମିରେ ସୁନାର ଫସଲ ଫଳୁଛି । ଏଥିସହିତ ଜୈବିକ କୃଷି ଫାର୍ମରେ ଶହେରୁ ଅଧିକ ପ୍ରକାରର ଦେଶୀ ଧାନ କିସମ ରହିଥିବା ଜଣାପଡ଼ିଛି । ଏହି ଫାର୍ମରେ ୧ ହଜାରରୁ ଅଧିକ ପ୍ରକାରର ଔଷଧ ବୃକ୍ଷ ମଧ୍ୟ ରୋପଣ କରିବା ସହ ସେ ଜଙ୍ଗଲ ସୃଷ୍ଟି କରିପାରିଛନ୍ତି । ଅନ୍ୟପକ୍ଷେ ପ୍ରଫେସର ରାଧାମୋହନ ବିଭିନ୍ନ କଲେଜରେ ଅଧ୍ୟାପନା କରି ତାଙ୍କର ଜୀବନ କାଳ ଆରମ୍ଭ ହୋଇଥିବା ବେଳେ ସରକାରଙ୍କ ବିଭିନ୍ନ ବିଭାଗରେ ମଧ୍ୟ କାର୍ଯ୍ୟ କରିଥିଲେ। ସେ ୨୦୦୫-୦୬ ମସିହାରେ ଓଡ଼ିଶାର ପ୍ରଥମ ସୂଚନା କମିଶନର ଭାବେ କାର୍ଯ୍ୟ
କରିଥିବା ବେଳେ ୟୁନାଇଟେଡ ଷ୍ଟେଟ ଅଫ ଆମେରିକାରୁ ଗ୍ଲୋବାଲ ରୋଲ ଅଫ ଅନର ପାଇଥିବା ଜଣାଯାଇଛି । ପଦ୍ମଶ୍ରୀ ରାଧାମୋହନଙ୍କ ପରଲୋକ ଖବର ସମସ୍ତଙ୍କୁ ବ୍ୟଥିତ କରିଛି ।
ନୟାଗଡ଼ ବିଧାୟକ ତଥା କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଶୋକ ବ୍ୟକ୍ତ କରିଛନ୍ତି । ତାଙ୍କ ପରିବାରକୁ ଭଗବାନ ସହାୟ ହୁଅନ୍ତୁ ବୋଲି ପ୍ରାର୍ଥନା କରିଛନ୍ତି ।
ନୟାଗଡ଼ର ଗର୍ବ ଓ ଗୌରବ ପଦ୍ମଶ୍ରୀ ରାଧାମୋହନଙ୍କ ପରଲୋକ
