ଶ୍ରୀରାମକୃଷ୍ଣ ଶିକ୍ଷାକେନ୍ଦ୍ରରେ ଜିଲ୍ଲା ସ୍ତରୀୟ ଉତ୍କଳ ମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୬ତମ ଶ୍ରାଦ୍ଧ ବାର୍ଷିକ ପାଳନ

ନୟାଗଡ଼, (ନୟାଗଡ଼ ଦର୍ପଣ): ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ଦୈନିକ ଖବର କାଗଜ ସମାଜ ତରଫରୁ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୬ ତମ ଶ୍ରାଦ୍ଧ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବେ ମାନ୍ଯବର ନୟାଗଡ଼ ବିଧାୟକ ଡକ୍ଟର ଅରୁଣ କୁମାର ସାହୁ ଯୋଗଦେଇ ଥିଲା ବେଳେ ବିଶିଷ୍ଟ ଅତିଥି ଭାବେ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ଯକ୍ଷ ଇଂ. ଦେବାଶିଷ ପଟ୍ଟନାୟକ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ପୌରପରିଷଦ ଅଧ୍ଯକ୍ଷା ନିରୁପମା ଖଟେଇ,ସମାଜସେବୀ ପ୍ରମୋଦ ପଟ୍ଟନାୟକ ଯୋଗଦେଇ ଥିଲେ।

ନୟାଗଡ ସମାଜ ପ୍ରତିନିଧି ଶୁଭେନ୍ଦୁ କୁମାର ଦାସଙ୍କ ଉପସ୍ଥିତିରେ ସର୍ବପ୍ରଥମେ ସକାଳ ୮ଟା ସମୟରେ ତିଳ ତର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିଲା। ଏହି ତିଳତର୍ପଣ କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିବା ଜିଲ୍ଲା ଶିକ୍ଷା ଅଧିକାରିଣୀ ରାଜଶ୍ରୀ ପଟ୍ଟନାୟକ ଓ ବ୍ଳକ ଶିକ୍ଷା ଅଧିକାରୀ ନିମାଇଁ ଚରଣ ପ୍ରଧାନ ସ୍କାଉଟ୍ ଗାଇଡ୍ ଛାତ୍ରଛାତ୍ରୀଙ୍କ ଦ୍ବାରା ଆୟୋଜିତ ବିରାଟ ଶୋଭାଯାତ୍ରାରେ ଯାଇ ବିଦ୍ଯାଳୟ ନିକଟରେ ଥିବା ପୁଷ୍କରିଣୀରେ ଗୋପବନ୍ଧୁଙ୍କ ଉଦ୍ଦେଶ୍ଯରେ ତିଳତର୍ପଣ କରିଥିଲେ। ଏହାପରେ ବିଦ୍ଯାଳୟ ପରିସରରେ ସ୍ଥାପିତ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ରେ ଉପସ୍ଥିତ ସମସ୍ତ ଅତିଥି ମାନେ ଧୂପ ଓ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ବିଦ୍ଯାଳୟ ପରିସରରେ ଗଛ ରୋପଣ କରିଥିଲେ। ଏହାପରେ ବିଦ୍ଯାଳୟର ପ୍ରତିଷ୍ଠାତା ସଂପାଦକ ଶ୍ରୀଧର ସାହୁଙ୍କ ସଂଯୋଜନାରେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଥିଲା। ପଣ୍ଡିତ ଗୋପବନ୍ଧୁ ଦାସ ହେଉଛନ୍ତି ସେବାର ମୂର୍ତ୍ତିମନ୍ତ ପ୍ରତୀକ ବୋଲି ମୁଖ୍ଯ ଅତିଥି କହିଥିଲା ବେଳେ ବିଶିଷ୍ଟ ଅତିଥି ଜିଲ୍ଲା ପରିଷଦ ଅଧ୍ଯକ୍ଷ ଶ୍ରୀଯୁକ୍ତ ପଟ୍ଟନାୟକ କହିଥିଲେ ଯେ, “ମାନବ ସେବା ହିଁ ମାଧବ ସେବା ” ଏହାକୁ ମର୍ମେ ମର୍ମେ ଅନୁଭବ କରିଥିଲେ ବିଶିଷ୍ଟ ଗାନ୍ଧୀ ବାଦୀ ତଥା ଓଡିଶା ର ଗାନ୍ଧୀ ସେବାର ପୂଜାରୀ ପଣ୍ଡିତ ଗୋପବନ୍ଧୁ ଦାସ।

ଏହା ସହିତ ସମ୍ମାନିତ ଅତିଥି ମାନେ ଗୋପବନ୍ଧୁ ଦାସଙ୍କ ଆଦର୍ଶ ଜୀବନୀ ପ୍ରତ୍ଯେକ ଓଡିଆ ପାଠ କରିବା ପାଇଁ ପରାମର୍ଶ ଦେଇଥିଲେ। ସର୍ବପ୍ରଥମେ ନୟାଗଡ଼ ସମାଜ ପ୍ରତିନିଧି ଶୁଭେନ୍ଦୁ କୁମାର ଦାସ ସ୍ବାଗତ ଭାଷଣ ଦେଇଥିଲା ବେଳେ ସମାଜ ଜିଲ୍ଲା ପ୍ରତିନିଧି ଉଦିତ୍ ନାରାୟଣ ଦାସ ଧନ୍ଯବାଦ ଅର୍ପଣ କରିଥିଲେ। ଏହି ମହତ୍ କାର୍ଯ୍ୟକ୍ରମରେ ରୋଟାରୀ ସଭାପତି ଶ୍ରୀକାନ୍ତ ଖଟେଇ, ବିଦ୍ଯାଳୟ ଯୁଗ୍ମ ସଂପାଦକ ସନ୍ତୋଷ କୁମାର ନାୟକ, ରୋଟାରିଆନ୍ ଧୀରେନ୍ଦ୍ର କୁମାର ପଟ୍ଟନାୟକ, ରୋଟାରିଆନ୍ ଆରିଫ୍ ଖାନ୍, ସୁବାନ ମଲ୍ଲିକଙ୍କ ସମେତ ବିଦ୍ଯାଳୟ ର ସମସ୍ତ ଗୁରୁଜୀ ଗୁରୁମା ମାନେ ସହଯୋଗ କରିଥିଲେ।

Related posts