ଗୋଟିଏ ଦିନରେ ୨୨ଟି ଗାଁରେ ଅରୁଣଙ୍କ ଗ୍ରୀନ୍ କ୍ୟାମ୍ପେନ୍‌

ଯୋଡ଼ିଶଙ୍ଖରେ ମତଦାନ ପାଇଁ ଭୋଟରଙ୍କୁ ଦେଲେ ଆହ୍ୱାନ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେପି, କଂଗ୍ରେସ ଓ ବିଜେଡି ପକ୍ଷରୁ ଜୋରଦାର ଚାଲିଛି ପ୍ରଚାର। ବିଜେଡି ପ୍ରାର୍ଥୀ ଡ. ଅରୁଣ କୁମାର ସାହୁ ଗ୍ରୀନ କ୍ୟାମ୍ପେନକୁ ଦେଉଛନ୍ତି ଗୁରୁତ୍ୱ । ଆଜି ଗୋଟିଏ ଦିନରେ ଡ. ସାହୁ ୨୨ଟି ଗାଁକୁ ଯାଇ କରିଛନ୍ତି ପ୍ରଚାର । ପ୍ରତ୍ୟେକ ଭୋଟରଙ୍କ ପାଖରେ ପହଞ୍ଚି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଯୋଡ଼ି ଶଙ୍ଖରେ ମତଦାନ ଆହ୍ୱାନକୁ ପହଞ୍ଚାଇବାକୁ ଲକ୍ଷ ରଖିଛନ୍ତି । ନିର୍ବାଚନ ମଣ୍ଡଳୀରେ ହୋଇଥିବା ବିକାଶ ଓ ଉନ୍ନତିକୁ ମୁଦା କରି ବିପୁଳ ଭୋଟରେ ବିଜୟ ଲାଭ କରିବା ପାଇଁ ଯୋଜନା ପ୍ରସ୍ତୁତ କରିଛନ୍ତି ଡ଼ ଅରୁଣ । ଆଜି ବିଜେଡି ବିଧାୟକ ପ୍ରାର୍ଥୀ ଡ. ସାହୁ ନୟାଗଡ଼ ବ୍ଲକର ୨୨ ଟି ଗାଁରେ ପ୍ରଚାର କରିଛନ୍ତି ।


ସକାଳୁ ସକାଳୁ ବଡ଼ଦ୍ୱାର, ବାଲିପାଟଣା, ମାଙ୍କପଲ୍ଲୀ, କଳାହାଣ୍ଡି, ଜୟପୁରୁ, ନୂଆଜୟପୁରୁ, ସୁବର୍ଣ୍ଣଦେଇପୁର, ମୁକ୍ତାପୁର, ମୁଥାଗାଡିଆ, କାଳୁଚୁଆପଲ୍ଲୀ ଓ କରଡ଼ାବଣୀ ଗ୍ରାମ ବୁଲି ବିଭିନ୍ନ ସଭା କରିଛନ୍ତି । ଅପରାହ୍ନରେ ପିଆଶାଳିଆ, ହରିହରପୁର, ବେଲବଣୀ, ଲଡ଼ୁକେଶରପୁର, ମାଛିପଡ଼ା, ଧବଳେଇ, ଜାମୁସାହି, ରଘୁନାଥପ୍ରସାଦ, ନରସିଂହପ୍ରସାଦ, ବ୍ରଜବଲ୍ଲଭପୁର, ନୂଆ ଘଡ଼ୁଆଳ ଗାଁରେ ପହଞ୍ଚି ଲୋକଙ୍କ ସହ ଆଲୋଚନା କରିଛନ୍ତି ।ମୁଖ୍ୟମନ୍ତ୍ରୀ ଦେଇଥିବା ବିକାଶ ବାର୍ତ୍ତାକୁ ଲୋକମାନଙ୍କ ପାଖରେ ପହଞ୍ଚାଉଛନ୍ତି । ବିଜୁ ଜନତା ଦଳ ସରକାର ଗଠନ ପ୍ରଥମ ଦିନରେ ହିଁ ପ୍ରତ୍ୟେକ ଉପୋଭୋକ୍ତାଙ୍କୁ ୧୦୦ୟୁନିଟ ମାଗଣା ବିଜୁଳି ଯୋଗାଇଦେବା ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଏଥି ସହିତ ଯୁବବର୍ଗଙ୍କ ପାଇଁ ଯୁବ ବଜେଟ ସହ କୃଷି, ଶୀଳ୍ପ, ଶିକ୍ଷା, ସ୍ୱାସ୍ଥ୍ୟ ପାଇଁ ଅନେକ ଯୋଜନା ମୁଖ୍ୟମନ୍ତ୍ରୀ ପ୍ରସ୍ତୁତ କରିଥିବା ଡ. ସାହୁ କହିଛନ୍ତି ।

୨୦୩୬ ମସିହା ବେଳକୁ ଓଡିଶା କିଭଳି ଅଗ୍ରଣୀ ରାଜ୍ୟରେ ପରିଣତ ହେବ ସେଥିପାଇଁ ମୁଖ୍ୟମନ୍ତ୍ରୀ ଅନେକ ରୋଡ଼ ମ୍ୟାପ ପ୍ରସ୍ତୁତ କରିଛନ୍ତି । ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କାର୍ଡ ଯୋଜନା ଠାରୁ ଆରମ୍ଭ କରି ମଧୁବାବୁ ଯୋଜନା, କାଳିଆ ଯୋଜନା, ମମତା ଯୋଜନା ଓ ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଅନେକ ଯୋଜନା କରିଥିବା ପ୍ରକାଶ କରିଛନ୍ତି । ମୁଖ୍ୟତଃ ମିଶନ ଶକ୍ତି ମା’ମାନେ କିପରି ଅଧୀକ ରୋଜଗାର କ୍ଷମ ହୋଇପାରିବେ ସେଥି ନିମନ୍ତେ ମହିଳା ମାନଙ୍କୁ ଅଧୀକ ଗୁରୁତ୍ୱ ଦେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ମା’ ମାନେ ଅଧୀକ ଶକ୍ତିଶାଳୀ ହେବେ ରାଜ୍ୟର ଉନ୍ନତି ଘଟିବ ବୋଲି ଡ. ସାହୁ ପ୍ରକାଶ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁଙ୍କ ସମେତ ବିଭିନ୍ନ ପଞ୍ଚାୟତର ନେତୃ ମଣ୍ଡଳୀ ଉପସ୍ଥିତ ରହିଥିଲେ।

Related posts