ଧନ୍ଦାମୂଳକ ଶିକ୍ଷାର୍ଥୀ ଙ୍କ ଶିଳ୍ପ ପରିଭ୍ରମଣ

ଓଡଗାଁ,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ ଶରଣକୁଳ ସ୍ଥିତ ନାରାୟଣ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗର ସମଗ୍ର ଶିକ୍ଷା ଯୋଜନା ଅଧୀନରେ ଚାଲୁଥିବା ଧନ୍ଦାମୂଳକ ଶିକ୍ଷା ଛାତ୍ରୀ ଛାତ୍ରଙ୍କ ଦ୍ବାରା ଶିଳ୍ପାନୁଷ୍ଠାନ ପରିଭ୍ରମଣ ଶିକ୍ଷା ଅନୁଷ୍ଠିତ ହୋଇଛି। ଏହି ପରିଭ୍ରମଣରେ ନାରାୟଣ ଉଚ୍ଚ ବିଦ୍ୟାଳୟର ନବନ ଓ ଦଶମ ଶ୍ରେଣୀର ୭୦ ଶିକ୍ଷାର୍ଥୀ ଏବଂ(ସ୍ପୋକ ସ୍କୁଲ)ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଶରଣକୁଳର ୧୧ଜଣ ଶିକ୍ଷାର୍ଥୀ ସାମିଲ ହୋଇଛନ୍ତି।ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ କାଞ୍ଚନ ଷଡ଼ଙ୍ଗୀଙ୍କ ତତ୍ୱାବଧାନ ରେ ଦୁଇଟି ବିଦ୍ୟାଳୟର ଛାତ୍ରୀ ଛାତ୍ର ମାନେ ଓଡ଼ଗାଁ ସ୍ଥିତ ଅମନ ଟେକ୍ସଟାଇଲକୁ ପରିଭ୍ରମଣ କରିଥିଲେ।ପ୍ରତିଷ୍ଠାତା ଶ୍ରୀମତୀ ମିନତୀ ସାହୁ ଏବଂ ନାରାୟଣ ଉଚ୍ଚ ବିଦ୍ୟାଳୟର ପରିଧାନ ବିଭାଗର ପ୍ରଶିକ୍ଷିକା ଶ୍ରୀମତୀ ରୋଜାଲିନ ମିଶ୍ରଙ୍କ ସହାୟତା ରେ ବିଭିନ୍ନ ପ୍ରକାର ସିଲେଇ ମେସିନର ପରିଚାଳନା ଏବଂ ଟେକ୍ସଟାଇଲ ଇଣ୍ଡଷ୍ଟ୍ରିରେ କିପରି ସୁଚାରୁ ରୁପେ କାର୍ଯ୍ୟ ସମ୍ପାଦନ କରାଯିବ ସେ ବିଷୟରେ ଶିକ୍ଷାର୍ଥୀଙ୍କୁ ଶିକ୍ଷା ଦେଇଥିଲେ। ଏହି ପରିଭ୍ରମଣରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଶ୍ରୀ ରଶ୍ମିରଞ୍ଜନ ମିଶ୍ର, ଗୌରାଙ୍ଗ ସାହୁ ସମେତ ବାଳିକା ଉଚ୍ଚ ବିଦ୍ୟାଳୟ ର ଶିକ୍ଷୟିତ୍ରୀ ଶ୍ରୀମତୀ ଚିନ୍ମୟୀ ସାହୁ ସହଯୋଗ କରିଥିଲେ। ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ପ୍ରଭାକର ସାହୁ ଧନ୍ଦାମୂଳକ ଶିକ୍ଷାରେ ଶିଳ୍ପାନୁଷ୍ଠାନ ପରିଭ୍ରମଣର ଯଥେଷ୍ଟ ଆବଶ୍ୟକତା ରହିଛି ବୋଲି ମତ ରଖିଥିବାବେଳେ ଧନ୍ଦାମୂଳକ ଶିକ୍ଷାର ଭାରପ୍ରାପ୍ତ ଅଧିକାରିଣୀ ଶ୍ରୀମତୀ ପ୍ରଜ୍ଞା ପରମିତା ସାହୁ ଏବଂ ବରିଷ୍ଠ ଶିକ୍ଷକ ଜନାର୍ଦ୍ଦନ ପରିଡା ଶିକ୍ଷା କ୍ଷେତ୍ରରେ ଧନ୍ଦାମୂଳକ ଶିକ୍ଷାର ଉପାଦେୟତା ବିଷୟରେ ମତ ପ୍ରକାଶ କରିଛନ୍ତି । ଶିକ୍ଷାର୍ଥୀଙ୍କ ଶିଳ୍ପାନୁଷ୍ଠାନ ପରିଭ୍ରମଣ ଏହି ଶିକ୍ଷାରେ ବିଶେଷ ଲାଭପ୍ରଦ ହେବ ବୋଲି ଶିକ୍ଷୟତ୍ରୀ, ଶିକ୍ଷକ ଏବଂ ଅଭିଭାବକମାନେ ମତ ଦେଇଛନ୍ତି।

Related posts