କୃଷକଙ୍କୁ ଦିଆଗଲା ପ୍ରଧାନମନ୍ତ୍ରୀ କୃଷକ ନିଧି ଯୋଜନାର ୧୭ତମ କିସ୍ତି

ନୟାଗଡ଼, (ନୟାଗଡ଼ ଦର୍ପଣ): ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ପ୍ରଧାନମନ୍ତ୍ରୀ କୃଷକ ନିଧି ଯୋଜନାର ୧୭ତମ କିସ୍ତି ଅଧିନରେ ଆଜି ୯କୋଟି ୨୬ଲକ୍ଷ ହିତାଧିକାରୀଙ୍କୁ ୨୦ହଜାର କୋଟି ଟଙ୍କା ଦେଶର କୃଷକମନଙ୍କ ଖାତାକୁ ସ୍ଥାନାନ୍ତର ଉତ୍ତର ପ୍ରଦେଶର ବାରାଣାସୀରୁ ସିଧାପ୍ରସାରଣର କାର୍ଯ୍ୟକ୍ରମ କୃଷି ବିଜ୍ଞାନ କେନ୍ଦ୍ର, ପାଣିପୋଇଲା ଠାରେ ଅନୁଷ୍ଠିତ ହୋଇଥିଲା ଏଠାରେ ରାଜ୍ୟ ପଂଚାୟତିରାଜ୍ ଓ ପାନୀୟ ଜଳ ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ରବିନାରାୟଣ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ, କୃଷକମାନଙ୍କ ଉନ୍ନତି ନିମନ୍ତେ କୃଷକମାନଙ୍କ କ୍ଷେତକୁ ପାଣି,ଆଖୁଚାଷର ଉନ୍ନତି ଉପରେ ଆମ ସରକାର ଧ୍ୟାନ ଦେବ।

ରଣପୁରର ମାନ୍ୟବର ବିଧାୟିକା ଶ୍ରୀମତୀ ସୁରମା ପାଢ଼ୀ କହିଲେ ଯେ, ସ୍ୱାମିନାଥନ୍ କମିଟି ଦେଇଥିବା ସୁପାରିଶ ଅନୁସାରେ ଧାନର ସହାୟକ ମୂଲ୍ୟ ୩୧୦୦ଟଙ୍କାକୁ ବୃଦ୍ଧି କରିବା ପାଇଁ ପ୍ରଥମ ରାଜ୍ୟ କ୍ୟାବିନେଟ୍ ବୈଠକରେ ପାରିତ କରାଯାଇଛି । ଖଣ୍ଡପଡ଼ାର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଦୁଷ୍ମନ୍ତ ସ୍ୱାଇଁ କହିଲେ ଯେ, ଖଣ୍ଡପଡ଼ା ମହାନଦୀ କୂଳରେ ଅବସ୍ଥିତ ଥିଲେ ବି ଏଠାରେ ପାନୀୟ ଜଳର ଘୋର ଅଭାବ । ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀ ସମେତ ନୟାଗଡ଼ର ଅନ୍ୟ ତିନୋଟି ନିର୍ବାଚନ ମଣ୍ଡଳୀରେ ପାନୀୟ ଜଳର ସମସ୍ୟା ଦୂର କରିବା ନିମନ୍ତେ ସେ ମାନ୍ୟବର ମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ । ଏହି ବୈଠକରେ ଜିଲ୍ଲାପାଳ ଶ୍ରୀମତୀ ସ୍ୱଧା ଦେବ ସିଂ ଉପସ୍ଥିତ ରହି ଚାଷୀ ଭାଇ ଭଉଣୀମାନଙ୍କୁ ଉତ୍ସାହିତ କରିଥିଲେ । କୃଷି ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି ଶ୍ରୀଯୁକ୍ତ ପ୍ରଭାତ କୁମାର ରାଓ ଏହି ବୈଠକରେ ସଭାପତିତ୍ୱ କରିଥିଲା ବେଳେ ଏହାର ସଂପ୍ରସାରଣ ଅଧିକାରୀ ଶ୍ରୀଯୁକ୍ତ ପ୍ରସନଜିତ୍ ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଶେଷରେ ନୟାଗଡ଼ କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ତଥା ବରିଷ୍ଠ ବୈଜ୍ଞାନିକ ଶ୍ରୀଯୁକ୍ତ ଅନିଲ କୁମାର ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ।

Related posts