ନୟାଗଡ଼,(ନୟାଗଡ଼ ଦର୍ପଣ): ବିଦ୍ୟାଳୟରେ ଅଧ୍ୟୟନରତ ପିଲାମାନେ ସବୁ କ୍ଷେତ୍ରରେ ଦକ୍ଷତା ହାସଲ କରିବା ଦରକାର। ପିତାମାତା ମାନେ ପିଲାମାନଙ୍କୁ ଅଯଥା ଆକଟ ନକରି ସେମାନଙ୍କୁ ସବୁ ବିଷୟରେ ଜାଣିବାର ସୁଯୋଗ ସୃଷ୍ଟି କରିବା ଆବଶ୍ୟକ। ବିଦ୍ୟାଳୟ ସ୍ତରରୁ ପିଲାମାନେ ଖବରକାଗଜ ପଢ଼ିବା ସହିତ ଦେଶ ବିଦେଶର ହାଲଚାଲ ଏବଂ ସମସ୍ୟା ସମ୍ପର୍କରେ ଅବଗତ ହେବା ଉଚିତ ବୋଲି ବ୍ଲକସ୍ତରୀୟ ସୁରଭି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଯୋଗଦାନ ନୟାଗଡ଼ ବିଧାୟକ ଡ.ଅରୁଣ କୁମାର ସାହୁ ଛାତ୍ରଛାତ୍ରୀ ମାନଙ୍କୁ ପରାମର୍ଶ ପ୍ରଦାନ କରିଛନ୍ତି । ସୂଚନା ଯୋଗ୍ୟ ଯେ ବିଦ୍ୟାଳୟ ସ୍ତରରେ ପିଲାମାନଙ୍କର ଅନ୍ତର୍ନିହିତ ତଥା ସୃଜନଶୀଳ ପ୍ରତିଭାର ବିକାଶ ପାଇଁ ସରକାରଙ୍କ ପକ୍ଷରୁ ଆରମ୍ଭ କରାଯାଇଛି ଶିଶୁ ପ୍ରତିଭା ଉତ୍ସବ ‘ସୁରଭି’ କାର୍ଯ୍ୟକ୍ରମ । ବିଭିନ୍ନ ବିଷୟରେ ପ୍ରାଥମିକ ସ୍ତରରୁ ହାଇସ୍କୁଲ ପର୍ଯ୍ୟନ୍ତ ପିଲାଙ୍କ ସୃଜନଶୀଳ ପ୍ରତିଭାର ବିକାଶ ପାଇଁ ପିଲାମାନଙ୍କ ମଧ୍ୟରେ ପ୍ରତିଯୋଗୀତା କରାଯାଇ ଶ୍ରେଷ୍ଠ ପ୍ରତିଯୋଗୀ ବାଛିବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ଅଟେ । ଏହି ପ୍ରତିଯୋଗୀତା କ୍ଲଷ୍ଟର ସ୍ତରରୁ ଆରମ୍ଭ ହୋଇ ବ୍ଲକ,ଜିଲ୍ଲା ଏବଂ ଶେଷରେ ରାଜ୍ୟସ୍ତର ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇ ଶ୍ରେଷ୍ଠ ପ୍ରତିଯୋଗୀ ମାନଙ୍କୁ ବଛାଯାଇଥାଏ । ଏହି ପରିପ୍ରେକ୍ଷୀରେ ଆଜି ବ୍ଲକ ସ୍ତରୀୟ ‘ସୁରଭି’ ପ୍ରତିଯୋଗିତା ନୟାଗଡ଼ ବ୍ଳକ ଅନ୍ତର୍ଗତ ବାଉଁଶିଆପଡ଼ା ଜନତା ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ବ୍ଲକ ଶିକ୍ଷା ବିଭାଗ ଅନ୍ତର୍ଗତ ୧୫ଟି କ୍ଲଷ୍ଟରରୁ ଉଭୟ ଜୁନିୟର ଏବଂ ସିନିୟର ବିଭାଗରୁ ମୋଟ ୧୫୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ସାଧାରଣ ଜ୍ଞାନ,କୁଇଜ, ବକ୍ତୃତା, ଚିତ୍ରାଙ୍କନ, ସୃଜନଶୀଳ ଲିଖନ,ପ୍ରବନ୍ଧ, ଦେଶତ୍ମବୋଧ ସଙ୍ଗୀତ,ସୁନ୍ଦର ହସ୍ତାକ୍ଷର ଲିଖନ ତଥା ଦଳଗତ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ନୃତ୍ୟ ଆଦିରେ ଅଂଶ ଗ୍ରହଣ କରି ସେମାନଙ୍କ ବହୁମୁଖି ପ୍ରତିଭାର ପରିଚୟ ପ୍ରଦାନ କରିଥିଲେ । ବ୍ଲକସ୍ତରୀୟ ଏହି ସୁରଭି କାର୍ଯ୍ୟକ୍ରମକୁ ନୟାଗଡ଼ ବିଧାୟକ ଡ.ଅରୁଣ କୁମାର ସାହୁ ମୁଖ୍ୟ ଅତିଥିଭାବେ ଯୋଗଦାନ କରି ପ୍ରଦୀପ ପଜ୍ଜଳନ ସହିତ ଉଦଘାଟନ କରିଥିଲେ । ଏହି ଅବସରରେ ସ୍ଥାନୀୟ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ । ବ୍ଲକ ଶିକ୍ଷାଧିକାରୀ ନିମାଇଁ ଚରଣ ପ୍ରଧାନଙ୍କ ପୌରହିତ୍ୟରେ ଆୟୋଜିତ ଉକ୍ତ ସଭାରେ ମୁଖ୍ୟବକ୍ତା ଭାବେ ଜିଲ୍ଲା ଶିକ୍ଷାଧିକାରୀ ରାଜଶ୍ରୀ ପଟ୍ଟନାୟକ,ସମ୍ମାନୀତ ଅତିଥିଭାବେ ସ୍ଥାନୀୟ ସରପଞ୍ଚ ଜୁଲି ସାହୁ ଏବଂ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଶୋକ କୁମାର ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ । ବିଭିନ୍ନ ପ୍ରତିଯୋଗୀତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀ ମାନଙ୍କୁ ଅତିଥିମାନେ ମାନପତ୍ର ଏବଂ ଟ୍ରଫି ପ୍ରଦାନ କରି ପୁରସ୍କୃତ କରିଥିଲେ । ଶିକ୍ଷକ ଅଶୋକ କୁମାର ମଲ୍ଲ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶେଖ ଅବଦୁଲ ଖାଲିକ ମଞ୍ଚ ପରିଚାଳନା ଏବଂ ସୁରେଶ କୁମାର ସେଠୀ ଧନ୍ୟବାଦ ପ୍ରଦାନ କରିଥିଲେ । ବ୍ଲକସ୍ତରରେ ବିଭିନ୍ନ ପ୍ରତିଯୋଗୀତାରେ ପ୍ରଥମ ସ୍ଥାନ ହାସଲ କରିଥିବା ଛାତ୍ରଛାତ୍ରୀ ମାନେ ଆସନ୍ତା ଜିଲ୍ଲାସ୍ତରୀୟ ସୁରଭି କାର୍ଯ୍ୟକ୍ରମରେ ଭାଗ ନେବେ ।
Related posts
-
ବିତର୍କ ପ୍ରତିଯୋଗିତା; ବରିଷ୍ଠରେ ଶୁଭାଶିଷ, କନିଷ୍ଠରେ ପ୍ରିୟରଞ୍ଜନ ପ୍ରଥମ
ନୟାଗଡ଼,(ନୟାଗଡ଼ ଦର୍ପଣ): ଦୈନିକ ଖବରକାଗଜ ‘ସକାଳ’ ୪ର୍ଥ ସ୍ୱନ୍ନକ୍ଷତ୍ର ଦିବସ ଉପଲକ୍ଷେ ନୟାଗଡ଼ ଜିଲ୍ଲାସ୍ତରୀୟ ବିତର୍କ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି ।... -
ଜିଲ୍ଲା ସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତା କାର୍ଯ୍ୟକ୍ରମ
ନୟାଗଡ଼, (ନୟାଗଡ଼ ଦର୍ପଣ): ପ୍ରଜ୍ଞାନ ମିଶନ, ଓଡ଼ିଶାଦ୍ଵାରା ଜିଲ୍ଲାସ୍ତରୀୟ ଗୀତା ସୁଗୀତା କର୍ତ୍ତବ୍ୟା କାର୍ଯ୍ୟକ୍ରମ ତଥା ଗୀତା ଆବୃତ୍ତି ପ୍ରତିଯୋଗିତା ସ୍ଥାନୀୟ... -
ପାଣିପୋଇଲା ସରସ୍ୱତୀ ଶିଶୁମନ୍ଦିରର ବାର୍ଷିକ ଉତ୍ସବ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ବ୍ଲକ୍ ପାଣିପୋଇଲା ସରସ୍ୱତୀ ଶିଶୁବିଦ୍ୟାମନ୍ଦିରର ପଂଚଦଶ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଅଛି । ବିଦ୍ୟାମନ୍ଦିରର ସଂପାଦକ...