ଶ୍ରାବଣର ସ୍ୱର ସାହିତ୍ୟ ଆସରରେ କବିତାର ବର୍ଷା

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଲେଖକ ପରିଷଦ ଆନୁକୂଲ୍ୟରେ ଶ୍ରାବଣର ସ୍ୱର ସାହିତ୍ୟ ଆଲୋଚନା ଓ କବିତା ଆସର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଲେଖକ ପରିଷଦର ସଭାପତି ପ୍ରଧାନୀ ବୃନ୍ଦାବନ ମହାପାତ୍ରଙ୍କ ପୌରହିତ୍ୟରେ ଆୟୋଜିତ ସାରସ୍ବତ ସଭାରେ ସତୁରୀରୁ ଉର୍ଦ୍ଧ୍ବ କବି କବୟିତ୍ରୀ ଯୋଗଦେଇ ସ୍ଵରଚିତ କବିତା ଓ ଗଳ୍ପ ପଠନ କରି ଅତିଥି ମାନଙ୍କ ଠାରୁ ପ୍ରସଂଶାପତ୍ର ଗ୍ରହଣ କରିଥିଲେ। ଆଜିର ସାରସ୍ବତ ଉତ୍ସବରେ ନୟାଗଡର ବିଧାୟକ ଡ. ଅରୁଣ କୁମାର ସାହୁ ଓ ବିଶିଷ୍ଟ ଶିକ୍ଷାବିତ୍, କବି ତଥା ମେହେର ସାହିତ୍ୟର ଧୂରିଣ ବକ୍ତା ଓ ଗବେଷକ ଜନାବ୍ ଜହିରୁଦିନ ଖାଁ ଅତିଥି ଭାବରେ ଯୋଗଦେଇଥିଲେ।

କବି, ଲେଖକ ହେଉଛନ୍ତି ସମାଜର ଦର୍ପଣ। ସମାଜର ବାସ୍ତବ ଚିତ୍ରକୁ କବି ଲେଖନୀରେ ଉଜାଗର କରୁଥିବା ବେଳେ ଚିତ୍ରକର କାନଭାସରେ ତାକୁ ଉତାରିଥାଏ ବୋଲି ବିଧାୟକ ଡ. ଅରୁଣ କୁମାର ସାହୁ ନିଜ ବକ୍ତବ୍ୟରେ କହିଥିଲେ। ଅନ୍ୟତମ ଅତିଥି ଜହିରୁଦିନ ଖାଁ ରାମାୟଣ ଓ ମହାଭାରତର ଅନେକ ଉପାଦେୟ କଥା କହିବା ସହିତ ଗଙ୍ଗାଧର ମେହେରଙ୍କ ଜୀବନୀ ତଥା ସୃଷ୍ଟି ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ସାହିତ୍ୟିକ ଡ. ଲଳିତ ମୋହନ ମିଶ୍ରଙ୍କ ଗଳ୍ପ ସଂକଳନ “ଚେତନାର ଚଉହଦି” ଓ ଡ. ସୁରେଶ ଚନ୍ଦ୍ର ବରାଡଙ୍କ କବିତା ସଂକଳନ “ବର୍ଷା”କୁ ଅତିଥିମାନଙ୍କ କରକମଳରେ ଉନ୍ମୋଚନ କରାଯାଇଥିଲା। ପ୍ରାରମ୍ଭରେ ଜିଲ୍ଲା ଲେଖକ ପରିଷଦର ସମ୍ପାଦକ ଶେଖ୍ ଅବଦୁଲ୍ ଖାଲିକ୍ ସ୍ବାଗତ ଭାଷଣ ଦେଇଥିବା ବେଳେ କବୟିତ୍ରୀ ସ୍ମିତା ସ୍ୱାଇଁ, ନିଳୀମା ନନ୍ଦ ଓ କବି ଗୋପୀନାଥ ସେଠୀ କବିତାପାଠକୁ ସଂଯୋଜନା କରିଥିଲେ। ପରିଶେଷରେ ପରିଷଦର ଉପସଭାନେତ୍ରୀ କବୟିତ୍ରୀ ଡ. ସୁକାନ୍ତି ମହାନ୍ତି ଧନ୍ୟବାଦ୍ ଅର୍ପଣ କରିଥିଲେ।

Related posts