ଖର୍ଜ ପର୍ଯ୍ୟବେକ୍ଷକଙ୍କ ସମୀକ୍ଷା ବୈଠକ

ନୟାଗଡ଼,(ନୟାଗଡ଼ ଦର୍ପଣ): ୧୧୯-ରଣପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଏବଂ ୧୨୨- ନୟାଗଡ଼ ନିର୍ବାଚନ ମଣ୍ଡଳୀର ଖର୍ଚ୍ଚ ପର୍ଯ୍ୟବେକ୍ଷକ ଅନିଲ ପାଣ୍ଡେ, ଭାରତୀୟ ରାଜସ୍ୱ ସେବା (ମୋ-୭୯୭୮୮୩୮୪୦୩) ନୟାଗଡ଼ ଗସ୍ତ କରି ଅପରାହ୍ନ ୫ଘଟିକା ସମୟରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଉଭୟ ରଣପୁର ଏବଂ ନୟାଗଡ଼ ନିର୍ବାଚନ ମଣ୍ଡଳୀ ଦ୍ଵୟର ଖର୍ଚ୍ଚ ବିଷୟରେ ସମୀକ୍ଷା କରିଥିଲେ । ନିର୍ବାଚନକୁ କିପରି ସ୍ଵଚ୍ଛ, ନିରପେକ୍ଷ ଓ ଅବାଧରେ କରାଯିବ ତାହା ଉପରେ ଗୁରୁତ୍ଵ ଦେଇଥିଲେ । ନିର୍ବାଚନରେ ବିଭିନ୍ନ ପ୍ରାର୍ଥୀମାନଙ୍କର ନିର୍ବାଚନୀ ଖର୍ଚ୍ଚର ଟିକିନିଖି ହିସାବ ସଂପୃକ୍ତ ପ୍ରାର୍ଥୀଙ୍କ ହିସାବ ଖାତାରେ ପଂଜିକୃତ କରିବା ପାଇଁ ଖର୍ଚ୍ଚ ପର୍ଯ୍ୟବେକ୍ଷକ ଶ୍ରୀ ପାଣ୍ଡେ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ । ନିର୍ବାଚନ ସଂପର୍କରେ ହୋଇଥ‌ିବା ସମସ୍ତ ବୈଠକର ତଥ୍ୟ ଜିଲ୍ଲା ନିର୍ବାଚନ ଅଧିକାରୀ ସ୍ଵାଧା ଦେବ ସିଂ ପର୍ଯ୍ୟବେକ୍ଷକଙ୍କୁ ଅବଗତ କରାଇଥିଲେ ।

ରଣପୁର ନିର୍ବାଚନ ମଣ୍ଡଳୀର ରିଟର୍ଣ୍ଣିଙ୍ଗ ଅଫିସର ଦିଲିପ କୁମାର ବଳ ଓ ନୟାଗଡ଼ ନିର୍ବାଚନ ମଣ୍ଡଳୀର ରିଟର୍ଣ୍ଣିଙ୍ଗ
ଅଫିସର କର୍ଣ୍ଣଦେବ ସମାଦାର ସେମାନଙ୍କ ନିର୍ବାଚନ ମଣ୍ଡଳୀରେ ଅବାଧ, ସ୍ଵଚ୍ଛ ଏବଂ ନିରପେକ୍ଷ ନିର୍ବାଚନ ନିମନ୍ତେ ନେଇଥିବା ପଦକ୍ଷେପ ସମ୍ବନ୍ଧରେ ପର୍ଯ୍ୟବେକ୍ଷକଙ୍କୁ ଅବଗତ କରାଇଥିଲେ । ଅବକାରୀ ବିଭାଗର ଅଧିକାରୀଙ୍କୁ ନିର୍ବାଚନ ସମୟରେ ମାଦକ ଦ୍ରବ୍ୟର ବ୍ୟବହାର ଓ ବ୍ୟବସାୟ ଉପରେ ତୀକ୍ଷ୍ଣ ଦୃଷ୍ଟି ଦେବାକୁ ପରାମର୍ଶ ଦେଇଥିଲେ । ଏହି ବୈଠକରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ରାହୁଲ ଜୈନ୍, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଦେବଦତ୍ତ ପଣ୍ଡା, ସମସ୍ତ ଅତିରିକ୍ତ ରିଟର୍ଣ୍ଣିଙ୍ଗ ଅଫିସର, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ରମାକାନ୍ତ ପଣ୍ଡା, ଅବକାରୀ ଅଧୀକ୍ଷକ ପ୍ରମୁଖ ଉପସ୍ଥିତ ଥିଲେ । ସଭା ଶେଷରେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀମତୀ ସିଂ ପର୍ଯ୍ୟବେକ୍ଷକ ଏବଂ ଉପସ୍ଥିତ ଅନ୍ୟ ସମସ୍ତଙ୍କୁ ଧନ୍ୟବାଦ ଜଣାଇ ସଭା ସାଙ୍ଗ କରିଥିଲେ ।

Related posts