ଉପାସରେ ରହିବେ ବାବା ନୀଳକଣ୍ଠେଶ୍ଵର, ଆନ୍ଦୋଳନ ଚେତାବନୀ ଦେଲେ ପୂଜକ

ଦଶପଲ୍ଲା,(ନୟାଗଡ଼ ଦର୍ପଣ): ଦଶପଲ୍ଲା ଏନଏସି ଅନ୍ତର୍ଗତ ଦେଉଳ ମାଳିସାହି ଗ୍ରାମରେ ଥିବା ଆରାଧ୍ଯ ଦେବ ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ଵର ମହାଦେବଙ୍କ ମନ୍ଦିର ବହୁ ପ୍ରାଚୀନ କାଳରୁ ଅବସ୍ଥିତ। ଏହି ମନ୍ଦିରର ପୂଜକଗଣ ରାଜାରାଜୁଡା ଅମଳରୁ ବଂଶାନୁକ୍ରମରେ ଠାକୁରଙ୍କ ପୂଜାରେ ଲାଗି ଆସିଛନ୍ତି ଓ ଠାକୁରଙ୍କ ଜମିକୁ ଭୋଗଦଖଲ କରିଆସୁଛନ୍ତି । ମାତ୍ର ବର୍ତମାନ ଉକ୍ତ ଜମିରେ ପୂର୍ବତଟ ରେଳ ଲାଇନ ଆସିବା ଦ୍ଵାରା ଜମିର ଭୋଗଦଖଲ ବନ୍ଦ ଅଛି ଏବଂ ସେଥ‌ିପାଇଁ ପୂର୍ବତଟ ରେଳ ବିଭାଗ ପକ୍ଷରୁ ସେମାନଙ୍କୁ କୌଣସି କ୍ଷତି ପୂରଣ ଦିଆଯାଇ ନାହିଁ । ତେବେ ଜମି ଅଧିଗ୍ରହଣ ଅର୍ଥ ଆସିଥିଲେ ମଧ୍ୟ ପୂଜକମାନଙ୍କୁ ଦିଆଯାଇ ନାହିଁ । ତେବେ ସେବାୟତମାନେ ଗତ ୬ବର୍ଷରୁ ଅଧ‌ିକ ସମୟ କରଜ ବାରଜ କରି ମନ୍ଦିର ସେବା ଜାରି ରଖିଥ‌ିବା ସହିତ ନିଜ ନିଜ ପରିବାରର ଗୁଜୁରାଣ ମେଣ୍ଟାଉଛନ୍ତି। କିନ୍ତୁ ବର୍ତ୍ତମାନ ଦିନକୁ ଦିନ ସମସ୍ୟା ବଢ଼ିବାରେ ଲାଗିଛି, ନିଜ ପିଲାଙ୍କୁ ପାଠ ପଢ଼ାଇବା, ଅନ୍ୟାନ୍ୟ ଆନୁସଙ୍ଗିକ ଖର୍ଚ୍ଚ କରିବା ଆଉ ସେମାନଙ୍କ ପକ୍ଷେ ଅସମ୍ଭବ ହୋଇପଡ଼ିଲାଣି। ତେବେ ଦଶପଲ୍ଲା ପ୍ରଶାସନ ଓ ନୟାଗଡ଼ ଜିଲ୍ଲା ପ୍ରଶାସନର ସମସ୍ତଙ୍କୁ ଲିଖିତ ଜଣାଇବା ଓ ନେହୁରା ହେବା ପରେ କୌଣସି ସୁଫଳ ମିଳିନାହିଁ। ତେଣୁ ସେମାନଙ୍କ ଦୟନୀୟ ଅବସ୍ଥାକୁ ସୁଧାର କରା ନ ଗଲେ ସେମାନେ ଆସନ୍ତା ଜୁଲାଇ ମାସ ୨୦ ତାରିଖ ପରଠାରୁ ପୂଜା ବିଧି ବନ୍ଦ ରଖିବେ ଓ ଧାରଣାରେ ବସିବାକୁ ଲିଖିତ ଭାବେ ଦେବତ୍ତର ଆଯୁକ୍ତ ଓଡିଶା, ଭୁବନେଶ୍ୱରଙ୍କୁ ଜଣାଇଛନ୍ତି।

Related posts