ଜିଲ୍ଲାସ୍ତରୀୟ ବିପର୍ଯ୍ୟୟ ପ୍ରଶମନ ପରିଚାଳନା କମିଟି ବୈଠକ

ନୟାଗଡ଼,(ନୟାଗଡ ଦର୍ପଣ): ଜିଲ୍ଲା ପରିଷଦର ସୃଜନ ସଭାଗୃହରେ ଅତିରିକ୍ତ ଜିଲ୍ଲାପାଳ ଦିଲିପ କୁମାର ବଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ବିପର୍ଯ୍ୟୟ ପ୍ରଶମନ କମିଟିି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ନୟାଗଡ଼ ବିଧାୟକ ଡଃ ଅରୁଣ କୁମାର ସାହୁ, ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ, ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ଜିଲ୍ଲା ପରିଷଦର ସଭାପତି ଇଂ. ଦେବାଶିଷ ପଟ୍ଟନାୟକ, ରଣପୁର ବିଧାୟିକା ତଥା ଓଡ଼ିଶା ବିଧାନସଭାର ବାଚସ୍ପତିଙ୍କ ପ୍ରତିନିଧି ଅଭିଷେକ ସାମନ୍ତରାୟ, ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦ୍ଦାର, ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ତାପତିରାଜ୍‌ ଏବଂ ସମସ୍ତ ଲାଇନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ । ପ୍ରାରମ୍ଭରେ ମଞ୍ଚାସିନ ସମସ୍ତ ଅତିଥିମାନଙ୍କୁ ଫୁଲତୋଡ଼ା ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସ୍ୱାଗତ କରାଯାଇଥିଲା । କାର୍ଯ୍ୟସୂଚୀ ଅନୁଯାୟୀ ବିଭିନ୍ନ ବିଭାଗ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରିବା ପାଇଁ କି ପ୍ରକାର ପ୍ରସ୍ତୁତ ରହିଛନ୍ତି ସେ ବିଷୟରେ ଆଲୋଚନା କରାଯାଇଥିଲା। ବିଭିନ୍ନ ବିଭାଗ ସେମାନଙ୍କର ନିୟନ୍ତ୍ରଣ କକ୍ଷ ପ୍ରସ୍ତୁତି କରିଥିବାର ଗୃହକୁ ଜଣାଇଥିଲେ। ଠିକ୍‌ ସମୟରେ ବନ୍ୟା, ବାତ୍ୟାର ଖବର ପାଇଁ ଦୂରସଂଚାର ବିଭାଗ ପ୍ରସ୍ତୁତ ରହିବା ପାଇଁ ପରାମର୍ଶ ଦିଆଯାଇଥିଲା । ଦୁର୍ବଳ ନଦୀବନ୍ଧ ଗୁଡ଼ିକର ମରାମତି କାର୍ଯ୍ୟ ସମାପ୍ତ ହୋଇଥିବାର ଜଳସେଚନ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଜଣାଇଥିଲେ। ବର୍ଷା ଓ ବନ୍ୟା ସମୟରେ ଜଳ ନିଷ୍କାସନ ନିମନ୍ତେ ଡ୍ରେନ୍‌ ଗୁଡ଼ିକୁ ମରାମତି ତଥା ସଫା କରାଯାଇଥିବାର ପୌର ପରିଷଦ ଓ ବିଜ୍ଞାପିତ ଅଂଚଳ ପରିଷଦର ନିର୍ବାହୀ ଅଧିକାରୀମାନେ ଜଣାଇଥିଲେ। ବନ୍ୟା ସମୟରେ ଡଙ୍ଗା ଏବଂ ପାୱାରବୋଟ୍‌ ସାହାଯ୍ୟରେ ଉଦ୍ଧାର କାର୍ଯ୍ୟ ପାଇଁ ବୋଟ୍‌ ଗୁଡ଼ିକୁ ପ୍ରସ୍ତୁତ କରି ରଖାଯାଇଥିବାର ଗୃହକୁ ଜଣାଇ ଦିଆଯାଇଥିଲା । ବନ୍ୟା ଓ ବାତ୍ୟା ଯୋଗୁଁ ଅପହଞ୍ଚ ଅଂଚଳରେ ଖାଦ୍ୟ ଓ ପାନୀୟଜଳ ମହଜୁଦ କରି ରଖିବା ପାଇଁ ଯୋଗାଣ ଅଧିକାରୀଙ୍କୁ ପରାମର୍ଶ ଦିଆଯାଇଥିଲା । ମୁଖ୍ୟ ପ୍ରାଣୀ ସଂପଦ ଅଧିକାରୀ କହିଥିଲେ ଯେ, ବନ୍ୟାବାତ୍ୟା ସମୟରେ ପ୍ରାଣୀ ସଂପଦର ସୁରକ୍ଷାଲାଗି ସେମାନଙ୍କୁ ପଂଜିକରଣ କରାଯାଇ ଟୀକାକରଣ କରାଯାଇଛି ଏବଂ ସେମାନଙ୍କ ପାଇଁ ଖାଦ୍ୟ ମହଜୁଦ କରି ରଖାଯାଇଛି ।
ଜିଲ୍ଲା ମୁଖ୍ୟଚିକିତ୍ସା ଅଧିକାରୀ ତାଙ୍କର ପ୍ରସ୍ତୁତି ସମ୍ବନ୍ଧରେ କହିଥିଲେ ଯେ, ବନ୍ୟାପ୍ରବଣ ଅଂଚଳରେ ଡାକ୍ତର, ସ୍ୱାସ୍ଥ୍ୟକର୍ମୀ, ଆଶା, ଅଙ୍ଗନବାଡ଼ି ସମସ୍ତଙ୍କୁ ସଜାଗ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ପ୍ରତ୍ୟେକ ସ୍ୱାସ୍ଥ୍ୟ କେନ୍ଦ୍ର ମାନଙ୍କରେ ଓ.ଆର.ଏସ. ପାଉଡର ଏବଂ ହାଲୋଜେନ୍‌ ବଟିକା ଆଦି ମହଜୁଦ ରଖାଯାଇଛି । ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ବନ୍ୟା ପ୍ରବଣ ଅଂଚଳରେ ବିହନ, ସାର ଏବଂ କୀଟନାଶକ ମହଜୁଦ ରଖାଯାଇଛି ବୋଲି କହିଥିଲେ । ଆସନ୍ନ ବନ୍ୟାକୁ ଦୃଷ୍ଟିରେ ରଖି ଶତକଡ଼ା ୮୦ଭାଗ ଅମଳକ୍ଷମ ଶସ୍ୟକୁ ଆଗୁଆ କାଟିଦେବା ପାଇଁ ଚାଷୀମାନଙ୍କୁ ପରାମର୍ଶ ଦିଆଯାଇଛି। ସ୍ୱେଚ୍ଛାସେବୀ ସଂଗଠନମାନେ ବନ୍ୟାବାତ୍ୟା ସମୟରେ ସଜାଗ ରହି ସମସ୍ତ ସହଯୋଗ କରିବା ପାଇଁ ପ୍ରସ୍ତୁତ ବୋଲି ସଂଗଠନର ସଂପାଦକମାନେ ପ୍ରକାଶ କରିଥିଲେ । ବନ୍ୟା ସମୟରେ ପାନୀୟ ଜଳର ସମସ୍ତ ପ୍ରକାର ସମସ୍ୟା ଦୂରକରିବା ପାଇଁ ଗ୍ରାମ୍ୟ ପରିମଳ ଓ ଜଳଯୋଗାଣ ବିଭାଗ ପ୍ରକାଶ କରିଥିଲେ ।
ଶେଷରେ ସମସ୍ତ ବିଭାଗ ପରସ୍ପର ସହିତ ସମନ୍ୱୟ ରକ୍ଷାକରି ପ୍ରାକୃତିକ ବିପର୍ଯ୍ୟୟର ପ୍ରଶମନ ଦିଗରେ କାର୍ଯ୍ୟ କରିବା ପାଇଁ ଅତିରିକ୍ତ ଜିଲ୍ଲାପାଳ ସମସ୍ତ ବିଭାଗକୁ ଅନୁରୋଧ କରିଥିଲେ । ସଭାପତିଙ୍କ ନିର୍ଦ୍ଦେଶକ୍ରମେ ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦ୍ଦାର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ବୈଠକର ପରିସମାପ୍ତି ଘୋଷଣା କରିଥିଲେ।

Related posts