ଓଡ଼ିଆ ନାଟକ ଓ ଚଳଚିତ୍ରର ମହାନ କଳାକାର ଶରତ ମାଝିଙ୍କୁ ଶ୍ରଦ୍ଧାଞ୍ଜଳି

ନୟାଗଡ଼, (ନୟାଗଡ଼ ଦର୍ପଣ): ଓଡ଼ିଆ ମଂଚ ନାଟକର ଜଣେ ସମର୍ପିତ ନିର୍ଦ୍ଦେଶକ ଓ ଅଭିନେତା ଭାବେ ଶରତ ମାଝି ଓଡ଼ିଶାର ନାଟ୍ୟକର୍ମୀ ତଥା ନାଟ୍ୟପ୍ରେମୀଙ୍କ ଅତି ପ୍ରିୟ ମଣିଷ ଥିଲେ।ସରକାରୀ ଚାକିରୀରୁ ଅବସର ନେବାପରେ ଅନ୍ନପୂର୍ଣ୍ଣା ଥିଏଟର ବି ଗ୍ରୁପ୍ ର ସଭାପତି ଭାବେ କାର୍ଯ୍ୟ କରୁଥିଲେ।ନାଟକ ବ୍ୟତିତ ଦୂରଦର୍ଶନ ଓ ଚଳଚ୍ଚିତ୍ରରେ ଅନେକ ଅଭିନୟ କରି ଜଣେ ଉଚ୍ଚକୋଟୀର କଳାକାର ଭାବେ ନିଜସ୍ଵ ପରିଚୟ ସୃଷ୍ଟି କରିପାରିଥିଲେ। ନୟାଗଡ଼ ନାଟକ କ୍ଷେତ୍ରରେ ଶରତ ମାଝିଙ୍କ ଅବଦାନ ଅବିସ୍ମରଣୀୟ।୨୦୦୫ ମସିହାରୁ ନୟାଗଡର କଳାକାରମାନଙ୍କୁ ନେଇ ତାଙ୍କ ପ୍ରୟାସରେ ଗଠିତ ହୋଇଥିଲା ‘ଚମତ୍କାର’ ନାଟ୍ୟ ଅନୁଷ୍ଠାନ। ତାଙ୍କ ନିର୍ଦ୍ଦେଶନାରେ ଗୋଇଠା ବାବା, ସର୍ପ ଯଜ୍ଞ,ମକଦ୍ଦମା ଆଦି ସଫଳ ନାଟକ ମଂଚସ୍ଥ ହୋଇଥିଲା। ଆଜି ନୟାଗଡ଼ ନାଟକର ଯେଉଁ ସମୃଦ୍ଧି ହୋଇପାରିଛି ସେଥିରେ ଶରତ ମାଝିଙ୍କ ଅବଦାନ ଯଥେଷ୍ଟ ଥିଲା ବୋଲି ମଞ୍ଚାୟନ ତରଫରୁ ଆୟୋଜିତ ଶ୍ରଦ୍ଧାଞ୍ଜଳି ଓ ସ୍ମତିଚାରଣ ସଭାରେ ନୟାଗଡର ନାଟ୍ୟକର୍ମୀ ତଥା ନାଟ୍ୟପ୍ରେମୀମାନେ ପ୍ରକାଶ କରିଥିଲେ। ମଞ୍ଚାୟନର ସଭାପତି ନିରଞ୍ଜନ ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ମିଷ୍ଟର କାଳିଆ, ପାଣ୍ଡବ ନାୟକ, ରାକେଶ କୁମାର ଦାସ, ରଂଜନ ରଶ୍ମୀ ଜେନା, ପ୍ରଶାନ୍ତ ସାମନ୍ତରାୟ, କମଳ ଦାସ, ସୁରେନ୍ଦ୍ର କୁମାର ସାହୁ, ଜ୍ଞାନପ୍ରକାଶ ବାରିକ,ଶରତ ଚନ୍ଦ୍ର ଆଚାର୍ଯ୍ୟ ପ୍ରମୁଖ ଯୋଗଦେଇଥିଲେ। ସ୍ମୃତିଚାରଣ ପୂର୍ବରୁ ଶରତ ମାଝିଙ୍କ ଅମର ଆତ୍ମାର ସଦଗତି ପାଇଁ ଦୁଇମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା।

Related posts