ଭଞ୍ଜ ଜୟନ୍ତୀ ପାଳନ ପ୍ରସ୍ତୁତି ବୈଠକ

ନୟାଗଡ଼(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଳକ ଅନ୍ତର୍ଗତ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ସିଦ୍ଧି ଓ ସାଧନାର କ୍ଷେତ୍ର ନୂଆଗାଁ ବ୍ଳକ ଅନ୍ତର୍ଗତ ମାଳିସାହି ଗତିଶ୍ବରଙ୍କ ପୀଠରେ ଭଞ୍ଜ ଜୟନ୍ତୀ ଉତ୍ସବ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଉପେନ୍ଦ୍ର ଭଞ୍ଜ ସାହିତ୍ୟ ଓ ସଂସ୍କୃତି ପରିଷଦର ସଭାପତି କୃଷ୍ଣ ଚନ୍ଦ୍ର ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ ଗତବର୍ଷ ଭଞ୍ଜ ଜୟନ୍ତୀ ଉତ୍ସବର ବିଭିନ୍ନ ଦିଗ ଉପରେ ଆଲୋଚନା କରାଯାଇ ଏହାର ସାଫଲ୍ୟତା ନେଇ ସଭା ଖୁସି ପ୍ରକଟ କରିଥିଲା।ତେବେ ଜୟନ୍ତୀ ଉତ୍ସବକୁ ଅଧିକ ଉତ୍ସବ ମୂଖର ତଥା ଭଞ୍ଜଙ୍କ ଏହି ଅନାଲୋଚିତ ସାଧନାର ପୀଠକୁ ପ୍ରଚାର ପ୍ରସାର କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଚଳିତ ଭଞ୍ଜ ଜୟନ୍ତୀ ଉତ୍ସବ ଆସନ୍ତା ଜୁନ ୧୦ ତାରିଖରେ ପାଳନ କରାଯିବା ସହ ଉତ୍ସବକୁ ସରସ ସୁନ୍ଦର କରିବା ସହିତ ଭଞ୍ଜ ବିଶାରଦ, ଭଞ୍ଜ ଗବେଷକ ତଥା ଉଦୀୟମାନ ବକ୍ତାଙ୍କୁ ନିମନ୍ତ୍ରଣ କରାଯିବା ପାଇଁ ନିଷ୍ପତ୍ତି ନିଆ ଯାଇଥିଲା। ଅତିଥି ଚୟନ ପାଇଁ ସମାଜସେବୀ ବିଶ୍ବନାଥ ମହାପାତ୍ର ଓ ଭଞ୍ଜ ଗବେଷକ ପ୍ରଫେସର ଡକ୍ଟର ପ୍ରେମାନନ୍ଦ ମହାପାତ୍ରଙ୍କୁ ଦାୟିତ୍ଵ ଦିଆଯାଇଥିଲା। ଉପେନ୍ଦ୍ର ଭଞ୍ଜଙ୍କ ଚଲାବାଟ ବାଲୁଗାଁ – ମହିପୁର ରାସ୍ତାକୁ ଉପେନ୍ଦ୍ର ଭଞ୍ଜ ମାର୍ଗ ନାମରେ ନାମିତ କରାଯିବା ପାଇଁ ପ୍ରସ୍ତାବ ନିଆଯାଇଥିଲା। ଏହି ବୈଠକରେ ପ୍ରଧାନୀ ବୃନ୍ଦାବନ ମହାପାତ୍ର,ନୀରଞ୍ଜନ ସାହୁ, ରାମଚନ୍ଦ୍ର ମହାପାତ୍ର, ବାଙ୍କନିଧି ପଟ୍ଟନାୟକ, ଗୋବିନ୍ଦ ଚନ୍ଦ୍ର ଧରା ମହାପାତ୍ର,ତବିରୂନ୍ ବିବି, ପବିତ୍ର ବଳବନ୍ତରା, ପ୍ରେମାନନ୍ଦ ପାଟ୍ଟଶାଣୀ ଓ ସୁରେନ୍ଦ୍ର ନାଥ ପ୍ରଧାନ ପ୍ରମୁଖ ଯୋଗଦେଇ ଥିଲେ। ଭଞ୍ଜ ପ୍ରେମୀ ଭାଗିରଥି ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ।

Related posts