ନୂଆଗାଁ: (ନୟାଗଡ ଦର୍ପଣ) ନୂଆଗାଁର ପୂର୍ବତନ ତହସିଲଦାର ଶରତ କୁମାର ମଲ୍ଲିକଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଥିବା ନେଇ ରାଜସ୍ୱ ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି। ତହସିଲଦାର ଶ୍ରୀ ମଲ୍ଲିକ୍ ନୟାଗଡ଼ ଜିଲ୍ଲା ଛାଡ଼ି ଅନ୍ୟତ୍ର ଯାଇପାରିବେ ନାହିଁ ବୋଲି ନିର୍ଦ୍ଦେଶନାମାରେ ଉଲ୍ଲେଖ କରାଯାଇଛି। ସୁଚନାନୁସାରେ, ନୂଆଗାଁ ତହସିଲ ଅଞ୍ଚଳରେ ମେସର୍ସ ଗୁପ୍ତା ପାୱାର ଇନଫ୍ରାଷ୍ଟକଚରକୁ ଅନୁକମ୍ପା ଦେଖାଇ ଚଳିତ ବର୍ଷ ଜାନୁଆରୀ ମାସରେ ୯୪ ଏକର ଚାଷ ଜମିକୁ ଘରବାଡ଼ି କିସମରେ ପରିବର୍ତ୍ତନ କରିଥିଲେ । ସବୁତକ କିସମ ଜମିର ଗୋଟିଏ ମକଦ୍ଦମାରେ ପରିବର୍ତ୍ତନ କରିଥିଲେ । ଏନେଇ ସ୍ଥାନୀୟ ଅଞ୍ଚଳରେ ଜନସାଧାରଣ ଅଭିଯୋଗ କରିବା ପରେ ସରକାରଙ୍କ ପକ୍ଷରୁ ତଦନ୍ତ କରାଯାଇଥିଲା । ନୟାଗଡ଼ ଜିଲ୍ଲାପାଳ ଡ଼ ପୋମା ଟୁଡୁଙ୍କ ତଥ୍ୟ ଅନୁଯାୟୀ ନୂଆଗାଁର ଉକ୍ତ ଅଞ୍ଚଳରେ ରେଳବାଇ ପ୍ରକଳ୍ପ ଯାଉଛି । ଏଥିପାଇଁ ସରକାରଙ୍କ ପକ୍ଷରୁ ସମସ୍ତ ଘୋଷଣା ମଧ୍ୟ ଶେଷ ହୋଇଛି। ହେଲେ ଶ୍ରୀ ମଲ୍ଲିକ୍ ଏହାକୁ ଅବମାନନା କରି ବେଆଇନ୍ କାର୍ଯ୍ୟ କରିଥିଲେ। ସରକାରଙ୍କ ନିୟମ-୨୦୧୩ ଅନୁଯାୟୀ ସମୂହ କିମ୍ବା ରାଷ୍ଟ୍ର ଉଦ୍ଦେଶ୍ୟରେ କୌଣସି କାର୍ଯ୍ୟ ପାଇଁ ଜମିର ଆବଶ୍ୟକତା ଥିବା ବେଳେ ସେତେବେଳେ ଉକ୍ତ ଅଞ୍ଚଳର କୌଣସି ଜମିର ପରିବର୍ତ୍ତନ କରାଯିବା କଥା ନୁହେଁ । ତତ୍ ସହିତ ସରକାରଙ୍କ ରାଜସ୍ୱ କ୍ଷତି ହେବା ଭଳି କୌଣସି କାର୍ଯ୍ୟ କରାଯିବା କଥା ନୁହେଁ। ସେଥିପାଇଁ ଶ୍ରୀ ମଲ୍ଲିକଙ୍କୁ ନିଲମ୍ବିତ କରାଯାଇଥିବା ଜଣା ପଡିଛି।
୯୪ଏକର ଜମିର କିସମ ବଦଳାଇ ତହସିଲଦାର ନିଲମ୍ବିତ
![](https://nayagarhdarpan.com/wp-content/uploads/2021/05/tahasildar-500x280.jpg)