ଶରଣକୁଳ,(ନୟାଗଡ଼ ଦର୍ପଣ): ଶରଣକୁଳ ନିକଟବତ୍ତୀ ନନ୍ଦିଘୋର ଠାରୁ ପଞ୍ଚିରିଡ଼ା ମାନପୁର ଯାଏଁ ଆସିଥିବା ବୁଢ଼ାବୁଢ଼ୀଆଣୀ କେନାଲର ହୁଡ଼ାରାସ୍ତାରେ ହୋଇଥିବା ଗର୍ତ୍ତରେ ପଡ଼ି ହରିହରପୁର ଗ୍ରାମର ସନ୍ତୋଷ ଜେନା ଓରଫ ମୂଷାଙ୍କର ଗତକାଲି ବିଳମ୍ବିତ ରାତିରେ ମୃତ୍ୟୁ ହୋଇ ଯାଇଛି। ନୟାଗଡ଼ ଜିଲ୍ଲା ବୁଢ଼ାବୁଢ଼ିଆଣୀ ମଧ୍ୟମ ଜଳସେଚନ ଯୋଜନାର ଶରଣକୁଳ ନିକଟବତ୍ତୀର୍ ନନ୍ଦିଘୋର ଠାରୁ ମାନପୁର ପଯ୍ୟର୍ନ୍ତ ଯାଇଥିବା ଏହି କେନାଲରେ ହୋଇଥିବା ଗର୍ତ୍ତ ସମ୍ପର୍କରେ ବାରମ୍ବାର ଖବର କାଗଜରେ ବାହାରିବା ସହ ଶରଣକୁଳ ଜଳସେଚନ ବିଭାଗକୁ ଜଣାଇ ଦିଆ ଯାଇଥିଲେ ମଧ୍ୟ ଦୀର୍ଘ ଦୁଇମାସ ଧରି ବିଭାଗ ପକ୍ଷରୁ କୋୈଣସି ପଦକ୍ଷେପ ନିଆଯାଇ ନ ଥିଲା। ଏହି ରାସ୍ତାଟି ଏକ ନିତି ଦିନିଆଁ ରାସ୍ତା ହୋଇ ଥିଲେ ମଧ୍ୟ ବିଭାଗର ମନମାନି ଆଜି ଜଣକର ଜୀବନ ନେଇଛି।
ବୁଢ଼ାବୁଢ଼ିଆଣୀ ବନ୍ଧରୁ ମିଳୁଥିବା ଜଳର ସ୍ବଳ୍ପତା ଦୃଷ୍ଟିରୁ ମାନପୁର ଗ୍ରାମ ନିକଟରେ ଆନନ୍ଦାପଲ୍ଲୀ ନିକଟରେ ଦୁଆଣ୍ଟ ନଦୀ ଉପରେ ସରକାରଙ୍କ ତରଫରୁ ଏକ ଆନିକଟ କରାଯାଇ ତାହାର ଜଳକୁ ମାନପୁରସ୍ଥ ଖମା ଦେଇ ପଞ୍ଚିରିଡ଼ା ମାନପୁର ଗହୀରକୁ ଜଳସେଚନ ପାଇଁ ଯୋଗାଇ ଦିଆଯାଉଛି। ଏହି ଖମା ମାନପୁର ନୂଆସାହି ପାଖରେ ନନ୍ଦିଘୋର-ପଞ୍ଚିରିଡ଼ା ମାନପୁର କେନାଲକୁ ଅତିକ୍ରମ କରି ଗହୀରକୁ ଯାଉଛି। ତେବେ ଏହି ଗହୀରର ଜଳ ଆବଶ୍ୟକତା ପୂର୍ଣ୍ଣ ହେବା ପରେ ଅବଶିଷ୍ଟ ଜଳକୁ ସେହି ଖମା ତଳକୁ ଥିବା ଏକ ସ୍ଥାନରେ କେନାଲ ଭିତରକୁ ଏକ ହ୍ୟୁମ ପାଇପ୍ ବ୍ୟବସ୍ଥାରେ ଛାଡ଼ି ଦିଆଯାଉଛି। ଯାହାଫଳରେ ଉକ୍ତ ପାଣି ଚଡ଼ୟାପଲ୍ଲୀ, ହରିହରପୁର, ଗୋଡ଼ିପଲ୍ଲୀ, ଅସୁରଢ଼ିପା ଓ ଶିଖରପୁର ଆଦି ଗ୍ରାମର ଜମି ଗୁଡ଼ିକୁ ଜଳସେଚନର ସୁବିଧା ଯୋଗାଇ ଦେବାରେ ସମର୍ଥ ହେଉଛି। ପୂର୍ବେ ଗ୍ରାମବାସୀ ମାନେ ଦୁଆଣ୍ଟ ନଦୀରେ ବନ୍ଧ ପକାଇ ବେଉଷଣ ସମୟରେ ଆବଶ୍ୟକ ଜଳ ଆବଶ୍ୟକତା ପୂରଣ କରିବାକୁ ଆଉ ପଡ଼ୁ ନାହିଁ। ତେବେ ଜଳସେଚନ ବିଭାଗ ତରଫରୁ କେନାଲ ହୁଡ଼ାକୁ ଯାନବାହାନ ଚଳାଚଳ କରିବା ନିମନ୍ତେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ତାହାକୁ ରାସ୍ତାରେ ପରିଣତ କରି ସେଥିରେ ମୋରମ ମେଟାଲ ପକାଇଛନ୍ତି। ଯାହା ଫଳରେ ସେଥିରେ ଆବଶ୍ୟକ ସ୍ଥଳେ ଯାନବାହାନ ଯିବା ଆସିବା କରୁଛନ୍ତି। ତେବେ ଉକ୍ତ ଆନିକଟର ପାଣି ଯେଉଁ ସ୍ଥାନରେ କେନାଲରେ ପ୍ରବେଶ କରୁଛି ସେଠାରେ ଏକ କଲଭର୍ଟ କରିବା ପାଇଁ ଜନୈକ କଣ୍ଟ୍ରାକ୍ଟର ଟେଣ୍ଡର ନେଇ ସେଠାରେ ହ୍ୟୁମ ପାଇପ ପକାଇ ଥିଲେ। ତେବେ କ’ଣ ହେଲା ଭଗବାନଙ୍କୁ ଜଣା ସେଠି ରାସ୍ତା ଖୋଳି କେବଳ ଦୁଇଟି ପାଇପ ମାଟିରେ ପୋତି ଦେଇ ସେ ଚାଲିଗଲେ। ଏବେ ମଧ୍ୟ ଅନ୍ୟ ଦୁଇ ପାଇପ କେନାଲ ଭିତରେ ବିନା କାରଣରେ ଗଡ଼ୁଛି। କଲଭର୍ଟର ନାଁ ଗନ୍ଧ ନାହିଁ। ବସ୍ତାଏ ମଧ୍ୟ ସିମେଣ୍ଟ ଖର୍ଚ୍ଚ କରାଯାଇ ନାହିଁ। ତେବେ ଆଜକୁ ତିନି ଚାରି ମାସ ହେଲା ଆନିକଟ ପାଣିରେ ସେହି ସ୍ଥାନର ମାଟି ସବୁ ଖାଇ ହୁଡ଼ା ରାସ୍ତାଟି ନଷ୍ଟ ହୋଇ ଯାଇ କେନାଲ ମୁକୁଳା ପଡ଼ିଛି।
ସନ୍ତୋଷ ଗତକାଲି ଏକ ସ୍ବନକ୍ଷେତ୍ର ଭୋଜି ଖାଇ ବିଳମ୍ବିତ ରାତିରେ ସେହି ରାସ୍ତାରେ ସାଇକେଲ ଯୋଗେ ନିଜ ଗ୍ରାମ ହରିହରପୁରକୁ ଫେରୁଥିବା ବେଳେ ସେହି ଖାଇ ଯାଇଥିବା ମୁକୁଳା କେନାଲ ରାସ୍ତା ଖାତରେ ପଡ଼ି ପ୍ରାଣ ହରାଇ ଛନ୍ତି। ଆଜି ସକାଳେ କେହି ଦେଖି ଖବର ଦେବା ପରେ ତାଙ୍କ ମୃତଶରୀରକୁ ଉଦ୍ଧାର କରାଯାଇଛି।
ତେବେ ଏଥି ପାଇଁ ଜଳସେଚନ ବିଭାଗର ଶରଣକୁଳ ଅଫିସ ଦାୟୀ ବୋଲି ଅଭିଯୋଗ କରି ହରିହରପୁର ଗ୍ରାମବାସୀ ରାସ୍ତାରୋକ ପାଇଁ ସଜବାଜ ହେଉଥିବା ଖବର ମିଳିଛି।