ସ୍ୱାଧୀନତା ଦିବସ ପାଳନ ଅବସରରେ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ଲୁକ୍କାୟିତ ପ୍ରତିଭାଙ୍କୁ ଲୋକ ଲୋଚନକୁ ଆଣିବାକୁ ନୟାଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ସ୍ତରୀୟ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସ୍ତରୀୟ ୭୮ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ନୟାଗଡ଼ ଜିଲ୍ଲା ଶିକ୍ଷା ବିଭାଗ ଆୟୋଜନରେ ସ୍ଥାନୀୟ ସରକାରୀ ବଜେନ୍ଦ୍ର ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲ୍ଲା ସ୍ତରୀୟ ବିଭିନ୍ନ ପ୍ରତିଯୋଗିତା ସହ ବିଭିନ୍ନ ବର୍ଗର ବିତର୍କ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି। ଏହି ପ୍ରତିଯୋଗିତାରେ ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ, ଯୁବ ସାମ୍ବାଦିକ ଜୟେନ୍ଦ୍ର ବେହେରା, କବି ଗୋଦାବରୀଶ ମିଶ୍ର ପ୍ରମୁଖ ବିଚାରକ ଭାବେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ନୟାଗଡ଼ ଜିଲ୍ଲାର ସମସ୍ତ ବ୍ଲକରୁ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ। ଛାତ୍ରଛାତ୍ରୀ ପ୍ରଥମେ ବ୍ଲକ ସ୍ତରରେ କୃତକାର୍ଯ୍ୟ ହେବା ପରେ ସେମାନେ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାକୁ ଚୟନ ହୋଇଥିଲେ। ବଜେନ୍ଦ୍ର ହାଇସ୍କୁଲର ପ୍ରଧାନ ଶିକ୍ଷକ ଉମାକାନ୍ତ ସେଠୀ, ଶିକ୍ଷାବିତ୍ ବଟକୃଷ୍ଣ ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି ପ୍ରତିଯୋଗିତା ପରିଚାଳିତ ହୋଇଥିଲା।

ଓଡ଼ିଆ ବକ୍ତୃତା ବ୍ୟତୀତ ଅନ୍ୟ ପ୍ରତିଯୋଗିତା ଯଥା- ଚିତ୍ରାଙ୍କନ, ଇଂରାଜୀ ବକ୍ତୃତା , ଦେଶାତ୍ମବୋଧ ସଂଗୀତ ଆଦି ପ୍ରତିଯୋଗିତା ପ୍ରଥମ ଶ୍ରେଣୀରୁ ଆରମ୍ଭ କରି ମହାବିଦ୍ୟାଳୟ ଯୁକ୍ତ ତିନି ପର୍ଯ୍ୟନ୍ତ ୪ଟି ବର୍ଗରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ତେବେ ଏହି ପ୍ରତିଯୋଗିତା ପୂର୍ବରୁ ମୁନିସିପାଲିଟି ସ୍ତରୀୟ ଅନୁଷ୍ଠିତ ହେଉଥିଲା କିନ୍ତୁ ସାମ୍ବାଦିକମାନଙ୍କ ପ୍ରସ୍ତାବ କ୍ରମେ ଗତ ଜାନୁଆରୀ ୨୬ଠାରୁ ମୁନିସିପାଲିଟି ସ୍ତରୀୟ ପ୍ରତିଯୋଗିତା ପରିବର୍ତ୍ତେ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହେଉଛି। ଏହା ଦ୍ୱାରା ନୟାଗଡ଼ ଜିଲ୍ଲାରେ ଥିବା ସମସ୍ତ ସ୍କୁଲ ଏବଂ କଲେଜ ମାନଙ୍କରୁ ଲୁକ୍କାୟିତ ପ୍ରତିଭା ଲୋକ ଲୋଚନ ଆସିପାରୁଛନ୍ତି। ଆଜିର ଏହି ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀମାନେ ଆସନ୍ତା ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପୁରସ୍କୃତ କରାଯିବ।

Related posts