ଯାହାର କେହି ନାହିଁ ତାର ସାହା ଭରସା “ଅନନ୍ୟା”

ନୟାଗଡ଼: (ନୟାଗଡ଼ ଦର୍ପଣ) ନିରବଚ୍ଛିନ୍ନ ଭାବେ ସମାଜସେବା କରି ଆସୁଥିବା ନୟାଗଡ଼ ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ଅନନ୍ୟା ଫାଉଣ୍ଡେସନ’ ପକ୍ଷରୁ ଆଜି ଜନୈକ କୋଭିଡ ସନ୍ଦିଗ୍ଧ ମହିଳାଙ୍କ ଶବ ସତ୍କାର କରି ମାନବୀୟ ଗୁଣର ନିଦର୍ଶନ ସୃଷ୍ଟି କରିଛନ୍ତି। କୋଭିଡ ଭୟରେ ନିଜ ସାଇପଡିଶା ତଥା ବନ୍ଧୁବାନ୍ଧବ ଚାରି କାନ୍ଧ ଦେବା ପାଇଁ ପଛଘୁଞ୍ଚା ଦେଇଥିବା ବେଳେ ଅନନ୍ୟା ଫାଉଣ୍ଡେସନ ଏହି ମହାନ କାର୍ଯ୍ୟ ପାଇଁ ଆଗେଇ ଆସିଥିଲା। ଖବରରୁ ପ୍ରକାଶ ଯେ ନୟାଗଡ଼ ଉପକଣ୍ଠ ଘଡୁଆଳ ଗ୍ରାମର ଦୋଇତ ଦେଈ ନାମ୍ନୀ ଜନୈକ ମହିଳା କିଛି ଦିନ ଜ୍ବରରେ ଆକ୍ରାନ୍ତ ହୋଇ ସୁସ୍ଥ ହୋଇଥିଲେ । କିନ୍ତୁ ଗତକାଲି ରାତିରେ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା।

ମୃତ ଦେହ ଘର ମଧ୍ୟରେ ପଡ଼ି ରହିଥିବା ବେଳେ ଗ୍ରାମବାସୀମାନେ କରୋନା ସନ୍ଦେହରେ ଶବଦାହ କରି ନଥିଲେ କି କୌଣସି ବନ୍ଧୁ ବାନ୍ଧବଙ୍କ ଦେଖା ନଥିଲା। ଆଜି ସକାଳୁ ଖବର ପାଇ ଅନନ୍ୟା ଫାଉଣ୍ଡେସନ ପକ୍ଷରୁ ଆଶୁତୋଷ ଦାସ ଏବଂ ସନ୍ତୋଷ ପ୍ରଧାନ ଉକ୍ତ ମହିଳାଙ୍କ ଘରେ ପହଞ୍ଚି ଥିଲେ ଏବଂ ମୋଟର ସାଇକେଲ ସାହାଯ୍ୟରେ ଶବକୁ ଶ୍ମଶାନ ପର୍ଯ୍ୟନ୍ତ ଆଣି ଅନ୍ତିମ ସଂସ୍କାର କରିଥିଲେ। ଯୁବକ ଦ୍ୱୟଙ୍କ ଏତାଦୃଶ ମହାନ କାର୍ଯ୍ୟକୁ ସମଗ୍ର ଅଞ୍ଚଳରେ ପ୍ରଶଂସା କରାଯାଇଛି।

Related posts