ବିଶିଷ୍ଟ ନାଟ୍ୟକାର ପ୍ରାଧ୍ୟାପକ ରାମଚନ୍ଦ୍ର ମିଶ୍ରଙ୍କ ଜୀବନୀ ପୁସ୍ତକ ଉନ୍ମୋଚିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ଓଡ଼ିଆ ନାଟ୍ୟ ସାହିତ୍ୟର କିମ୍ବଦନ୍ତୀ ପୁରୁଷ, ବିଶିଷ୍ଟ ନାଟ୍ୟକାର ତଥା ନାଟ୍ୟ ନିର୍ଦ୍ଦେଶକ ପ୍ରାଧ୍ୟାପକ ରାମଚନ୍ଦ୍ର ମିଶ୍ରଙ୍କ ଜୀବନୀ ପୁସ୍ତକ ‘ନନାଙ୍କ ଡାଏରୀ’ ନୟାଗଡ଼ ବ୍ଳକ ସଭାଗୃହରେ ଆଜି ପୂର୍ବାହ୍ନରେ ଅତିଥିମାନଙ୍କ ଦ୍ୱାରା ପାଠକାର୍ପଣ ହୋଇଯାଇଛି। ନାଟ୍ୟକାରଙ୍କ ସୁପୁତ୍ର ଡ.ଅଶୁତୋଷ ମିଶ୍ରଙ୍କ ଦ୍ୱାରା ଲିଖିତ ଏହି ଜୀବନୀ ପୁସ୍ତକ ଉନ୍ମୋଚନ ସମାରୋହ ଉତ୍ସବରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ନୟାଗଡ଼ ପୌରପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇ,ପ୍ରକାଶକ ବନୋଜ ମିଶ୍ର ବିଶିଷ୍ଟ ଅତିଥି ଭାବେ ସାହିତ୍ୟିକ ତଥା ଗବେଷକ ଡ.ସନ୍ତୋଷ କୁମାର ତ୍ରିପାଠୀ ଏବଂ ବରେଶ୍ୟ ଅତିଥିଭାବେ ଔପନ୍ୟାସିକ ଡ.ଅଜୟ ସ୍ୱାଇଁ ପ୍ରମୁଖ ଯୋଗଦାନ କରି ଓଡ଼ିଶାର ସମୃଦ୍ଧ ନାଟ୍ୟ ପରମ୍ପରାକୁ ବେଗବାନ, ଗତିଶୀଳ ଓ ରୁଚିଶୀଳ କରିବାରେ ନାଟ୍ୟକାର ରାମଚନ୍ଦ୍ର ମିଶ୍ରଙ୍କ ଭୂମିକା ଅନସ୍ୱୀକାର୍ଯ୍ୟ ବୋଲି ବର୍ଣ୍ଣନା କରିଥିଲେ । ସୁଧା ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ଏହି ପାଠକାର୍ପଣ ଉତ୍ସବରେ ସମାଜସେବୀ ପ୍ରମୋଦ ପଟ୍ଟନାୟକ ପୌରୋହିତ୍ୟ କରିଥିବା ବେଳେ ଅଧ୍ୟାପକ ଡ. ଆଶୁତୋଷ ମିଶ୍ର ଉତ୍ସବ ସମ୍ବନ୍ଧିତ ସୂଚନା ଓ ଅତିଥି ପରିଚୟ ପ୍ରଦାନ ଏବଂ ଅଧ୍ୟାପକ ଡ.ବାନାମ୍ବର ପୃଷ୍ଟି ଉନ୍ମୋଚିତ ଜୀବନୀ ପୁସ୍ତକର ସମୀକ୍ଷା କରିଥିଲେ । ସେହିପରି କବି ଗୋଦବରୀଶ ମିଶ୍ର, ନାଟ୍ୟକାର ତଥା ଔପନ୍ୟାସିକ ବିଶ୍ୱନାଥ ମହାପାତ୍ର, କବୟିତ୍ରୀ ପ୍ରବାସିନୀ ବରାଡ ଏବଂ ଅଧ୍ୟାପକ ସହଦେବ ବେହେରା ପ୍ରମୁଖ ପୁସ୍ତକ ସମ୍ପର୍କରେ ପାଠକୀୟ ମନ୍ତବ୍ୟ ପ୍ରଦାନ କରିଥିଲେ । ସଭା ପ୍ରାରମ୍ଭରେ ଅତିଥିମାନେ ପ୍ରଦୀପ ପ୍ରଜ୍ଜ୍ୱଳନ କରିବା ପରେ ସେମାନଙ୍କୁ ଅନୁଷ୍ଠାନ ତରଫରୁ ପୁଷ୍ପଗୁଚ୍ଛ ଏବଂ ଉପଢୌକନ ପ୍ରଦାନ କରାଯାଇ ମଞ୍ଚକୁ ସ୍ୱାଗତ କରାଯାଇଥିଲା । ସଭା ପ୍ରାରମ୍ଭରେ କବୟିତ୍ରୀ ହରପ୍ରିୟା ଦ୍ୱିବେଦୀ ମନ୍ତ୍ରପାଠ କରିଥିବା ବେଳେ ଶେଷରେ କବି ଶେଖ ଅବଦୁଲ ଖାଲିକ ଧନ୍ୟବାଦ ପ୍ରଦାନ କରିଥିଲେ।

Related posts