ଭକ୍ତି ସଙ୍ଗୀତ ଫାଇନାଲ, ପ୍ରୟାତାତ୍ମା ହେଲେ ନୟାଗଡ଼ ସଙ୍ଗୀତ କଲ୍ଲୋଳ

ନୟାଗଡ଼,(ନୟାଗଡ଼ ଦର୍ପଣ): ‘ସଙ୍ଗୀତଧାରା’ ନୟାଗଡ଼ ପକ୍ଷରୁ ସ୍ଥାନୀୟ ପଠାଣି ସମାନ୍ତ ସଂସ୍କୃତି ଭବନ ଠାରେ ଆୟୋଜିତ ଭକ୍ତି ସଙ୍ଗୀତ ପ୍ରତିଯୋଗିତା ଫାଇନାଲରେ ପ୍ରୟାତତ୍ମା ରଥ ବିଜୟୀ ହୋଇ ୧୧ହଜାର ନଗଦ ରାଶି ସହିତ ନୟାଗଡ଼ ସଙ୍ଗୀତ କଲ୍ଲୋଳ ଉପାଧିରେ ଭୂଷିତ ହୋଇଛନ୍ତି। ସୂଚନାଯୋଗ୍ୟ ଯେ ଜିଲ୍ଲାର ୮ଟି ବ୍ଲକରେ ଅନୁଷ୍ଠିତ ହୋଇଥିବା ବ୍ଲକସ୍ତରୀୟ ପ୍ରତିଯୋଗିତାରୁ ଶ୍ରେଷ୍ଠ ୧୧ଜଣ ପ୍ରତିଯୋଗୀ ଫାଇନାଲ ପର୍ଯ୍ୟାୟକୁ ମନୋନୀତ ହୋଇଥିଲେ। ତିନି ପର୍ଯ୍ୟାୟରେ ଅନୁଷ୍ଠିତ ଏହି ଫାଇନାଲ ପ୍ରତିଯୋଗିତାରେ ବିଚାରକ ଭାବେ ଓଡ଼ିଶାର ଲବ୍ଧ ପ୍ରତିଷ୍ଠିତ ପ୍ରଚ୍ଛଦପଟ କଣ୍ଠଶିଳ୍ପୀ ଗୀତା ଦାଶ, ଆଲୋକ କୁଣ୍ଡୁ ଏବଂ ସଙ୍ଗୀତ ନିର୍ଦ୍ଦେଶକ ଅଶୋକ ଗଣ୍ଠିଆ ଯୋଗଦାନ କରି ଶ୍ରେଷ୍ଠ ୩ ଜଣ ବିଜେତାଙ୍କୁ ବାଛିଥିଲେ।

ଶେଷରେ ଅନୁଷ୍ଠିତ ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ପ୍ରୟାତତ୍ମାଙ୍କୁ ନୟାଗଡ଼ ସଙ୍ଗୀତ କଲ୍ଲୋଳ ଉପାଧି ସହିତ ମାନପତ୍ର, ଟ୍ରଫି ଏବଂ ଅର୍ଥ ରାଶି ପ୍ରଦାନ କରିଥିଲେ। ସେହିପରି ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ଓମ ପ୍ରକାଶ ପାତ୍ରଙ୍କୁ ୫ହଜାର ଏବଂ ତୃତୀୟ ସ୍ଥାନ ଅଧିକାର କରିଥିବା ସ୍ନେହା ପ୍ରିୟଦର୍ଶିନୀଙ୍କୁ ୩ ହଜାର ଟଙ୍କା ଅର୍ଥ ରାଶି ସହିତ ଟ୍ରଫି ଏବଂ ମାନପତ୍ର ପ୍ରଦାନ କରିଥିଲେ। ଏଥି ସହିତ ଚୂଡ଼ାନ୍ତ ପର୍ଯ୍ୟାୟରେ ଯୋଗଦାନ କରିଥିବା ବିଚାରକ ମାନଙ୍କୁ ଉପଢୌକନ ଏବଂ ମାନପତ୍ର ଦେଇ ମୁଖ୍ୟ ଅତିଥି ସମ୍ବର୍ଦ୍ଧିତ କରିଥିବା ବେଳେ ବ୍ଲକ ପର୍ଯ୍ୟାୟରେ ଅନୁଷ୍ଠିତ ପ୍ରତିଯୋଗିତାର ବିଚାରକ ମାନଙ୍କୁ ମଧ୍ୟ ଅନୁରୂପ ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମକୁ କଣ୍ଠଶିଳ୍ପୀ ପ୍ରଶାନ୍ତ ଦାଶ, ଗୋପୀନାଥ ସେଠୀ ଏବଂ ଜୟଶ୍ରୀ ଦେବୀ ସଂଯୋଜନା କରିଥିବା ବେଳେ ଅନୁଷ୍ଠାନର ସଭାପତି ନାଟ୍ୟଭୂଷଣ ଡ.ବିଜୟ କୁମାର ଚୌଧୁରୀ, ମୁଖ୍ୟ ପୃଷ୍ଠପୋଷକ ସମାଜସେବୀ ପ୍ରମୋଦ ପଟ୍ଟନାୟକ, ଉପସଭାପତି ଡ.ନିର୍ମଳ ଚନ୍ଦ୍ର ଶୂରଦେଓ, ସମ୍ପାଦକ କଣ୍ଠଶିଳ୍ପୀ ପ୍ରଶାନ୍ତ ଦାଶ, ସହ ସମ୍ପାଦକ ବିଜୟାନନ୍ଦ ମହାପାତ୍ର, ସଂଯୋଜକ ଲକ୍ଷ୍ମୀଧର ସାହୁ, ଗୁରୁ ପ୍ରଭାତ ମହାପାତ୍ର, ଅଶୋକ ମଲ୍ଲ, ଡ.ଆଶୁତୋଷ ମିଶ୍ର, ରଂଜନ ରଶ୍ମି ଜେନା, ପ୍ରଦୀପ ସାହୁ,ପ୍ରଶାନ୍ତ ପଟ୍ଟନାୟକ ପ୍ରମୁଖ ସହଯୋଗ କରିଥିଲେ ।

Related posts