କଥାଦେଇ କଥା ରଖିଲେ ବିଧାୟକ ଡ଼. ଅରୁଣ

ନିର୍ବାଚନ ପୂର୍ବରୁ ମହାପ୍ରଭୁଙ୍କ ଅଳଙ୍କାର ମରାମତି ପାଇଁ ଟଙ୍କା ଦେବା ପାଇଁ ଡ. ସାହୁ ଏକ ସାଧାରଣ ସଭାରେ ଘୋଷଣା କରିଥିଲେ

ନୟାଗଡ଼,(ନୟାଗଡ଼ ଦର୍ପଣ): ରାଜା ରାଜୁଡ଼ା ସମୟରୁ ପ୍ରଦତ୍ତ ସ୍ବର୍ଣ୍ଣ ଅଳଙ୍କାର ଲାଗି ହୋଇ ପ୍ରଭୁଶ୍ରୀ ବଳଭଦ୍ର, ଦେବୀ ସୁଭଦ୍ରା ଏବଂ ଶ୍ରୀ ଜଗନ୍ନାଥ ସୁନାବେଶରେ ଦୁର୍ଲଭ ଦର୍ଶନ ଦେଇଥାନ୍ତି । ଦୀର୍ଘ ବର୍ଷର ଅଳଙ୍କାର ଉପରୁ ସୁନା ପ୍ରଲେପ ଛାଡ଼ିଯିବାରୁ ଗତ ତିନି ବର୍ଷ ଧରି ଠାକୁର ସୁନାବେଶ ହୋଇପାରୁ ନାହାନ୍ତି । ପ୍ରତ୍ୟେକ ବର୍ଷ ରଥଯାତ୍ରା ପ୍ରସ୍ତୁତି ବୈଠକରେ ଏ ସଂକ୍ରାନ୍ତିରେ ପ୍ରବଳ ହୋହାଲ୍ଲା ହୋଇଥିଲେ ହେଁ ଭକ୍ତଙ୍କ ଭାବାବେଗକୁ ଦେବୋତ୍ତର ବିଭାଗ ଅର୍ଥ ଅଭାବର ଆଳ ଦେଖାଇ ଦିନ ଗଡେଇ ଚାଲୁଥିଲେ ।

ଚଳିତ ବର୍ଷ ରଥଯାତ୍ରା ପରିଚାଳନା ପ୍ରସ୍ତୁତି ବୈଠକରେ ଉପସ୍ଥିତ ଜଗନ୍ନାଥ ପ୍ରେମୀ ସଭ୍ୟମାନେ ତୁରନ୍ତ ଅଳଙ୍କାର ମରାମତି ଏବଂ ରଥ ଉପରେ ବସି ଏକାଦଶୀ ଦିନ ଠାକୁର ସୁନାବେଶରେ ଦର୍ଶନ ଦେବା ପାଇଁ ଅଡି ବସିଥିଲେ । ଅଳଙ୍କାର ତିଆରି ଏବଂ ସୁନାବେଶକୁ ନେଇ ଗତ ତିନିବର୍ଷ ହେବ ଉଦ୍ୟମ ଜାରୀ ରଖୁଥ‌ିବା ସମାଜସେବୀ ପ୍ରମୋଦ ପଟ୍ଟନାୟକ, ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ସହ ଯୋଗାଯୋଗ କରିଥିଲେ । ନିର୍ବାଚନ ପୂର୍ବରୁ ଅଳଙ୍କାର ମରାମତି ପାଇଁ ଡ. ସାହୁ ଏକ ସାଧାରଣ ସଭାରେ ଘୋଷଣା କରିଥିଲେ । କଥା ଦେଇଥିବାରୁ ଅଳଙ୍କାର ମରାମତି ପାଇଁ ଉପଜିଲ୍ଲାପାଳଙ୍କୁ ସମ୍ମତି ପ୍ରଦାନ କରିବା ସଙ୍ଗେ ସଙ୍ଗେ ଆଜି ପୂର୍ବାହ୍ନରେ ବ୍ୟକ୍ତିଗତ ଭାବେ ଦେବୋତ୍ତର ବିଭାଗ ପରିଚାଳକ ତାପସ କୁମାର ପଟ୍ଟନାୟକଙ୍କ କାର୍ଯ୍ୟାଳୟରେ ପହଞ୍ଚି ଚାରି ଲକ୍ଷ ଟଙ୍କା ଆର୍ଥିକ ସାହାର୍ଯ୍ୟ ଯୋଗାଇ ଦେବେ ବୋଲି କହିଥିଲେ ।

ଅଳଙ୍କାର ମରାମତି ପାଇଁ ଆବଶ୍ୟକ ସାତ ଲକ୍ଷ ଟଙ୍କା ମଧ୍ଯରୁ ଅବଶିଷ୍ଟ ତିନି ଲକ୍ଷ ଟଙ୍କା ବଦାନ୍ୟ ବ୍ୟକ୍ତି ବିଶେଷ ଏବଂ ଦେବୋତର ବିଭାଗ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଦେବୋତ୍ତର ସୁପର ଭାଇଜର ସୁବାଷ ଚନ୍ଦ୍ର ବରାଳ, କାଉନସିଲର ଲକ୍ଷ୍ମୀଧର ମହାପାତ୍ର ଏବଂ ଭୀମସେନ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

Related posts