୧୯ କୋଟିରୁ ଉର୍ଦ୍ଧ୍ୱ ପ୍ରକଳ୍ପର ଶିଳାନ୍ୟାସ
ନୟାଗଡ଼ ବିକାଶରେ ନୂଆଫର୍ଦ୍ଦ

ସାମାଜିକ କାର୍ଯ୍ୟ ପାଇଁ ନିର୍ମାଣ ହେବ ୪ କଲ୍ୟାଣମଣ୍ଡପ
ସିଟି ଜିଏସଟି ଓ ଅବକାରୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ଶିଳାନ୍ୟାସ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସହର ବିକାଶରେ ଆଜି ପୁଣି ଏକ ନୂଆପୃଷ୍ଠା ଯୋଡ଼ି ହୋଇଛି । ନୟାଗଡ଼ ଜିଲ୍ଲା ମାନ୍ୟତା ପାଇବା ପରେ ଅନେକ ସରକାରୀ କାର୍ଯ୍ୟାଳୟ ନୂତନ ଭାବେ ନିର୍ମାଣ ସରିଥିବା ବେଳେ ୨ଟି କାର୍ଯ୍ୟାଳୟ ନୂତନ ଗୃହ ପାଇଁ ଶିଳାନ୍ୟାସ ହୋଇଛି । ତା ସହିତ ସହରବାସୀଙ୍କ ସାମାଜିକ କାର୍ଯ୍ୟ ପାଇଁ ୪ଟି କଲ୍ୟାଣମଣ୍ଡପ ନିର୍ମାଣ ପାଇଁ ଶୁଭ ଦିଆଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ବିକାଶ ତାଲିକାରେ ଏହି ସବୁ ପ୍ରକଳ୍ପ ଯୋଡ଼ି ହୋଇଛି । ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଆଜି ୧୯ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ମୁଲ୍ୟର ପ୍ରକଳ୍ପ ପାଇଁ ଶିଳାନ୍ୟାସ କରିଛନ୍ତି । ନୟାଗଡ଼ ବିଧାୟକ ଡ. ସାହୁ ବେବର୍ତ୍ତାପଲ୍ଲୀଠାରେ ଏକ କଲ୍ୟାଣମଣ୍ଡପ ଶିଳାନ୍ୟାସ କରିଛନ୍ତି । ଦୁଇ ମହଲା ବିଶିଷ୍ଟ କଲ୍ୟାଣମଣ୍ଡପ ନିର୍ମାଣ କରାଯିବ । ଏଥି ନିମନ୍ତେ ୨ କୋଟି ୧୫ ଲକ୍ଷ ଟଙ୍କା ବ୍ୟୟ କରାଯିବ । ପରେ ପୁରୁଣା ସହରରେ ୨ କୋଟି ୯୯ ଲକ୍ଷ ଟଙ୍କାର ନିର୍ମାଣ ହେବାକୁ ଥିବା କଲ୍ୟାଣ ମଣ୍ଡପର ଶିଳାନ୍ୟାସ କରାଯାଇଛି । ସେହିପରି ଭାବେ ମହର୍ଷି ସ୍କୁଲ ନିକଟରେ ୨ କୋଟି ୯୯ ଲକ୍ଷ ଟଙ୍କା ବ୍ୟୟ ହେବାକୁ ଥିବା କଲ୍ୟାଣମଣ୍ଡପର ଶିଳାନ୍ୟାସ କରାଯାଇଛି । ଏଥିସହିତ ନୟାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ନିକଟରେ ଏକ କଲ୍ୟାଣମଣ୍ଡପ ନିର୍ମାଣ ପାଇଁ ଶିଳାନ୍ୟାସ ହୋଇଛି । ଏହି କଲ୍ୟାଣ ମଣ୍ଡପ ପାଇଁ ୨ କୋଟି ୧୫ ଲକ୍ଷ ଟଙ୍କା ଅନୁଦାନ ମିଳିଛି । ଏହା ସହିତ ନୟାଗଡ଼ ସିଟି ଜିଏସଟି ଏବଂ ଅବକାରୀ ଅଧିକ୍ଷକଙ୍କ ନୂତନ କାର୍ଯ୍ୟାଳୟ ପାଇଁ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ନିକଟରେ ଶିଳାନ୍ୟାସ ହୋଇଛି । ୩ କୋଟି ୬୫ ଲକ୍ଷ ବ୍ୟୟରେ ସିଟି ଏବଂ ଜିଏସଟି ଅଫିସ ଏବଂ ୨ କୋଟି ୯୬ ଲକ୍ଷ ଟଙ୍କା ବ୍ୟୟରେ ନୂତନ ଅବକାରୀ ଅଧିକ୍ଷକ କାର‌୍ୟ୍ୟାଳୟର ନିର୍ମାଣ ହେବ ବୋଲି ସୂଚନା ମିଳିଛି । ଏଥି ସହିତ ଅତ୍ୟାଧୁନିକ ଡ୍ରାଇଭିଂ ଟେଷ୍ଟିଂ ଟ୍ରାକ୍ ନିମନ୍ତେ ୬୦ ଲକ୍ଷ ଟଙ୍କା ଅନୁଦାନରେ ଶିଳାନ୍ୟାସ କରାଯାଇଛି । ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟର +୨ ନିମନ୍ତେ ଏକ କଲେଜ ବିଲ୍ଡିଂ ପାଇଁ ଶୁଭ ପ୍ରଦାନ କରାଯାଇଛି । ଏଥିପାଇଁ ୧ କୋଟି ୫୦ ଲକ୍ଷର ବ୍ୟୟ ମଞ୍ଜୁର ହୋଇଛି । ସେହିଭଳି ଭାବେ ପୈାର ପରିଷଦ ୧୧ ନମ୍ବର ୱାର୍ଡ଼ରେ ବାଟମଙ୍ଗଳା ମନ୍ଦିର ନିର୍ମାଣ ପାଇଁ ଶିଳାନ୍ୟାସ କରାଯାଇଛି । ଏଥିପାଇଁ ୪ ଲକ୍ଷ ଟଙ୍କା ବ୍ୟୟ ମଞ୍ଜୁର ହୋଇଛି । ନୟାଗଡ଼ ଗ୍ରାମ୍ୟ ଉନ୍ନୟନ ବିଭାଗ ଓ ପୂର୍ତ ବିଭାଗ ଦ୍ୱାରା କାର‌୍ୟ୍ୟ ସମାପନ୍ନ କରାଯିବ । ତ୍ୱରିତ ଗତିରେ ସମସ୍ତ କାର‌୍ୟ୍ୟ ସଠିକ ସମୟରେ କାର‌୍ୟ୍ୟ ସାରିବା ପାଇଁ ଡ. ସାହୁ ସମସ୍ତ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୟାଗଡ଼କୁ ଏକ ବିକଶିତ ନିର୍ବାଚନ ମଣ୍ଡଳୀ ଭାବେ ଗଢ଼ି ତୋଳିବା ପାଇଁ ଯେଉଁ ସ୍ୱପ୍ନ ଦେଖିଛନ୍ତି ସେ ସ୍ୱପ୍ନକୁ ଆମେ ସମସ୍ତେ ମିଳିମିଶି ପୁରଣ କରିବା ବୋଲି ଡ. ସାହୁ ପ୍ରକାଶ କରିଛନ୍ତି । ଏହି ମାରାଥନ ଶିଳାନ୍ୟାସ କାର୍ଯ୍ୟକ୍ରମରେ ପୈାର ପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇ, ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା, ବ୍ଲକ ଉପାଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ସାହୁ ଏବଂ ନୟାଗଡ଼ ପୈାର ପରିଷଦର ସମସ୍ତ କାଉନସିଲର ସାମିଲ ହୋଇଥିଲେ । ପୂର୍ତ୍ତ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ କର୍ମଚାରୀ ସାମିଲ ରହିଥିଲେ । ନୟାଗଡ଼ ବିଧାୟକ ଡ. ସାହୁ ସମର୍ଥକଙ୍କ ସହ ବାଇକ ଶୋଭାଯାତ୍ରାରେ ଯାଇ ସମସ୍ତ ପ୍ରକଳ୍ପକୁ ଶିଳାନ୍ୟାସ କରିଥିଲେ ।

Related posts